ଭୁବନେଶ୍ବର: ଦାୟିତ୍ବ ନେଉ ନେଉ ବିଜେଡି ସରକାର ଉପରେ ବର୍ଷିଛନ୍ତି ଓଡ଼ିଶା କଂଗ୍ରେସର ନବ ନିଯୁକ୍ତ ପ୍ରଭାରୀ ଡକ୍ଟର ଅଜୟ କୁମାର । ଆଜି ପ୍ରଥମ ଥର ପାଇଁ କଂଗ୍ରେସ ଭବନକୁ ଆସି ଦଳର ବରିଷ୍ଠ ନେତାଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ ନୂଆ ପ୍ରଭାରୀ । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ବିଜେଡି ଓ ବିଜେପି ମଧ୍ୟରେ ଥିବା ଭିତିରି ବୁଝାମଣାର ଖୁଲାସା କରିଛନ୍ତି । ପ୍ରଶାସକରୁ ବିଜେଡି ନେତା ପାଲଟିଥିବା ଭିକେ ପାଣ୍ଡିଆନ୍ଙ୍କୁ ମଧ୍ୟ କଡ଼ା ଟାର୍ଗେଟ୍ କରିଛନ୍ତି ଅଜୟ କୁମାର ।
ଅଜୟ କହିଛନ୍ତି, "ରାଜ୍ୟରେ ଯେଉଁ ବିଜେଡି ଏବଂ ବିଜେପି ମିଳିତ ସରକାର ଚାଲୁଛି ତାହା ରାଜ୍ୟ ପାଇଁ ଏକ ବିରାଟ କ୍ଷତି । ଉଭୟ ଗୋଟିଏ ଦଳ । କାରଣ ଆଜି ପର୍ଯ୍ୟନ୍ତ ବିଜେଡିର କୌଣସି ନେତାଙ୍କୁ ED ରେଡ୍ ହୋଇନାହିଁ। ରାଜ୍ୟସଭା ଏବଂ ଲୋକସଭାରେ ବିଜେପିକୁ ସର୍ବଦା ସମର୍ଥନ ଦେଇଛି ବିଜେଡି । ପ୍ରଶାସନିକ ଅଧିକାରୀଙ୍କୁ ଅବସରରେ ପରେ ମଧ୍ୟ କାର୍ଯ୍ୟକାଳ ବୃଦ୍ଧି କରାଯାଉଛି । ଓଡିଶା ପ୍ରଶାସନିକ ଅଧିକାରୀ ସୁଯୋଗ ପାଉନାହାନ୍ତି । VRS ପାଇଁ ଆବେଦନ କଲେ ସଙ୍ଗେ ସଙ୍ଗେ କେନ୍ଦ୍ର ସରକାର ମଞ୍ଜୁର ଦିଆଯାଉଛି । ଏହାର ଅର୍ଥ କଣ ହୋଇପାରେ ? ଓଡିଶା ବାହାରର ଲୋକ ଓଡିଶାକୁ ଚଳାଉଛନ୍ତି । ରାଜନୀତି ବାହାର ଲୋକ କରୁଛନ୍ତି । ବାଣିଜ୍ୟ ଓ ବେପାର ବାହାର ଲୋକେ କରୁଛନ୍ତି, ସରକାରୀ କଣ୍ଟ୍ରାକ୍ଟ କାର୍ଯ୍ୟ ବାହାର ଲୋକ କରୁଛନ୍ତି । ତେବେ ଓଡିଶା ଲୋକମାନେ କୁଆଡେ ଯିବେ ?"