ଭୁବନେଶ୍ବର: ରାଜ୍ୟରେ ଜିଏସଟି ହାରରେ ଉଲ୍ଲେଖନୀୟ ଅଭିବୃଦ୍ଧି । 2023 ଡିସେମ୍ବରରେ ଜିଏସଟି ସଂଗ୍ରହରେ ରେକର୍ଡ କଲା ଓଡ଼ିଶା । 2022 ଅପେକ୍ଷା 2023ରେ ପାଖାପାଖି 70 ପ୍ରତିଶତ ଅଧିକ ଜିଏସଟି ସଂଗ୍ରହ କରାଯାଇଛି । ୨୦୨୩ ମସିହା ଡିସେମ୍ବର ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ବାବଦକୁ ଓଡ଼ିଶା ଦ୍ୱିତୀୟ ସର୍ବାଧିକ ଜିଏସଟି ସଂଗ୍ରହ କରିଛି । ଡିସେମ୍ବରରେ ୨୫୭୮.୦୫ କୋଟି ଟଙ୍କା ଜିଏସଟି ଆଦାୟ କରାଯାଇଛି ।
ତେବେ ୨୦୨୨ ମସିହା ଡିସେମ୍ବର ମାସରେ ୧୫୧୫.୮୮ କୋଟି ଟଙ୍କା ଜିଏସଟି ବାବଦରେ ଆଦାୟ କରାଯାଇଥିବା ବେଳେ 2023 ଆର୍ଥିକ ବର୍ଷ ଡିସେମ୍ବର ମାସ ସୁଦ୍ଧା ରାଜ୍ୟ ଜିଏସଟି -ସମନ୍ବିତ ଜିଏସଟି ଫଇସଲା ବାବଦକୁ ୧୭ ହଜାର ୪୧୯ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସଂଗ୍ରହ କରାଯାଇଛି । ଗତ ଆର୍ଥିକ ବର୍ଷର ଡିସେମ୍ବର ମାସ ସୁଦ୍ଧା ଏହି ସଂଗ୍ରହ ରାଶି ୧୩ ହଜାର ୨୩୫ କୋଟି ଟଙ୍କା ଥିଲା । ୩୧.୬୧ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ଅନ୍ୟପଟେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରରେଟ ଅଧୀନରେ ପରିଚାଳିତ ହେଉଥିବା ବିଭିନ୍ନ ଟିକସ ବ୍ୟବସ୍ଥା ଯଥା, ରାଜ୍ୟ ଜିଏସଟି, ସମନ୍ବିତ ଜିଏସଟି ଫଇସଲା, ମୂଲ୍ୟଯୁକ୍ତ କର, ପ୍ରବେଶ କର ଓ ବୃତ୍ତିଗତ କର ବାବଦକୁ ୨୦୨୩ ମସିହା ଡିସେମ୍ବର ମାସରେ ୩ ହଜାର ୬୬୫କୋଟି ଟଙ୍କା ସଂଗୃହୀତ ହୋଇଥିଲା । ୨୦୨୨ ମସିହା ଡିସେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨ ହଜାର ୫୧୦ କୋଟି ଟଙ୍କାରୁ ଅଧିକ । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ୪୫.୯୮ ପ୍ରତିଶତ ରହିଛି । ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ମାସ ସୁଦ୍ଧା ସମସ୍ତ ଟିକସ ଅଧୀନରେ ମୋଟ ସଂଗ୍ରହ ପରିମାଣ ୨୬ ହଜାର ୦୮୯ କୋଟି ଟଙ୍କା ରହିଥିଲା । ୨୦୨୨ ମସିହା ଡିସେମ୍ବର ତୁଳନାରେ ଏହାର ଅଭିବୃଦ୍ଧି ହାର ୨୧.୬୮ ପ୍ରତିଶତ ରହିଛି।