ଓଡିଶା

odisha

ETV Bharat / state

Odisha Flood: ବର୍ଷା ଓ ବନ୍ୟାରେ 21 ଜିଲ୍ଲା ବେହାଲ; 2 ମୃତ୍ୟୁ, 4.11 ଲକ୍ଷ ପ୍ରଭାବିତ - Odisha Rains

ରାଜ୍ୟରେ ଲଗାଣ ବର୍ଷା ପରେ ବନ୍ୟା ସୃଷ୍ଟି ହୋଇଛି । ରାଜ୍ୟର 21ଟି ଜିଲ୍ଲାର ମୋଟ 136ଟି ବ୍ଲକର 1889ଟି ଗାଁ ଓ 26ଟି ପୌରାଞ୍ଚଳର 101ଟି ୱାର୍ଡ ପ୍ରଭାବିତ ହୋଇଛି । ଫଳରେ 4 ଲକ୍ଷ 11 ହଜାର 338 ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଅଧିକ ପଢନ୍ତୁ

ବର୍ଷା ଓ ବନ୍ୟାରେ 21 ଜିଲ୍ଲା ବେହାଲ; 2 ମୃତ୍ୟୁ, 4.11 ଲକ୍ଷ ପ୍ରଭାବିତ
ବର୍ଷା ଓ ବନ୍ୟାରେ 21 ଜିଲ୍ଲା ବେହାଲ; 2 ମୃତ୍ୟୁ, 4.11 ଲକ୍ଷ ପ୍ରଭାବିତ

By

Published : Aug 4, 2023, 10:50 PM IST

ଭୁବନେଶ୍ବର: ରାଜ୍ୟବ୍ୟାପୀ ଲଗାଣ ବର୍ଷା ଓ ପରେ ବନ୍ୟା । ବର୍ଷା ଓ ବନ୍ୟା ପ୍ରଭାବ କମୁଛି । କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢୁଛି । ଏହାରି ଭିତରେ ଆସିଛି ରାଜ୍ୟ ସରକାରଙ୍କ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ । ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ହୋଇଛି ଏହି ରିପୋର୍ଟ । ଚଳିତ ବର୍ଷା ଓ ବନ୍ୟାରେ ରାଜ୍ୟର 21 ଜିଲ୍ଲାର ପ୍ରାୟ 4 ଲକ୍ଷ 11 ହଜାର ଲୋକ ପ୍ରଭାବିତ ହୋଇଛି । 2 ଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଥିବାବେଳେ 2329 ଘର ନଷ୍ଟ ହୋଇଛି । ସେହିପରି 5ଟି ସ୍ଥାନରେ ଘାଇ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି ।

ବର୍ଷା ଓ ବନ୍ୟାରେ 21 ଜିଲ୍ଲା ବେହାଲ; 2 ମୃତ୍ୟୁ, 4.11 ଲକ୍ଷ ପ୍ରଭାବିତ

ରାଜ୍ୟରେ ଲଗାଣ ବର୍ଷା ପରେ ବନ୍ୟା ସୃଷ୍ଟି ହୋଇଛି । ରାଜ୍ୟର 21ଟି ଜିଲ୍ଲାର ମୋଟ 136ଟି ବ୍ଲକର 1889ଟି ଗାଁ ଓ 26ଟି ପୌରାଞ୍ଚଳର 101ଟି ୱାର୍ଡ ପ୍ରଭାବିତ ହୋଇଛି । ଫଳରେ 4 ଲକ୍ଷ 11 ହଜାର 338 ଜଣ ଲୋକ ପ୍ରଭାବିତ ହୋଇଛନ୍ତି । 51678 ଜଣ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ବର୍ଷା ଓ ବନ୍ୟା ଯୋଗୁ ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ବର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ 57ଟି ବ୍ଲକର 398ଟି ପଂଚାୟତର 1416 ଗାଁ ଏବଂ 12ଟି ପୌରାଂଚଳର 45ଟି ୱାର୍ଡର ମୋଟ 3 ଲକ୍ଷ 99 ହଜାର 630 ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏସବୁ ଜିଲ୍ଲାର 48874 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । 206ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ଓ ବନ୍ୟା ଯୋଗୁ ଏହି 11ଟି ଜିଲ୍ଲାର 1590 ଟି ଘର ନଷ୍ଟ ହୋଇଛି । ଚଳିତବର୍ଷ ବନ୍ୟାରେ ଦୁଇଟି ମୃତ୍ୟୁ ଘଟଣା ସରକାରୀ ଭାବେ କୁହାଯାଇଛି । କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ବର୍ଷା ଓ ବନ୍ୟାରେ 21 ଜିଲ୍ଲା ବେହାଲ; 2 ମୃତ୍ୟୁ, 4.11 ଲକ୍ଷ ପ୍ରଭାବିତ

ଏହାବି ପଢନ୍ତୁ- Heavy Rain Hits Odisha: କାଲି ଯାଏଁ ଜାରି ରହିବ ବର୍ଷା, 10 ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ସେହିପରି ଲଗାଣ ବର୍ଷା ଯୋଗୁ ରାଜ୍ୟର 10ଟି ଜିଲ୍ଲା ବରଗଡ଼, ବଲାଙ୍ଗିର, ଢେଙ୍କାନାଳ,ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ମୋଟ 79ଟି ବ୍ଲକର 269ଟି ପଂଚାୟତର 473ଟି ଗାଁ ଏବଂ 14ଟି ପୌରାଞ୍ଚଳର 56ଟି ୱାର୍ଡ ପ୍ରଭାବିତ ହୋଇଛି । ପ୍ରାୟ 2804 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । 236ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ବିତ୍ପାତରେ ଏସବୁ ଜିଲ୍ଲାର ମୋଟ 739ଟି ଘର ନଷ୍ଟ ହେବା ସହ 11708 ଜଣ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜ୍ୟର 3ଟି ଜିଲ୍ଲା ବୌଦ୍ଧ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ମୋଟ 5ଟି ଘାଇ ହୋଇଛି । ବୌଦ୍ଧ ଜିଲ୍ଲାର କେଭିରେ ମହାନଦୀରେ 100 ମିଟର ଲମ୍ବ ନଦୀ ବନ୍ଧ ଧୋଇ ଯାଇଛି । ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ନିକଟସ୍ଥ ତେରମାଣପୁରରେ ମହାନଦୀରେ ପ୍ରାୟ 20 ମିଟର ଘାଇ ହୋଇଛି । ସେହିପରି ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକର ବନ୍ଧଡ଼ିହାରେ ବ୍ରାହ୍ମଣୀ ନଦୀରେ 10 ମିଟର ଘାଇ ହୋଇଛି । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ମଲ୍ଲିକାପୁର ଓ ଶାସନ ଗାଁ ନିକଟରେ କାଣୀ ନଦୀରେ 2 ମିଟର ଓ 5 ମିଟରର ଘାଇ ହୋଇଥିବା ଜଣାପଡ଼ିଛି । ଏ ସବୁ ଘାଇକୁ ମରାମତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଥିବା ଏସଆରସିଙ୍କ କାର୍ଯ୍ୟାଳୟ ସୂଚନା ଦେଇଛନ୍ତି ।

ବର୍ଷା ଓ ବନ୍ୟାରେ 21 ଜିଲ୍ଲା ବେହାଲ; 2 ମୃତ୍ୟୁ, 4.11 ଲକ୍ଷ ପ୍ରଭାବିତ

ଏହାବି ପଢନ୍ତୁ- ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି, ଘନେଇଲା ବନ୍ୟା ଆଶଙ୍କା

ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ କମିଛି । ହାରାହାରି 3.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । କିନ୍ତୁ ନରାଜରେ ମହାନଦୀ ଓ ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଙ୍କେତ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି । ରାତି 9ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 618.50 ଫୁଟ ରହିଛି । ହୀରାକୁଦ ଜଳଭଣ୍ଡାର ଭିତରକୁ 4 ଲକ୍ଷ 91 ହଜାର 824 କ୍ୟୁସେକ ଜଳ ପ୍ରବେଶ କରୁଛି । 12ଟି ଗେଟ ଦେଇ ହୀରାକୁଦରୁ 2 ଲକ୍ଷ 20 ହଜାର 106 କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି । ଖଇରମାଳରେ 2 ଲକ୍ଷ 46 କ୍ୟୁସେକ, ବରମୂଳରେ 3 ଲକ୍ଷ 62 ହଜାର 500 କ୍ୟୁସେକ ଓ ମୁଣ୍ଡଳୀରେ 5 ଲକ୍ଷ 30 ହଜାର 629 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ପରିସ୍ଥିତର ମୁକାବିଲା ପାଇଁ ରାଜ୍ୟ ସରକାର 16ଟି ଜିଲ୍ଲାରେ 13ଟି ଓଡ୍ରାଫ, 8ଟି ଏନଡିଆରଏଫ ଓ 85ଟି ଅଗ୍ନିଶମ ବାହିନୀ ଟିମକୁ ମୁତୟନ କରିଛନ୍ତି ।

ବର୍ଷା ଓ ବନ୍ୟାରେ 21 ଜିଲ୍ଲା ବେହାଲ; 2 ମୃତ୍ୟୁ, 4.11 ଲକ୍ଷ ପ୍ରଭାବିତ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details