ଭୁବନେଶ୍ବର: ରାଜ୍ୟରେ ହେବ ହାତୀ ଗଣନା । ଆସନ୍ତା ଏପ୍ରିଲ ମାସରୁ ରାଜ୍ୟରେ ହାତୀ ଗଣନା ଆରମ୍ଭ ହେବ । ଏନେଇ ପିସିସିଏଫ୍ ୱାଇଲ୍ଡ ଲାଇଫ୍ ଏସ.କେ. ପୋପଲି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କର ନିଜସ୍ଵ ଉଦ୍ୟମରେ ପ୍ରଥମ ଥର ପାଇଁ ହାତୀ ଗଣନା କରାଯାଉଛି । ଗତ ଆଠବର୍ଷ ଭିତରେ ପାଖାପାଖୀ ୭୦୦ ହାତୀଙ୍କ ମୃତ୍ୟୁ ପଶୁପ୍ରେମୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣକୁ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ହାତୀଙ୍କ ସଂରକ୍ଷଣ ଲକ୍ଷ୍ୟ ନେଇ 'ଗଜଉତ୍ସବ' ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ତେବେ ରାଜ୍ୟରେ କେତେ ହାତୀ ଅଛନ୍ତି ତାହା ଆସନ୍ତା ବର୍ଷ ମଧ୍ୟ ଭାଗରେ ସ୍ପଷ୍ଟ ହୋଇଯିବ। ଆସନ୍ତା ବର୍ଷ ଏପ୍ରିଲ ମାସରୁ ହେବ ହାତୀ ଗଣନା । ଚଳିତ ବର୍ଷ ଠାରୁ ପ୍ରତି ବର୍ଷ ହାତୀ ଗଣନା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ପକ୍ଷରୁ ପ୍ରତି ୫ ବର୍ଷକୁ ଥରେ ଗଣନା ହେଉଥିବା ବେଳେ ରାଜ୍ୟ ସରକାର ନିଜସ୍ୱ ପ୍ରୟାସରେ ପ୍ରଥମ ଥର ପାଇଁ ପ୍ରତିବର୍ଷ ଗଣନା କରିବାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ୧୯୭୬ ଟି ହାତୀ ଅଛନ୍ତି । ବର୍ଷକରେ ହାତୀ ସଂଖ୍ୟା କେତେ ବଢ଼ୁଛି ଏହାକୁ ଜାଣିବା ପାଇଁ ପ୍ରତିବର୍ଷ ହାତୀ ଗଣନା କରାଯିବ ।
ତେଣୁ ଆସନ୍ତା ଏପ୍ରିଲ ମାସରେ ଜଙ୍ଗଲରେ ହାତୀଙ୍କୁ ଦେଖିବା ସହଜ ହେଉଥିବାରୁ ସେବେଠାରୁ ହିଁ ହାତୀ ଗଣନା ଆରମ୍ଭ ହେବ । ସେହିପରି ନଭେମ୍ବର ୧ରୁ ଆରମ୍ଭ ହେବ ବାଘ ଗଣନା । ସବୁଠି ଲାଗିବ କ୍ୟାମେରା । ରାଜ୍ୟ ସରକାରଙ୍କର ନିଜସ୍ଵ ଉଦ୍ୟମରେ ପ୍ରଥମ ଥର ପାଇଁ ବାଘ ଗଣନା କରାଯାଉଛି । ଜାନୁଆରୀ ୩୧ ସୁଦ୍ଧା ରାଜ୍ୟରେ ବାଘ ସଂଖ୍ୟା କେତେ ରହିଛି ତାର ତଥ୍ୟ ଆସିବ । ତେବେ କେନ୍ଦ୍ର ଗଣନା ଅନୁସାରେ ରାଜ୍ୟରେ ୨୦ ଟି ବାଘ ରହିଛି କିନ୍ତୁ ୨୫ ରୁ ଅଧିକ ବାଘ ଥିବା କହିଛି ରାଜ୍ୟ ଜଙ୍ଗଲ ବିଭାଗ । ଏହାକୁ ପ୍ରମାଣ କରିବାକୁ ରାଜ୍ୟ ସରକାର ନିଜସ୍ଵ ଉଦ୍ୟମରେ ବାଘ ଗଣନା ମଧ୍ୟ କରାଯିବ ।