ଓଡିଶା

odisha

ଲଗାତାର ଟ୍ରେନ ଦୁର୍ଘଟଣା, ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

By ETV Bharat Odisha Team

Published : Oct 30, 2023, 8:18 PM IST

Updated : Oct 30, 2023, 9:53 PM IST

ଦେଶରେ ଘଟୁଛି ଲଗାତାର ଟ୍ରେନ ଦୁର୍ଘଟଣା । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

Congress pc
Congress pc

ଲଗାତାର ଟ୍ରେନ ଦୁର୍ଘଟଣା, ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ମନରୁ ନ ଲିଭୁଣୁ ପୁଣି ଘଟିଛି ଆନ୍ଧ୍ରପ୍ରଦେଶରେ ଟ୍ରେନ ଦୁର୍ଘଟଣା । ଏହି ଲଗାତାର ଟ୍ରେନ ଦୁର୍ଘଟଣା ପାଇଁ ନୈତିକକା ଦୃଷ୍ଟିରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କଲା କଂଗ୍ରେସ । କଂଗ୍ରେସ କହିଛି ଓଡ଼ିଶାର ଲଜ୍ଜା ଓ ଦେଶବାସୀଙ୍କ ଦୁଃଖ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଏଭଳି କହିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "ଓଡ଼ିଶାରୁ ଉଭୟ ବିଜେଡ଼ି ଓ ବିଜେପିର ସମର୍ଥନରେ ମିଳିତ ପ୍ରାର୍ଥୀ ଭାବରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଥିବା ଅଶ୍ବିନୀ ବୈଷ୍ଣବ ଆଜି ଓଡ଼ିଶାର ଲଜ୍ଜା ଓ ଦେଶବାସୀଙ୍କ ପାଇଁ ଦୁଃଖ ପାଲଟିଛନ୍ତି । ପୂର୍ବରୁ ରେଳବିଭାଗ ପାଇଁ ଏକ ସ୍ବତନ୍ତ୍ର ବଜେଟ ସଂସଦରେ ଉପସ୍ଥାପନ କରାଯାଉଥିଲା । କିନ୍ତୁ ମୋଦି ସରକାରଙ୍କ ସମୟରେ ରେଳ ବେଜଟ ସାଧାରଣ ବଜେଟ ଭିତରେ ମିଶାଇ ଦିଆଯିବା ଫଳରେ ରେଳ ବଜେଟର ଅନେକ ବୈଷୟିକ କାର୍ଯ୍ୟକଳାପ ଓ ଆର୍ଥିକସ୍ଥିତି ବିଷୟରେ ସାଧାରଣ ଜନତାଙ୍କର ଜାଣିବାର ସୁଯୋଗ ନାହିଁ ।"

ବନ୍ଦେ ଭାରତ ଏକ୍ସପ୍ରେସ ଭଳି ଏକ ନିର୍ଦ୍ଦିଷ୍ଟ ଟ୍ରେନକୁ ଅତ୍ୟଧିକ ବେଗରେ ଚଳାଇବା ପାଇଁ ଯେଉଁ ତୁଚ୍ଛା ପ୍ରତିଯୋଗିତା ଆରମ୍ଭ କରାଯାଇଛି ସେଥିରେ ସାଧାରଣ ଭାବରେ ଚଳାଚଳ କରୁଥିବା ସୁପରଫାଷ୍ଟ, ଏକ୍ସପ୍ରେସ ଏବଂ ପାସେଞ୍ଜର ଟ୍ରେନ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ବିପନ୍ନ ହୋଇଛି । ୨୦୦୦ ମସିହାରୁ ୨୦୨୩ ମସିହା ଭିତରେ ଟ୍ରେନର ସଂଖ୍ୟାରେ ୭୦% ବୃଦ୍ଧି ପାଇବା ବେଳେ ସେହି ତୁଳନାରେ ଅଧିକ ସଂଖ୍ୟକ ରେଲୱେ ଟ୍ରାକ ବିଛାଇବା କାର୍ଯ୍ୟ ଆଦୌ କରାଯାଇ ନାହିଁ । ରେଲୱେ ସିଗନାଲ ସିଷ୍ଟମରେ ବ୍ୟାପକ ବୈଷୟୀକ ତୃଟି ଯୋଗୁଁ ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଏବଂ ପରବର୍ତ୍ତୀ ଅବସ୍ଥାରେ ଦେଶରେ ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ନଷ୍ଟ ହେବା ସହ ଅନେକ ଲୋକ ଅକାଳରେ ମୃତ୍ୟୁବରଣ କରିଛନ୍ତି ।

ଏହା ବି ପଢନ୍ତୁ- ସିଗନାଲ ଉପରେ କଟକଣା ଥାଇ ମଧ୍ୟ ଗାଡ଼ି ଗଡିଲା, CRS ସ୍ତରରେ ହେବ ତଦନ୍ତ: CPRO

ଗତକାଲି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାରେ ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଘଟିଥିବା ଦୁର୍ଘଟଣା ଅତିବ ଦୁଃଖଦାୟକ । ଏଥିରେ ବର୍ତମାନ ସୁଦ୍ଧା ୧୪ରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହିତ ସଂଖ୍ୟାଧିକ ଲୋକ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏତେ ଦୁର୍ଘଟଣା ଘଟିବା ସତ୍ତ୍ବେ ରେଳମନ୍ତ୍ରୀ କିଛି ଶିକ୍ଷାଲାଭ କଲାଭଳି ଲାଗୁନାହିଁ । ତେଣୁ ଓଡ଼ିଶାକୁ ଜାତୀୟସ୍ତରରେ ଅଧିକ ଲଜ୍ଜିତ ହେବାକୁ ନଦେଇ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦେବାପାଇଁ ଦାବି କଲା କଂଗ୍ରେସ ।

ଦେଶରେ ରେଳବିଭାଗର ସୁରକ୍ଷା ସମ୍ପର୍କିତ ପଦବୀ କ୍ଷେତ୍ରରେ ୧ ଲକ୍ଷ ୪୦ ହଜାର ପଦବୀ ଖାଲିଥିବା ବେଳେ ସମୁଦାୟ ୩ ଲକ୍ଷ ୧୨ ହଜାର ପଦବୀ ଖାଲି ପଡ଼ିଛି । ଏଗୁଡ଼ିକୁ ଅଗ୍ରାଧିକାର ଭିତିରେ ପୂରଣ କରିବାର କୌଣସି କାର୍ଯ୍ୟକ୍ରମ ହାତକୁ ନିଆଯାଉ ନାହିଁ । ଦେଶରେ ମେ ମାସ ୨୦୨୨ ମସିହା ଠାରୁ ଏପ୍ରିଲ ମାସ ୨୦୨୩ ମସିହା ଭିତରେ ସମୁଦାୟ ୫୧ ହଜାର ଥର ରେଲ ସିଗନାଲିଂ ସିଷ୍ଟମ ଫେଲ ମାରିଛି । କିନ୍ତୁ ଏ ତ୍ରୁଟିକୁ ସୁଧାରିବାପାଇଁ ମୋଦି ସରକାର ଏବଂ ରେଳମନ୍ତ୍ରୀଙ୍କ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ଅଦ୍ୟାବଧି ହାତକୁ ନିଆଯାଇ ନାହିଁ । ରେଳ ଭଡ଼ା ଆଗ ଅପେକ୍ଷା ଦୁଇଗୁଣା ବଢ଼ିଥିବା ବେଳେ ରେଳ ଯାତ୍ରୀଙ୍କର ସୁରକ୍ଷାକୁ ସମ୍ପୁର୍ଣ୍ଣ ଭାବରେ ନଜର ଅନ୍ଦାଜ କରାଯାଉଛି ବୋଲି କହିଛି କଂଗ୍ରେସ ।

ତଥ୍ୟ କୁହେ ୨୦୧୬-୧୭ ମସିହାରେ ୧୫୫୦ କୋଟି ଟଙ୍କା ବ୍ୟୟବରାଦ ରାଶିରୁ ମାତ୍ର ୮୭୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ମୁଖପାତ୍ର ପ୍ରଶାନ୍ତ ଶତପଥୀ । ସେହିଭଳି ୨୦୧୭-୧୮ରେ ୫୧୦୨ କୋଟିରୁ ମାତ୍ର ୭୭୬ କୋଟି ଖର୍ଚ୍ଚ କରାଯାଇଛି । ୨୦୧୮-୧୯ ରେ ୫୨୫୨ କୋଟିରୁ ୧୦୪୮ କୋଟି ଖର୍ଚ୍ଚ ହୋଇଛି । ୨୦୧୯-୨୦ ରେ ୫୯୯୩ କୋଟିରୁ ପାଖାପାଖି ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଓଡ଼ିଶାରେ ବଜେଟ ବ୍ୟୟବରାଦ ରାଶି ଖର୍ଚ୍ଚ ହେଉନଥିବାରୁ ରେଳ ବିଭାଗର ଯାତ୍ରୀ ସୁରକ୍ଷା ସଂପୂର୍ଣ୍ଣରୂପେ ବିପର୍ଯ୍ୟସ୍ତ ହୋଇଛି । ତେଣୁ କଂଗ୍ରେସର ଦାବି ନିଜର ଅପାରଗତା ପାଇଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗି ରେଳମନ୍ତ୍ରୀ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 30, 2023, 9:53 PM IST

ABOUT THE AUTHOR

...view details