ଭୁବନେଶ୍ବର: ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ । ଜନମତକୁ ନିଜ ସପକ୍ଷରେ ନେବା ପାଇଁ ଜୋର ଦାର ରଣନୀତି ପ୍ରସ୍ତୁତ ଆରମ୍ଭ କରିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଦେଶରେ ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଇଣ୍ଡିଆର ନେତୃତ୍ବ ନେଉଛି କଂଗ୍ରେସ । ଏହାକୁ ନଜରରେ ରଖି ଗତକାଲି ନିଜର ଟିମ ଗଠନ କରିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ କରାଯାଇଥିବା ୩୯ ଜଣିଆ ଏହି CWC ଟିମ୍ରେ ଓଡିଶାରୁ କାହାକୁ ସ୍ଥାନ ମିଳିନାହିଁ । ବରିଷ୍ଠ ନେତା ଭକ୍ତ ଦାସଙ୍କୁ ନିମନ୍ତ୍ରିତ ସଦସ୍ୟ ଭାବେ ନିଆଯାଇଛି । ତେବେ ଏହାକୁ ନେଇ ଓଡିଶା କଂଗ୍ରେସରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପିସିସି ସଭାପତି ଏନେଇ ହାଇ କମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।
ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "CWCରେ କେବଳ ଭକ୍ତ ଚରଣ ଦାସ ନିମନ୍ତ୍ରିତ ସଦସ୍ୟ ରହିଛନ୍ତି । କିନ୍ତୁ ଆଉ କିଛି ନେତା ଏଥିରେ ସ୍ଥାନ ପାଇଥିଲେ ଆମେ ଖୁସି ହୋଇଥାନ୍ତୁ । ଦଳ ତରଫରୁ ଆମେ ହାଇ କମଣ୍ଡଙ୍କୁ ଏ ବାବଦରେ ଜଣାଇବୁ । ଆଉ କିଛି ନେତାଙ୍କୁ ଏଆଇସିସି କାର୍ଯ୍ୟକାରିଣୀରେ ସ୍ଥାନ ଦେବାକୁ ଅନୁରୋଧ କରିବୁ ।" ସେହିଭଳି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଓଡିଶା ପ୍ରତି ଏହା ଅନ୍ୟାୟ କରାଯାଇଛି । ଓଡିଶାକୁ ଅଣଦେଖା କରିଛନ୍ତି ଏଆଇସିସି ସଭାପତି । ଏତେ ବଡ଼ ରାଜ୍ୟର କେହିବି ନେତାଙ୍କୁ ସ୍ଥାନ ଦିଆଯାଇନାହିଁ । ଏହା ଦୁଃଖଦାୟକ । ଏହା ଆମ ପାଇଁ ଲଜ୍ଜ୍ୟା । ଓଡିଶା କଂଗ୍ରେସରେ କଣ କେହି ଦକ୍ଷ ନେତା ନାହାନ୍ତି ? କଣ ପାଇଁ ଓଡିଶା କଂଗ୍ରେସକୁ ଏତେ ଛୋଟ ଦେଖୁଛନ୍ତି ଏଆଇସିସି ନେତୃତ୍ବ ?" ଏ ବାବଦରେ ମୁଁ କଂଗ୍ରେସ ଶୀର୍ଷ ନେତୃତ୍ବଙ୍କୁ ଭେଟିବି ଏବଂ ଚିଠି ଲେଖିବି ବୋଲି ସୁର କହିଛନ୍ତି ।