ଭୁବନେଶ୍ବର:ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଆନୁକୁଲ୍ୟରେ ଓଡ଼ିଶା ଫର ସିଲିକନ-୨୦୨୩ର ସଫଳ ଆୟୋଜନ ହୋଇଛି । ଓଡ଼ିଶାକୁ ସେମିକଣ୍ଡକ୍ଟର ହବରେ ପରିଣତ କରିବା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଅଗ୍ରଣୀ ସଂସ୍ଥା ଅଂଶଗ୍ରହଣ କରିଥିଲେ । ଏହାବ୍ୟତୀତ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଅନେକ ଶିକ୍ଷାବିତ ତଥା ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେମିକଣ୍ଡକ୍ଟର କ୍ଷେତ୍ରରେ 3ଟି ଏମଓୟୁ ସ୍ବାକ୍ଷରିତ ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଫର ସିଲିକନ -୨୦୨୩ ରାଜ୍ୟରେ ଏକ ଉତ୍ସାହଜନକ ସେମିକଣ୍ଡକ୍ଟର ଇକୋସିଷ୍ଟମ ଗଢ଼ି ତୋଳିବାରେ ସହାୟକ ହେବ । ଏହା ନୂଆ ଉଦ୍ଭାବନ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ରାଜ୍ୟର ବିକାଶକୁ ତ୍ୱରାନ୍ଵିତ କରିବ ।''
ରାଜ୍ୟ ସରକାରଙ୍କ ଏହି ପ୍ରମୁଖ ପଦକ୍ଷେପ ଓଡ଼ିଶା ଫର ସିଲିକନ -୨୦୨୩ ସେମିକଣ୍ଡକ୍ଟର କ୍ଷେତ୍ରରେ ପୁଞ୍ଜିନିବେଶ ଓ ନୂଆ ନୂଆ ଉଦ୍ଭାବନ ପାଇଁ ଏକ ପ୍ରମୁଖ ଆକର୍ଷଣୀୟ କେନ୍ଦ୍ର ଭାବେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ଟ୍ୟାଲେଣ୍ଟ ଟ୍ରାନ୍ସଫର୍ମେସନ, ଚିପ ଆର୍କିଟେକ୍ଟର ଏବଂ ଚିପ ଡିଜାଇନ ଭଳି ଗୁରୁତ୍ଵପୂର୍ଣ୍ଣ ବିଷୟବସ୍ତୁ ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା । ସେମିକଣ୍ଡକ୍ଟର କ୍ଷେତ୍ରରେ ନୂତନ ଭାଗୀଦାରି ଏବଂ ସହଯୋଗର ପଥ ପ୍ରଶସ୍ତ କରିବା ପାଇଁ ଏହି ଅବସରରେ 3ଟି ଗୁରୁତ୍ଵପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଇଣ୍ଡିଆନ ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର ଆସୋସିଏସନ ସହ ହୋଇଥିବା ବୁଝାମଣାପତ୍ର ଅନୁଯାୟୀ, ଏହି ସଂଘ ଓଡ଼ିଶା ସରକାରଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକାଶ ଏବଂ କାର୍ଯ୍ୟକ୍ରମ ଆୟୋଜନ ତଥା ଜ୍ଞାନ ସାମଗ୍ରୀର ଅବଧାରଣା ସୃଷ୍ଟି ମାଧ୍ୟମରେ ରାଜ୍ୟରେ ସେମିକଣ୍ଡକ୍ଟର ଇକୋସିଷ୍ଟମ ପ୍ରୋତ୍ସାହନ କ୍ଷେତ୍ରରେ ସହାୟକ ହେବ ।
ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରମୁଖ ସେମିକଣ୍ଡକ୍ଟଟର କମ୍ପାନୀ ଭାବେ ଖ୍ୟାତି ଅର୍ଜନ କରିଥିବା ସିନର୍ସିସ ସହ ସ୍ଵାକ୍ଷରିତ ବୁଝାମଣାପତ୍ରରେ ଓ-ଚିପ କାର୍ଯ୍ୟକ୍ରମ, ପ୍ରତିଭା ଓ କର୍ମଶକ୍ତିର ବିକାଶ, ସେମିକଣ୍ଡକ୍ଟର ଓ ଭି.ଏଲ.ଏସ.ଆଇ. କ୍ଷେତ୍ରରେ ରାଜ୍ୟର ପ୍ରସ୍ତୁତି ଆକଳନ ଏବଂ ରାଜ୍ୟ ଇଞ୍ଜିନିୟରିଂ ଅନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ତଥା ପ୍ଲେସମେଣ୍ଟ ସହାୟତା ଆଦିରେ ସହଯୋଗ କରିବାର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ଦେଶରୁ ଇଲେକଟ୍ରୋନିକ୍ସ ଓ ଆଇ.ଟି/ ଆଇ.ଟି.ଇ.ଏସ ରପ୍ତାନି ବିକାଶ କାର୍ଯ୍ୟରେ ନିୟୋଜିତ ଇଲେକଟ୍ରୋନିକ୍ସ ଓ କମ୍ପ୍ୟୁଟର ସଫ୍ଟୱେରେ ଏକ୍ସପୋର୍ଟ ପ୍ରମୋସନ କାଉନସିଲ ପାଇଁ ରାଜ୍ୟ ସରକାର ଅଫିସ ପରିସର ଯୋଗାଇ ଦେବାକୁ କାଉନସିଲ ସହିତ ଆଉ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।
ସର୍ବଭାରତୀୟ ଡିଜାଇନ ଚ୍ୟାଲେଞ୍ଜ ଇଲେକଟ୍ରୋପ୍ରେନିୟୋର ପାର୍କ, ଭୁବନେଶ୍ଵର ପକ୍ଷରୁ ସଂଗଠିତ କରାଯାଇଛି । ଛାତ୍ରଛାତ୍ରୀ ଗବେଷକ ଓ ଷ୍ଟାର୍ଟଅପ୍ମାନେ ସେମାନଙ୍କ ପ୍ରତିଭା, ନୂଆ ଇଲେକଟ୍ରୋନିକ ଉତ୍ପାଦ, ସରକିଟ ଓ ଚିପ ଡିଜାଇନ ଯେପରି ପ୍ରଦର୍ଶନ କରିପାରିବେ ସେଥିପାଇଁ ଏହି ପ୍ରତିଯୋଗିତା ଉଦ୍ଦିଷ୍ଟ । ଅଂଶଗ୍ରହଣକାରୀ ଓ ଶିଳ୍ପ କର୍ମକର୍ତ୍ତାଙ୍କ ସହଯୋଗ ଓ ସମର୍ଥନରେ ସେମାନେ ଏହା କରିପାରିବେ । ଏହାଛଡ଼ା ଆଇ.ଇ.ଏସ.ଏ ଓଡ଼ିଶା ଚାପ୍ଟର ଓ କ୍ୟାମ୍ପସ କନେକ୍ଟ ପ୍ରୋଗ୍ରାମ ଭଳି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ରାଜ୍ୟରେ ନୂଆ ଉଦ୍ଭାବନ, ଦକ୍ଷତା ବିକାଶ ଏବଂ ଶିଳ୍ପ ଶିକ୍ଷା ପରିସର ସହଯୋଗ ସହ ଓଡ଼ିଶାକୁ ସେମିକଣ୍ଡକ୍ଟର ଗବେଷଣା ଓ ବିକାଶର କେନ୍ଦ୍ର ଭାବେ ପରିଣତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ଓଡ଼ିଶା ଫର ସିଲିକନ -୨୦୨୩ର ଆକର୍ଷଣ ଥିଲା ଶିଳ୍ପ, ଶିକ୍ଷାବିତ ଓ ସରକାରଙ୍କ ବିଶିଷ୍ଟ ବିଶେଷଜ୍ଞମାନଙ୍କୁ ନେଇ ପ୍ୟାନେଲ ଆଲୋଚନା ହୋଇଥିଲା । ସେମିକଣ୍ଡକ୍ଟର ଟେକ୍ନୋଲୋଜିର ଭବିଷ୍ୟତ, ଏହି କ୍ଷେତ୍ରରେ ରହିଥିବା ଆହ୍ଵାନ ଓ ସୁଯୋଗ, ଓଡ଼ିଶାରେ ପ୍ରତିଭାର ରୂପାନ୍ତରଣ ଏବଂ ଏ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ରଣନୀତି ଉପରେ ଏହିସବୁ ଆଲୋଚନା ଆଧାରିତ ଥିଲା । ଆଲୋଚନା ସମୟରେ ଯେଉଁ ଜ୍ଞାନର ଆଦାନପ୍ରଦାନ ହୋଇଥିଲା, ତାହା ଆଗାମୀ ସମୟରେ ସେମିକଣ୍ଡକ୍ଟର କ୍ଷେତ୍ରରେ ରାଜ୍ୟର ରଣନୀତିକ ଯୋଜନାକୁ ମାର୍ଗଦର୍ଶନ କରିବ ବୋଲି ଆଶା କରାଯାଉଛି ।
