Odisha CM flags off 181 Mobile Veterinary vehicles ଭୁବନେଶ୍ବର:କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୮୧ଟି ଭେଟେରିନାରି ମୋବାଇଲ ୟୁନିଟ ଗାଡ଼ିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଜନା ଅଧୀନରେ ଏହି ନୂଆ ମୋବାଇଲ ୟୁନିଟ ଘରେ ଘରେ ପହଞ୍ଚି ପ୍ରାଣୀ ଚିକିତ୍ସା ଯୋଗାଇବ । ପତାକା ଦେଖାଇ ଏହି ଗାଡିକୁ ଶୁକ୍ରବାର ଶୁଭାରମ୍ଭ କରିଛିଥିଲେ ମୁଖ୍ୟମନ୍ତ୍ରୀ ।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ପ୍ରାଣୀ ଚିକିତ୍ସାଳୟରୁ ଦୂରରେ ବହୁ ଗାଁ ରହିଛି । ଗାଁରେ ପଶୁ ପାଳନ କରୁଥିବା ତଥା କୃଷକମାନଙ୍କୁ ଘରେ ହିଁ ପ୍ରାଣୀ ଚିକିତ୍ସା ସେବା ଯୋଗାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ସେଥିପାଇଁ ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟ କାର୍ଯ୍ୟ କରୁଛି । ପଶୁ ପାଳକଙ୍କ ଜୀବନକୁ ଅଧିକ ସହଜ କରିବା ମୋ ସରକାରର ଲକ୍ଷ୍ୟ । ସେମାନଙ୍କ ଆୟକୁ ବୃଦ୍ଧି କରିବା ଏବଂ ସେମାନଙ୍କ ମୁହଁରେ ହସ ଆଣିବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ପଶୁ ସମ୍ପଦ ବିକାଶ କ୍ଷେତ୍ରକୁ ପରବର୍ତ୍ତୀ ସ୍ତରର ଅଭିବୃଦ୍ଧି ବୋଲି ଚିହ୍ନଟ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଆସୁନି ସୁଧାର, ପଶୁ ଡାକ୍ତରଖାନା କରିବାକୁ ଦାବି
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ପ୍ରାଣୀ ସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ ଲୋକଙ୍କ ଜୀବିକା ପରିଚାଳନା ପାଇଁ ପ୍ରାଣୀ ଚିକିତ୍ସା ଏବଂ ପରାମର୍ଶଦାତା ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ବର୍ତ୍ତମାନ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ 30 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସମସ୍ତ ଜିଲ୍ଲାରେ 181ଟି ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟ ବ୍ୟବହାର ପାଇଁ ନିଜସ୍ୱ ଯାନ ଯୋଗାଇ ଦିଆଯାଇଛି । ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟ କୃଷକମାନଙ୍କୁ ନେଇ ସଚେତନତା ଶିବିର ଆୟୋଜନ କରିବ । ଏହା ବ୍ୟତୀତ ପଶୁ ସ୍ୱାସ୍ଥ୍ୟ ସେବା, ଜଟିଳ ଅସ୍ତ୍ରୋପଚାର, ଟୀକାକରଣ ଏବଂ ଡାଇଗ୍ନୋଷ୍ଟିକ ସେବା ମାଧ୍ୟମରେ କୃଷକମାନଙ୍କୁ ପ୍ରାଣୀ ଚିକିତ୍ସା ସେବା ଏବଂ ପଶୁପାଳନ ପରାମର୍ଶଦାତା ସେବା ଯୋଗାଇବ । ଏହି ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟ ଗୁଡିକରେ ନୂତନ ଟେକ୍ନୋଲୋଜି ବ୍ୟବହାର କରି ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଏଥିରେ ଜିପିଏସ ବ୍ୟବସ୍ଥା ମଧ୍ୟ ରହିଛି ।
ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ରାଜ୍ୟରେ ପଶୁ ସମ୍ପଦର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବହୁ ପଦକ୍ଷେପ ନେଇଛନ୍ତି । ଏହି ପଶୁ ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟ ରାଜ୍ୟରେ ପଶୁ ସମ୍ପଦର ବିକାଶକୁ ଏକ ନୂତନ ଉଚ୍ଚତାକୁ ନେବ । ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ, 5ଟି ସଚିବ ଭି.କେ ପାଣ୍ଡିଆନ, ବିଭାଗୀୟ ନିର୍ଦ୍ଦେଶକ, ପଶୁପାଳନ ଏବଂ ପଶୁ ଚିକିତ୍ସା ସେବା ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର