ଭୁବନେଶ୍ବର: କଂଗ୍ରେସ ଭବନରେ ବିଜୟ ଉତ୍ସବ । ବରିଷ୍ଠ ନେତାଙ୍କ ସମେତ ଛାତ୍ର, ଯୁବ ଓ ମହିଳା କଂଗ୍ରେସର କର୍ମକର୍ତ୍ତା ଏକାଠି ହୋଇ ଉତ୍ସବ ମନାଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ କଂଗ୍ରେସରେ ଉତ୍ସାହର ମାହୋଲ । ବାଜା ବାଣରେ କମ୍ପିଲା କଂଗ୍ରେସ ଭବନ । ରାହୁଲ ଗାନ୍ଧୀ ଯେଉଁ ଧର୍ମର ଲଢେଇ ଲଢୁଥିଲେ ତାର ବିଜୟ ହୋଇଛି ବୋଲି କହିଛନ୍ତି କଂଗ୍ରେସ ନେତା । ସୁପ୍ରିମକୋର୍ଟ ରାହୁଲଙ୍କ ଜେଲ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ଦେଶବ୍ୟାପୀ କଂଗ୍ରେସ କର୍ମୀଙ୍କ ମନରେ ଏବେ ନୂଆ ଆଶା ସଂଚାର ହୋଇଛି । ଓଡ଼ିଶା କଂଗ୍ରେସର ନେତା ଓ କର୍ମୀ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।
ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ବାଜାର ତାଳେ ତାଳେ ନାଚିବା ସହିତ କର୍ମୀ ଓ ନେତାଙ୍କୁ ମିଠା ଖୁଆଇ ଉତ୍ସବ ପାଳନ କରିଛନ୍ତି । ରାଜ୍ୟ କଂଗ୍ରେସ ଭବନରେ ନେତା ଓ କର୍ମୀ ଏକାଠି ହୋଇ ପରସ୍ପର ଖୁସିରେ ମସଗୁଲ ହୋଇଛନ୍ତି । ପୁଣି ସଂସଦକୁ ରାହୁଲ ଗାନ୍ଧୀ ଯିବେ ଓ ଲୋକଙ୍କ ପାଇଁ ତାଙ୍କ ସ୍ବରକୁ ସାଣିତ କରିବେ ବୋଲି ଆଶା ରଖିଛନ୍ତି କଂଗ୍ରେସ ନେତା ।
ଏନେଇ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, "ଆଜି ଭାରତର ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଖୁସିର ଦିନ । ରାହୁଲ ଗାନ୍ଧୀ ନିର୍ଭୀକ ଭାବରେ ସତ୍ୟର ଉପସ୍ଥାପନ କରି ଆସୁଥିଲେ । ତାଙ୍କ କଣ୍ଠରୋଧ କରିବା ପାଇଁ ବିଜେପି ସରକାର ଯେଉଁଭଳି ହୀନ ଚକ୍ରାନ୍ତ କରିଥିଲେ, ଆଜି ତାର ପୂର୍ଣ୍ଣଚ୍ଛେଦ ପଡିଛି । ପୁଣିଥରେ ଦେଶବାସୀ ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିଛନ୍ତି । ପୁଣିଥରେ ରାହୁଲ ଗାନ୍ଧୀ ସଂସଦ ଭବନକୁ ଯିବେ । ଆଗାମୀ ଦିନରେ ତାଙ୍କ ସ୍ବର ଆହୁରି ଶାଣିତ ହେବ । ତାଙ୍କର ସ୍ବର ଭାରତର ସ୍ବର, ଜନତାର ସ୍ବର । ଆମେ ତାଙ୍କ ପଛରେ ଅଛୁ ।"