ଭୁବନେଶ୍ବର: ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ପରବର୍ତ୍ତୀ ଉଚ୍ଚସ୍ତରୀୟ ସମୀକ୍ଷା ଆରମ୍ଭ । ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବା ପାଇଁ ନୀତିଗତ ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାର ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ସରକାର ଦେବେ ଜମିପଟ୍ଟା । ସେହିପରି ଗଞ୍ଜାମ ସୋରଡା ବ୍ଲକର ୧୭ଟି ଗାଁର ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ମିଳିବ ପଟ୍ଟା । ସୋରଡାରେ ଅକ୍ଟୋବର ପହିଲାରୁ ଓ ଝାରସୁଗୁଡାରେ ଡିସେମ୍ବର ପହିଲାରୁ ପଟ୍ଟା ବଣ୍ଟନ ହେବ । ବର୍ଷ ବର୍ଷର ସମସ୍ୟା ୫ ଦିନରେ ସମାଧାନ ହେବ । ସେପ୍ଟେମ୍ବର ମଧ୍ୟ ଭାଗରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଭିଯୋଗ ସମାଧାନର ଅଗ୍ରଗତି ସମୀକ୍ଷା କରିବେ ।
ଏହାବି ପଢନ୍ତୁ- ନିର୍ବାଚନୀ ଥୋପ; ଶ୍ରମିକ କଲ୍ୟାଣ ବୋର୍ଡରେ ସାମିଲ ହେବେ ୫୦ ବର୍ଗ
ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କର ଜିଲ୍ଲା ଗସ୍ତ ଶେଷ ହୋଇଛି । ଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ସେ ଲୋକଙ୍କଠାରୁ ପାଇଥିଲେ । ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା ସଂପର୍କରେ ଲୋକେ ୫ଟି ସଚିବଙ୍କୁ ଜଣାଇଥିଲେ । ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଗଞ୍ଜାମ ଓ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।