ଭୁବନେଶ୍ବର:ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ବାହାରିଲା ୯୦୨ ନୂଆ ପଦବୀ । ରାଜ୍ୟ ସରକାର ୬୪୨ ଶିକ୍ଷକ ଏବଂ ୨୬୦ ଜଣ ଅଣଶିକ୍ଷକ ପଦବୀ ପ୍ରକାଶ ପାଇଛି । ଏହି ସମସ୍ତ ଶିକ୍ଷକଙ୍କୁ ୧୦୬ ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ମିଳିବ । ଖୁବଶୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି ।
୬୪୨ ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ପଦବୀ ସମେତ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ, ୨୪ ଲାବୋରେଟୋରୀ ଆଟେଣ୍ଡାଣ୍ଟ, ୧୦୬ ଆସିଷ୍ଟାଣ୍ଟ ଲାଇବ୍ରେରିଆନ, ୧୦୬ ଜୁନିୟର କ୍ଲର୍କ ପଦବୀ ସୃଷ୍ଟି ହୋଇଛି । ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିଶେଷ ଧ୍ୟାନ ଦେଇ ଆସୁଛନ୍ତି । ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ବିକାଶ ସହ ଶିକ୍ଷକ, ଅଣଶିକ୍ଷକ ପଦରେ ନିଯୁକ୍ତି ଦେଉଛନ୍ତି । ଏହି କ୍ରମରେ ୯୦୨ ପଦବୀକୁ ମଞ୍ଜୁରି ଦେଇ ଆଉ ଏକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।
ଏହା ବି ପଢନ୍ତୁ- ପୂରଣ ହେବ ଖାଲି ପଡ଼ିଥିବା ପଦବୀ, ରାଜ୍ୟରେ ଦୂର ହେବ ଶିକ୍ଷକ ସମସ୍ୟା- ଗଣଶିକ୍ଷା ମନ୍ତ୍ରୀ
ଚଳିତ ବର୍ଷ ୧୦୬ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନିତ କରିଛନ୍ତି । ଏ ସବୁ ବିଦ୍ୟାଳୟରେ ଯୁକ୍ତ ଦୁଇ ଖୋଲିଛି । ଦଶମ ଶ୍ରେଣୀ ପାଠ ପଢିସାରିବା ପରେ ଛାତ୍ରଛାତ୍ରୀ ସିଧାସଳଖ ଭାବରେ ନିଜ ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢ଼ିପାରିବେ । ସେମାନଙ୍କୁ ଶିକ୍ଷାଦାନ ପାଇଁ ଏହି ନୂତନ ଶିକ୍ଷକ ପଦବୀଗୁଡ଼ିକ ସୃଷ୍ଟି କରାଯାଇଛି । ସେହିପରି ପ୍ରତି ଉନ୍ନିତ ମାଧ୍ୟମିକ ବିଦ୍ୟାଳୟରେ ଅଫିସ କାର୍ଯ୍ୟ, ଲାବ୍ର ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାର ବିଶେଷ ଧ୍ୟାନ ଦେଇ ଅଣଶିକ୍ଷକ ପଦବୀଗୁଡିକୁ ମଞ୍ଜୁରୀ ଦେଇଛନ୍ତି ।
ସୂଚନା ଅନୁଯୟୀ , ୨୦୨୩- ୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ପାଠପଢା ଆରମ୍ଭ ହେବାକୁ ଯାଉଛି । ଏଥି ମଧ୍ୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏହାଦ୍ବାରା ରାଜ୍ୟରେ ୧୦୬ ଗୋଟି ସରକାରୀ ବିଦ୍ୟାଳାୟରେ ମୋଟ ୧୩ ହଜାର ୪୬୮ ସିଟ ନାମ ଲେଖା ପାଇଁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟର ଅନେକ ସ୍ଥାନରେ ଶିକ୍ଷକ ଅଭାବ ଘଟଣା ସାମ୍ନାକୁ ଆସୁଛି । ନୂଆ ଶିକ୍ଷକ ନିଯୁକ୍ତି ଦ୍ବାରା ଏହି ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର