ଓଡିଶା

odisha

ETV Bharat / state

ବିଜେଡି-ବିଜେପି ଭିତିରି ସମ୍ପର୍କର ପର୍ଦ୍ଦାଫାସ୍‌ ପାଇଁ ଘରକୁ ଘର ଯିବ କଂଗ୍ରେସ: ପିସିସି ସଭାପତି - ପିସିସି ସଭାପତି ଶରତ ପଟ୍ଟନାୟକ

ଓଡିଶାବାସୀଙ୍କ ବିଶ୍ବାସ ଜିତି କ୍ଷମତାକୁ ଆସିବା ନେଇ ମାଳ ମାଳ ଯୋଜନା ପ୍ରସ୍ତୁତ କରିଛି କଂଗ୍ରେସ । ଶାସକ ବିଜେଡି ନିର୍ବାଚନ ପୂର୍ବରୁ ଘର ଘର ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବାବେଳେ କଂଗ୍ରେସ ଖୁବଶୀଘ୍ର ଘର ଘର କଂଗ୍ରେସ କାର୍ଯ୍ୟକ୍ରମ ଆରମ୍ଭ କରିବ କହିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଖୁବଶୀଘ୍ର ଆରମ୍ଭ ହେବ ଘର ଘର କଂଗ୍ରେସ କାର୍ଯ୍ୟକ୍ରମ
ଖୁବଶୀଘ୍ର ଆରମ୍ଭ ହେବ ଘର ଘର କଂଗ୍ରେସ କାର୍ଯ୍ୟକ୍ରମ

By

Published : Aug 21, 2023, 9:24 PM IST

ଭୁବନେଶ୍ବର: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି । ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଥିବାବେଳେ ତୃତୀୟ ସ୍ଥାନରେରେ ଥିବା କଂଗ୍ରେସ ଏବେ ପାଦେ ଆଗକୁ ଯାଇ ଘର ସଜଡ଼ା କାମ ଆରମ୍ଭ କରିଦେଇଛି । କଂଗ୍ରେସର ମିଶନ ୯ରୁ ୯୦ । ଏହି ଲକ୍ଷ୍ୟରେ ଏବେ ଲାଗିପଡିଛି ରାଜ୍ୟ ନେତୃତ୍ବ । ପିସିସି ସଭାପତି ଶରତ ପଟ୍ଟନାୟକ ଦଳର ସ୍ଥିତି ମଜବୁତ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଆୟୁଧ କରି ଘରକୁ ଘର ଯିବାପାଇଁ ଦଳୀୟ ନେତାଙ୍କୁ ଆହ୍ବାନ କରିଛନ୍ତି ।

ତୃଣମୂଳସ୍ତରରୁ ସଂଗଠନକୁ ମଜବୁତ କରିବା ପାଇଁ ବୁଥସ୍ତରକୁ ଯିବେ ନେତା । ଓଡିଶାବାସୀଙ୍କ ବିଶ୍ବାସ ଜିତି କ୍ଷମତାକୁ ଆସିବା ନେଇ ମାଳ ମାଳ ଯୋଜନା ପ୍ରସ୍ତୁତ କରିଛି କଂଗ୍ରେସ । ଶାସକ ବିଜେଡି ନିର୍ବାଚନ ପୂର୍ବରୁ ପ୍ରଚାର କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରଖିଥିବାବେଳେ ସେପ୍ଟେମ୍ବର ପହିଲାରୁ ଘର ଘର ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ଘର ଘର ଯାଇ ରେକର୍ଡ ଷଷ୍ଠ ଥର ପାଇଁ କ୍ଷମତା ଦଖଲ କରି ଇତିହାସ ରଚିବାକୁ ଯୋଜନା କରିଛି ବିଜେଡି । ସେପଟେ ବିଜେଡିର ଏହି କାର୍ଯ୍ୟକ୍ରମକୁ ଟକ୍କର ଦେବାକୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ...ଖଡ୍‌ଗେଙ୍କ ନୂଆ ଟିମ୍‌ରେ ଓଡ଼ିଶା ନେତାଙ୍କୁ ଅଣଦେଖା, ଅସନ୍ତୋଷ ଝାଡ଼ିଲେ ରାଜ୍ୟ କଂଗ୍ରେସ ନେତା

ଘର ଘର ଯାଇ ବିଜେଡି ଓ ବିଜେପି ମଧ୍ୟରେ ଥିବା ଭିତରି ସମ୍ପର୍କକୁ ଜନସାଧାରଣଙ୍କ ସାମ୍ନାକୁ ଆଣିବାକୁ ପ୍ରୟାସ କରିବ କଂଗ୍ରେସ । ଏଥର ଲୋକେ ନିଶ୍ଚିତ ବୁଝିବେ ବୋଲି ଆଶା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "କଂଗ୍ରେସ ଦଳ ତରଫରୁ ମଧ୍ୟ ଘର ଘର କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜନ ହେବ । ଯୁବକ, ମହିଳା, ଛାତ୍ର ନେତାମାନେ ପ୍ରସ୍ତୁତ ହୋଇ ରହିଛନ୍ତି । ଆଗକୁ କଂଗ୍ରେସ ଉପରେ ଓଡ଼ିଶାର ଜନସାଧାରଣ ବିଶ୍ବାସ କରିବେ । ରାଜ୍ୟରେ ଚାଲିଥିବା ବିଜେଡି ଓ ବିଜେପି ସରକାର ଯେଉଁଭଳି ଓଡିଶାବାସୀଙ୍କ ଛଳନା କରୁଛନ୍ତି, ତାର ପର୍ଦ୍ଦାଫାସ କରିବ କଂଗ୍ରେସ । ସଂଗଠନକୁ ସୁଦୃଢ଼ କରି ତୃଣମୂଳସ୍ତରରେ କଂଗ୍ରେସ ଓଡିଶାରେ ଜନାଦୃତ ହେବ । ସେଥିପାଇଁ କଂଗ୍ରେସ ଦୁର୍ବାର ପ୍ରସ୍ତୁତି ଆରମ୍ଭ କରିଛି । ଆଗକୁ ରାହୁଲ, ପ୍ରିୟଙ୍କା, ଖଡ୍‌ଗେଙ୍କ ଭଳି ଟପ ନେତା ଓଡିଶା ଗସ୍ତରେ ଆସିବେ ।" ତେବେ ସେପ୍ଟେମ୍ବର ମାସରେ ମୁଁ ଦିଲ୍ଲୀରୁ ଫେରିବା ପରେ ଚୂଡ଼ାନ୍ତ କାର୍ଯ୍ୟକ୍ରମ ଘୋଷଣା ହେବ ବୋଲି କହିଛନ୍ତି ପିସିସି ସଭାପତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details