ଏହାବ୍ୟତୀତ, ବିଜ୍ଞପ୍ତି ଜାରି ହୋଇ ସାରିଥିବା ଓଡ଼ିଶା ସେମିକଣ୍ଡକ୍ଟର ମାନୁଫାକ୍ଟରିଂ ଆଣ୍ଡ ଫ୍ୟାବଲାସ ପଲିସି, ୨୦୨୩ ନିବେଶକମାନଙ୍କୁ ସବୁଠାରୁ ପ୍ରତିଦ୍ବନ୍ଦିତାମୂଳକ ଏବଂ ବ୍ୟାପକ ସୁଯୋଗ ପ୍ରଦାନ କରିବ । ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସେମିକଣ୍ଡକ୍ଟର ଫ୍ୟାବ ଏବଂ ଫ୍ୟାବ୍ଲାସ ଇନୋଭେସନ ଆଣ୍ଡ ଏକ୍ସିଲରେସନ ପ୍ରୋଗ୍ରାମ ମଧ୍ୟ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ଵାରା ଷ୍ଟାର୍ଟଅପ, ଏମ.ଏସ.ଏମ.ଇ, ଶିକ୍ଷାନୁଷ୍ଠାନ, ସଂସ୍ଥାଗତ ଗବେଷକ ଏବଂ ଛାତ୍ରଛାତ୍ରୀ ଇ.ଡି.ଏ. ଉପକରଣ ଏବଂ ଆଇ.ପି. ଭଣ୍ଡାର, ମୂଳପାଣ୍ଠି ଯୋଗାଣ ଏବଂ ଗବେଷଣା ଅନୁଦାନ ବ୍ୟବସ୍ଥା, ବଜାର ପ୍ରବେଶ, ପରାମର୍ଶ ଓ ଭିତ୍ତିଭୂମି ସହାୟତା ଏବଂ ଏକ ସାଧାରଣ ସୁବିଧା କେନ୍ଦ୍ର ଆଦିର ସୁଯୋଗ ନେଇପାରିବେ ।
ରାଜ୍ୟ ସେମିକଣ୍ଡକଟର ଉତ୍ପାଦନ ଓ ଫ୍ୟାବ୍ଲସ୍ ପଲିସି -୨୦୨୩ର ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏଥିରେ ପୁଞ୍ଜି ନିବେଶକାରୀମାନଙ୍କ ପାଇଁ ସହାୟତାର ବିସ୍ତୃତ ବନ୍ଦୋବସ୍ତ କରାଯାଇଛି । ଓଡ଼ିଶାର ଏହି ନୀତି ଅନ୍ୟମାନଙ୍କ ଫ୍ୟାବ ଓ ଫ୍ୟାବଲସ ନୀତି ତୁଳନାରେ ଯଥେଷ୍ଟ ଉନ୍ନତ ଓ ଆକର୍ଷଣୀୟ । ସରକାର ରାଜ୍ୟବାସୀଙ୍କ ସାମଗ୍ରୀକ ବିକାଶ ପାଇଁ ଉତ୍ସର୍ଗୀକୃତ । ଇ.ଏସ.ଡି.ଏମ ଓ ସେମିକଣ୍ଡକ୍ଟର ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ପଦକ୍ଷେପ ନେଇ ସରକାର ଓଡ଼ିଶାକୁ ନିବେଶକ, ଉଦ୍ୟୋଗୀ ଓ ଉଦ୍ଭାବକଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବେ ଉପସ୍ଥାପିତ କରିବା ଲକ୍ଷ୍ୟରେ ଯାତ୍ରା ଜାରି ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ୭୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ।
ଏହା ବି ପଢନ୍ତୁ...ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ କେନାଲ ପ୍ରକଳ୍ପ, ଶୀଘ୍ର ସାରିବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