ଓଡିଶା

odisha

ETV Bharat / state

ହାତ ଧରିଲେ ବିଜୟ, କହିଲେ ବ୍ୟବସ୍ଥାରେ ପରିବର୍ତ୍ତନ ଲକ୍ଷ୍ୟରେ ରାଜନୀତିକୁ ଆସିଛି - କଂଗ୍ରେସ ନେତା ଜୟଦେବ ଜେନା

ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଶୁକ୍ରବାର ଦିଲ୍ଲୀ AICC କାର୍ଯ୍ୟାଳୟରେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏନେଇ ପ୍ରତିକ୍ରିୟା ରଖି ବିଜୟଙ୍କୁ ଦଳକୁ ସ୍ବାଗତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

କଂଗ୍ରେସର ହାତ ଧରିଲେ ବିଜୟ ପଟ୍ଟନାୟକ
କଂଗ୍ରେସର ହାତ ଧରିଲେ ବିଜୟ ପଟ୍ଟନାୟକ

By

Published : Feb 10, 2023, 7:35 PM IST

Updated : Feb 11, 2023, 12:17 PM IST

କଂଗ୍ରେସର ହାତ ଧରିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ବର: କଂଗ୍ରେସରେ ଯୋଗଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଦିଲ୍ଲୀ AICC କାର୍ଯ୍ୟାଳୟରେ କଂଗ୍ରେସର ହାତ ଧରିଲେ ବିଜୟ ପଟ୍ଟନାୟକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, AICC ସାଧାରଣ ସମ୍ପାଦକ କେସି ବେଣୁ ଗୋପଳ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜୟ ପଟ୍ଟନାୟକଙ୍କ ଯୋଗାଦାନ କଂଗ୍ରେସ ପାଇଁ ଅତ୍ୟନ୍ତ ଫଳପ୍ରଦ ହେବାନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଦୀର୍ଘଦିନର ଚର୍ଚ୍ଚାର ଆଜି ଅବସାନ ଘଟିଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ୨୦୧୪ ନିର୍ବାଚନରେ ବିଜେଡିରେ ଟିକେଟ ବଣ୍ଟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେଇ ଚର୍ଚ୍ଚାରେ ଥିଲେ ବିଜୟ ପଟ୍ଟନାୟକ । ରାଜ୍ୟର ନକ୍ସଲ ଦମନରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ସିଧାସଳଖ ସେ ରାଜନୀତି କରିନଥିଲେ ମଧ୍ୟ ରାଜନୀତିକୁ ବହୁ ପାଖରୁ ଦେଖିଛନ୍ତି । କଂଗ୍ରେସରେ ବିଜୟଙ୍କ ଯୋଗଦାନ କଂଗ୍ରେସ ପାଇଁ ଏକ ଆଶାବାଡ଼ି ସଦୃଶ ହେବ ବୋଲି ଆକଳନ କରିହେବ । ରାଜ୍ୟ କଂଗ୍ରେସର ସ୍ଥିତି ଦୁର୍ବଳ ଥିବାବେଳେ ବିଜୟଙ୍କ ଯୋଗଦାନ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ସହାୟକ ହେବ ବୋଲି କୁହାଯାଉଛି । ରାଜ୍ୟରେ ତାଙ୍କର ସରକାର ଚଳାଇବାରେ ଯେଉଁ ଅଭିଜ୍ଞତା ରହିଛି, ସେ କଂଗ୍ରେସକୁ ଫଳପ୍ରଦ କରିବ ବୋଲି ଆଶା କରାଯାଉଛି । ୧୯୭୬ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ ପଟ୍ଟନାୟକ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ । ସେ ୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୦୧୩ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିଥିଲେ ।

ତେବେ କଂଗ୍ରେସରେ ଯୋଗଦେବା ପରେ ଶାଣିତ ହୋଇଛି ବିଜୟଙ୍କ ସ୍ବର । ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜୟ ପଟ୍ଟନାୟକ । AICC କାର୍ଯ୍ୟାଳୟରେ କଂଗ୍ରେସରେ ଯୋଗ ଦେବା ଅବସରରେ ସେ କହିଛନ୍ତି, "ରାଜ୍ୟରେ କୁଶାସନ, ଦୁର୍ନୀତି ଓ ହିଂସାର ବାତାବରଣ ଚାଲିଛି । ଏବେ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରୁନି । ସାଧାରଣ ଲୋକ କାହା ପାଖକୁ ଯିବେ ଜାଣିପାରୁନାହାନ୍ତି । ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ । ଓଡ଼ିଶାରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେବା ଦରକାର । ଓଡ଼ିଶା ପାଇଁ କିଛି କରିବାକୁ ଲକ୍ଷ୍ୟ ରଖି ରାଜନୀତିକୁ ଆସିଛି । ବର୍ତ୍ତମାନର ଅବସ୍ଥାରେ ପରିବର୍ତ୍ତନ ପାଇଁ ରାଜନୀତିକୁ ଆସିଛି ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ପାଇଁ କିଛି କରିବାକୁ ବହୁତ ଆଶା ରହିଥିବା ସେ ପ୍ରକାଶ କରିଛନ୍ତି ।

ସେପଟେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ବିଜୟଙ୍କୁ ସ୍ବାଗତ କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ମିଶିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, "ବିଜୟ ପଟ୍ଟନାୟକ ଓଡ଼ିଶାର ଜଣେ ଜଣାଶୁଣା ଚେହେରା । ସେ ସିଧାସଳଖ ରାଜନୀତିରେ ନଥିଲେ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ବିଜେଡି ସରକାରରେ ମଧ୍ୟ ଦୀର୍ଘବର୍ଷ ପ୍ରସାଶକ ଭାବରେ କାର୍ଯ୍ୟ କରିଛନ୍ତି । କଂଗ୍ରେସରେ ତାଙ୍କର ଯୋଗଦାନ ନିଶ୍ଚିତ ରୂପରେ ଦଳ ପାଇଁ ଶୁଭଙ୍କର ହେବ । ଏହାଦ୍ଵାରା କଂଗ୍ରେସକୁ ଅଧିକ ସମର୍ଥନ ମିଳିବା ସହ ଲୋକଙ୍କ ପାଇଁ କାମ କରିବାରେ ସୁବିଧା ହେବ ।" ସେପଟେ ଭାରତ ଯୋଡୋ କାର୍ଯ୍ୟକ୍ରମ ଜରିଆରେ କଂଗ୍ରେସ ଲୋକଙ୍କ ପାଖରେ ଅଧିକ ଆଦୃତ ହୋଇଥିବା ବେଳେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗଦାନ କଂଗ୍ରେସ ପାଇଁ ଭଲ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 11, 2023, 12:17 PM IST

ABOUT THE AUTHOR

...view details