ଭୁବନେଶ୍ୱର: ରାଜ୍ୟରେ ନକଲି ଔଷଧ ନେଇ ଧରପଗଡ ଜୋରଦାର ହେବ । ରାଜ୍ୟରେ ନକଲି ଔଷଧ କାରବାର ଘଟଣା। ଜୋରଦାର ହେଲା ନକଲି ଔଷଧ ଧରପଗଡ । ରାଜ୍ୟ ବାହାରୁ ଆସୁଥିବ ଔଷଧ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।
ରାଜ୍ୟ ବାହାରୁ ଆସୁଥିବା ଔଷଧ ଉପରେ କଡ଼ା ନଜର ରଖିବା ସହ ସମସ୍ତ ସମ୍ବେଦନଶୀଳ ଓ ସନ୍ଦେହାତ୍ମକ ଗୋଦାମ ଉପରେ ଚଢ଼ାଉ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଔଷଧ ଗୋଦାମ ସହ ଖୁଚୁରା ବ୍ୟବସାୟ କେନ୍ଦ୍ର ଓ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ ଜାରି ରହିଛି ।
ଇତି ମଧ୍ୟରେ କଟକରେ ୬ ଟି, କେନ୍ଦ୍ରାପଡାରେ ୧ ଟି, ଝାରସୁଗୁଡାରେ ୨ ଟି,ଏବଂ ସୁନ୍ଦରଗଡ, ବରଗଡ ଓ ସମ୍ବଲପୁରରେ ୧ ଟି ଲେଖାଏଁ ଯାଗାରୁ ନକଲି ଔଷଧ ଧରାଯାଇ ଆଇନଗତ ମକଦ୍ଦମା ରୁଜୁ କରାଯାଇଛି । ଦୋକାନମାନଙ୍କରେ ଥିବା ପ୍ରତି ଔଷଧ ଷ୍ଟ୍ରିପକୁ ଯାଞ୍ଚ କରାଯାଉଛି । ଲଗାତର ଭାବେ ଚଢ଼ାଉ ଜାରି ରଖି ନକଲି କାରବାର କରୁଥିବା ଲୋକ ଓ ଦୋକାନୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି ।
କଟକର ଭିଆର ଏଜେନ୍ସି, ପୁଜା ଏଣ୍ଟରପ୍ରାଇଜରସ, କୟାଲ ଏଜେନ୍ସି, ମହାବୀର ପ୍ରସାଦ ରାଧେଶ୍ୟାମ, ଡିଷ୍ଟ୍ରିବ୍ୟୁଟରସ ଏବଂ ଏମ.ଏଚ ଆଦି ଗୋଦାମରୁ ଚଢ଼ଉପରେ ନକଲି ଔଷଧ ମିଳିଛି । ସେହିପରି ଝାରସୁଗୁଡା ଜିଲ୍ଲାର ଶ୍ୟାମ ମେଡ଼ିକାଲ ଓ ଅମିତ ଏଜେନ୍ସି, ସୁନ୍ଦ୍ରଗଡ଼ର ପ୍ରକାଶ ମେଡିକାଲ ପ୍ରା.ଲିଃ, ବରଗଡର ଅଶୋକ ମେଡିକାଲ ହଲ, ସମ୍ବଲପୁରର ଦୁର୍ଗା ଏଜେନ୍ସି ଏବଂ କେନ୍ଦ୍ରାପଡାର ସାଇ ଆଦି ଗୋଦାମରୁ ଚଢ଼ାଉ ପରେ ନକଲି ଔଷଧ ମିଳିଛି । ଏସବୁ ଏଜେନ୍ସି, ଗୋଦାମ ଓ ଦୋକାନ ବିରୁଦ୍ଧରେ ଡ୍ରଗ୍ସ ନିୟନ୍ତ୍ରଣ ଆଇନ ଅନୁସାରେ ମକଦ୍ଦମା ରୁଜୁ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ୱର