ଭୁବନେଶ୍ବର:ଏସଆଇଆରଡି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀ । ଏହି ବୈଠକରେ ଅଧ୍ୟକ୍ଷତା କରି ଗ୍ରାମୀଣ ଗରିବ ଲୋକଟିର ମୁହଁରେ କେମିତି ସବୁଦିନ ପାଇଁ ହସ ଫୁଟି ରହିବ ତାହା ହେଉଛି ରାଜ୍ୟ ସରକାରଙ୍କ ସର୍ବୋଚ୍ଛ ପ୍ରାଥମିକତା ବୋଲି ମତ ରଖିଥିଲେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।
ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ଯେ, ଭାରତର ଆତ୍ମା ଗାଁ'ରେ ରହିଛି । ମହାତ୍ମା ଗାନ୍ଧୀଙ୍କ ଏହି ଉକ୍ତିଟିକୁ ଓଡ଼ିଶା ସରକାର ସବୁଠାରୁ ଅଧିକ ଚରିତାର୍ଥ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗ୍ରାମୀଣ ଓଡ଼ିଶାର ସର୍ବାଙ୍ଗୀନ ବିକାଶକୁ ପ୍ରାଧାନ୍ୟ ଦେଇଆସିଛନ୍ତି । ଗ୍ରାମୀଣ ଗରିବ ଲୋକଟିର ମୁହଁରେ କେମିତି ସବୁଦିନ ପାଇଁ ହସ ଫୁଟି ରହିବ ତାହା ହେଉଛି ରାଜ୍ୟ ସରକାରଙ୍କ ସର୍ବୋଚ୍ଛ ପ୍ରାଥମିକତା । ଏହାକୁ ଦୃଷ୍ଟିରେ ରଖି ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ ପାର୍କ, ମୋ ଘର, ଆମ ଓଡିଶା ନବୀନ ଓଡିଶା ଭଳି ମହତ୍ବକାଂକ୍ଷୀ ଯୋଜନାସମୂହର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ସଫଳ ଭାବରେ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ଠାରୁ ଆଗୁଆ । ଜନସାଧାରଣ, ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହଯୋଗ ଓ କ୍ଷେତ୍ର ଅଧିକାରୀମାନଙ୍କର କ୍ରିୟାଶୀଳତା ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
Minister Pradip Kumar Amat hold meeting ଏହା ମଧ୍ୟ ପଢନ୍ତୁ-ମୋ ବସ ପରି 6 ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ, ଘରୋଇ ବସ ମାଲିକ ସଂଘ ଆଣିଲା ଅନେକ ଦାବି
''ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ ପାର୍କ ଗୁଡ଼ିକ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ସମନ୍ୱୟ କରାଯାଇ ପ୍ରତିଷ୍ଠା କରାଯାଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଏହାର ଏକ ସଫଳ ପରୀକ୍ଷଣ କରାଯାଇଛି । ଏହି ପ୍ରକଳ୍ପ ଗ୍ରାମୀଣ ମହିଳା ଉତ୍ପାଦନକାରୀଙ୍କୁ ଜଣେ ସଫଳ ଉଦ୍ୟୋଗୀ ଭାବରେ ପରିଣତ କରିବା ସାହାୟକ ହେବ । ସ୍ଥାନୀୟ ବେକାରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବଜାର ଭିତ୍ତିକ ପ୍ରକ୍ରିୟା ମାଧ୍ୟମରେ ଗ୍ରାମୀଣ ଉତ୍ପାଦ ପାଇଁ ଉପଯୁକ୍ତ ବଜାର ଚାହିଦା ସୃଷ୍ଟି କରିବାରେ ସାହାଯ୍ୟ ମଧ୍ୟ କରିବ । ଏହି ପ୍ରକଳ୍ପର ନୂତନ ଭାବେ ପରିଯୋଜନା ତଥା କାର୍ଯ୍ୟକାରୀ କରିବା ପାଇଁ ଓରମାସକୁ ଦାୟିତ୍ୱ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୭୫ଟି ବ୍ଲକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪୫ଟି ବ୍ଲକରେ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ସମନ୍ୱିତ ଚାଷ କ୍ଷେତ୍ରରେ ଏହି ପାର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।''
୨୦୨୩-୨୪ ଆର୍ଥିକ ବର୍ଷରେ ମନରେଗା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଲକ୍ଷରୁ ଊର୍ଦ୍ଧ୍ଵ ପରିବାରକୁ ମଜୁରି ରୋଜଗାର ଯୋଗାଇଦେବା ସହ ୦.୭୮ ଲକ୍ଷ ସ୍ଥାୟୀ ସମ୍ପତ୍ତି ସୃଷ୍ଟି କରି ୮ କୋଟିରୁ ଅଧିକ ଶ୍ରମଦିବସ ହାସଲ କରିବାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସକ୍ଷମ ହୋଇଛି । ଚଳିତ ବର୍ଷ ୨୦ କୋଟି ଶ୍ରମ ଦିବସ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଦାଦନ ରୋକିବା ନିମନ୍ତେ ବଲାଙ୍ଗୀର, ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଅନ୍ତର୍ଗତ ୨୦ ଟି ଦାଦନ ପ୍ରବଣ ବ୍ଲକ ଗୁଡିକରେ ରାଜ୍ୟ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାଜ୍ୟ ସହାୟତା ନାମରେ ବିଗତ ଦୁଇ ବର୍ଷରୁ ଏକ ସ୍ଵତନ୍ତ୍ର ଯୋଜନାକୁ କାର୍ଯ୍ୟକାରୀ କରିଆସୁଛନ୍ତି । ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ୮୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇ ୧୫୦୦୦ରୁ ଊର୍ଦ୍ଧ୍ଵ ପରିବାର ବର୍ଗଙ୍କୁ ୧୦୦ ଦିନ, ୭୫୨ ପରିବାରଙ୍କୁ ୨୦୦ ଦିନ ଓ ୧୭ ପରିବାରଙ୍କୁ ୩୦୦ ଦିନର କାମ ଯୋଗାଇ ଦିଆଯାଇଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।
ମୋ ଘର ଯୋଜନାର ଆରମ୍ଭର ଏକ ମାସ ମଧ୍ୟରେ ୩.୫୦ଲକ୍ଷରୁ ଊର୍ଦ୍ଧ୍ଵ ପରିବାର ନାମ ପଞ୍ଜୀକରଣ କରିସାରିଛନ୍ତି । ସେଥିମଧ୍ୟରୁ ୫୦ ହଜାର ପରିବାର ବ୍ୟାଙ୍କ ଋଣ ପାଇବା ପାଇଁ ବ୍ୟାଙ୍କରେ ଯୋଗାଯୋଗ କରି ୪୫ ଜଣ ହିତାଧିକାରୀ ଋଣ ନେଇସାରିଛନ୍ତି । ଗ୍ରାମୀଣ ଓଡିଶାକୁ ରୂପାନ୍ତର କରିବା, ଗ୍ରାମୀଣ ଭିତ୍ତିଭୂମିର ତ୍ଵରିତ ବିକାଶ ତଥା ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇ ରଖିବା ନିମନ୍ତେ ଓଡିଶା ସରକାର ଆମ ଓଡିଶା ନବୀନ ଓଡିଶା ଯୋଜନା ଆରମ୍ଭ କରିଛନ୍ତି । ସବୁବେଳେ ସୁରକ୍ଷିତ ଏବଂ ସ୍ଥାୟୀ ସମ୍ପତି ସୃଷ୍ଟି କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳକୁ ପ୍ରାଧାନ୍ୟ ଦେଇଆସୁଛନ୍ତି । ରାଜ୍ୟ ସରକାରଙ୍କ ମହତ୍ବକାଂକ୍ଷୀ ଯୋଜନା ଗୁଡିକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କର ମୁଖ୍ୟ ଭୂମିକା ଗ୍ରହଣ କରିବାର ଅବଶ୍ୟକତା ରହିଛି । ଓରମାସର ମୁଖ୍ୟ ନିର୍ବାହୀ ଅଧିକାରୀ ଗୂହା ପୂନମ ତାପସ କୁମାର, ବିଭାଗୀୟ ନିର୍ଦ୍ଦେଶକ (ସ୍ବତନ୍ତ୍ର ପ୍ରକଳ୍ପ) ଅରିନ୍ଦମ ଡାକୁଆ, ବିଭାଗୀୟ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର