୬ରୁ ଓଡ଼ିଶା ଗସ୍ତରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ନେତା ଓ ଜନ ପ୍ରତିନିଧିଙ୍କୁ ଦେବେ ଗୁରୁମନ୍ତ୍ର ଭୁବନେଶ୍ବର: ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ନିମନ୍ତେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ପୂର୍ବତନ ସାଂସଦ ଡ. ଅଜୟ କୁମାରଙ୍କର ଆସନ୍ତା ଜାନୁଆରୀ ୬ ତାରିଖରୁ ୮ ତାରିଖ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଅଜୟ କୁମାର ୬ ତାରିଖ ଦିନ ୧୧ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦନରରେ ପହଞ୍ଚିବେ । ତାଙ୍କୁ ବିମାନବନ୍ଦରଠାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅଣାଯିବ । ପରେ କଂଗ୍ରେସ ଭବନ ଠାରେ ଡ. କୁମାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ।
କଂଗ୍ରେସ ପ୍ରଭାରୀଙ୍କ ଗସ୍ତ ସୂଚୀ :
୬ ତାରିଖ ଦିନ ୧୨ ଟା ୩୦ ମିନିଟରେ ପିସିସି କାର୍ଯ୍ୟାଳୟରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଏବଂ ଅପରାହ୍ନ ୪ଟାରେ ପିସିସି ପଲିଟିକାଲ ଆଫେୟାର୍ସ କମିଟି ବୈଠକ ବସିବ । ସନ୍ଧ୍ୟା ୬ଟାରେ ୨୦୧୭ ଏବଂ ୨୦୨୨ ନିର୍ବାଚନର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଓ ଏନ୍ଏସି /ମ୍ୟୁନିସ୍ପାଲଟି/ ମହାନଗର ନିଗମର ନିର୍ବାଚିତ କାଉନ୍ସିଲର / କର୍ପୋରେଟରମାନଙ୍କ ବୈଠକରେ ଯୋଗଦେବେ ଅଜୟ କୁମାର ।
ଏହା ମଧ୍ୟ ପଢ଼ନ୍ତୁ: କଂଗ୍ରେସର 'ନିର୍ବାଚନ ଏବଂ ନ୍ୟାୟ ଯାତ୍ରା' ଷ୍ଟ୍ରାଟେଜି, ଖଡ଼ଗେ-ରାହୁଲଙ୍କ ମାନସ ମନ୍ଥନ
ଜାନୁଆରୀ ୭ ତାରିଖରେ ପ୍ରଭାରୀ ଅଜୟ କୁମାର ସକାଳ ୧୦ଟାରେ ପିସିସି ଇସ୍ତାହାର କମିଟି, ପ୍ରଚାର କମିଟି, ପ୍ରୋଗ୍ରାମ ଇମ୍ପ୍ଲିମେଂଟେସନ, ପବ୍ଲିସିଟି ଓ ପବ୍ଳିକେସନ କମିଟିର ଅଧ୍ୟକ୍ଷ ମାନଙ୍କର ବୈଠକ ନେବେ । ସେହିପରି ସକାଳ ୧୧ଟା ୫ ମିନିଟରେ ଅଜୟ କୁମାର ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବେ । ୧୧ଟା ୩୦ ମିନିଟରେ ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ମାନଙ୍କର ବୈଠକ, ଅପରାହ୍ନ ୩ଟାରେ ରାଜ୍ୟ ସାମ୍ମୁଖ୍ୟ ସଂଗଠନର ମୁଖ୍ୟ, ୪ଟାରେ ସମସ୍ତ ପ୍ରଦେଶ କଂଗ୍ରେସ ବିଭାଗ ଓ ପ୍ରକୋଷ୍ଠ ମୁଖ୍ୟମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରେ ସଂଧ୍ୟା ୫ଟାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଆଲୋଚନା କରିବେ ପ୍ରଭାରୀ । ୭ ତାରିଖ ସଂଧ୍ୟାରେ ଅଜୟ କୁମାର ଜଗନ୍ନାଥ ଦର୍ଶନ ନିମନ୍ତେ ପୁରୀ ଅଭିମୁଖେ ଯାତ୍ରା କରିବେ । ୮ ତାରିଖ ସକାଳେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବା କାର୍ଯ୍ୟକ୍ରମ ରହିଛି।
ଏହା ମଧ୍ଯ ପଢ଼ନ୍ତୁ: ବଦଳିଲେ ପିସିସି ପ୍ରଭାରୀ: ଚେଲ୍ଲା ଗଲେ, ଆସିଲେ ଅଜୟ
ସମସ୍ତ ବର୍ଗର ନେତୃବୃନ୍ଦଙ୍କୁ ନିର୍ଦ୍ଧାରିତ ସମୟରେ ବୈଠକରେ ଯୋଗଦେବା ନିମନ୍ତେ ପତ୍ର ମାଧ୍ୟମରେ ଓ ଟେଲିଫୋନ ଯୋଗେ ଅନୁରୋଧ କରିଛି ପିସିସି କାର୍ଯ୍ୟାଳୟ। କୌଣସି କାରଣ ବଶତଃ କେହି ନେତୃବୃନ୍ଦ ଏ ସଂପର୍କରେ ଅବଗତ ହୋଇପାରିନଥିବେ । ସେମାନେ ଏହି ସମ୍ବାଦକୁ ନିମନ୍ତ୍ରଣ ମନେ କରି ନିଜ ପାଇଁ ଉଦ୍ଦିଷ୍ଟ ବୈଠକରେ ନିର୍ଦ୍ଧାରିତ ସମୟରେ ଯୋଗଦେବାକୁ ପିସିସି ପକ୍ଷରୁ ଅନୁରୋଧ କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର