ଭୁବନେଶ୍ବର: ବିଏମସିରେ ବଢ଼ିଲା ପଦବୀ ସଂଖ୍ୟା। ପୂର୍ବରୁ ୨୧୦ଟି ପଦବୀ ଥିବାବେଳେ ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ହୋଇଛି। ଅର୍ଥାତ ନିଗମ ପାଇଁ ୪୧୬ଟି ନୂତନ ପଦବୀ ସୃଷ୍ଟି ହୋଇଛି । ନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି ହୋଇଛି। ସେହିପରି ଡ୍ରେନେଜ ବିଭାଗରେ ୨୦ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ପ୍ରତି ୱାର୍ଡ ପାଇଁ ରହିବେ ସ୍ବତନ୍ତ୍ର ୱାର୍ଡ ଅଫିସର । ଭୁବନେଶ୍ବର ମହାନଗର ନିଗମ ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ ରୂପେ ପରିଗଣିତ ହୋଇଛି ।
ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ବରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଦିଗରେ ଭୁବନେଶ୍ବର ମହାନଗର ନିଗମର ଗୁରୁଦାୟିତ୍ବ ରହିଛି। ତେଣୁ ଏହି ଗୁରୁଦାୟିତ୍ୱକୁ ସୁଚାରୂରୂପେ ପାଳନ ପାଇଁ ବିଏମସିର ଏହି ନବକଳେବର ହୋଇଛି। ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଏହାର ଦାୟିତ୍ବ ନିୟମିତ ଭାବେ ବଢିଚାଲିଛି। ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିବାବେଳେ ବିଏମସିର ଏହି ନୂତନ ଦାୟିତ୍ୱ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ବର ମେୟର ।
ତେବେ ପୂର୍ବରୁ ନିଗମର ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଆଡିସନାଲ କମିଶନର ପଦବୀ ଥିବାବେଳେ, ବର୍ତ୍ତମାନ ଆଉ ୩ଟି ଆଡିସନାଲ କମିଶନର ପଦବୀ ସୃଷ୍ଟି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି । ସେହିପରି ୬ଟି ନୂତନ ଜୋନାଲ କମିଶନର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ପୂର୍ବରୁ ୩ଟି ଡେପୁଟି କମିଶନର ପଦବୀ ଥିବାବେଳେ, ଏଥିରେ ୧୩ଟି ନୂତନ ପଦବୀ ସୃଷ୍ଟି କରାଯାଇ ସମୁଦାୟ ଡେପୁଟି କମିଶନର ପଦବୀ ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି । ଏହାସହିତ ପୂର୍ବରୁ ୪ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ଥିବାବେଳେ ଆଉ ୯ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୩ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ରଖାଯାଇଛି ।
ଏହା ବି ପଢନ୍ତୁ...ଟିକସ ଫାଙ୍କିଲେ ହୋଇଯାଆନ୍ତୁ ସାବଧାନ, କାର୍ଯ୍ୟାନୁଷ୍ଠାନ ନେବ BMC
ନିଗମର ଅର୍ଥ ବିଭାଗରେ ୧୧ଟି ନୂତନ ପଦବୀ ସୃଷ୍ଟି କରାଯାଇଥିବାବେଳେ ଯୋଜନା ବିଭାଗରେ ୪ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ୧୭ଟି ନୂତନ ପଦବୀ, ସାନିଟେସନ (ଇଂଜିନିୟରିଂ) ବିଭାଗରେ ୫ଟି ନୂତନ ପଦବୀ, ଡ୍ରେନେଜ ବିଭାଗରେ ୨୦ଟି ପଦବୀ, ମେକାନିକାଲ ବିଭାଗରେ ୨ଟି, ଆଇନ ବିଭାଗରେ ଗୋଟିଏ, ଲୋକସଂପର୍କ ବିଭାଗରେ ୨ଟି, ସୌନ୍ଦର୍ଯ୍ୟକରଣ ଓ ଲ୍ୟାଣ୍ଡ ସ୍କେପିଂ ବିଭାଗରେ୭ଟି, ପ୍ରାଣୀକଲ୍ୟାଣ ବିଭାଗରେ ୪ଟି, ସାମାଜିକ କଲ୍ୟାଣ ବିଭାଗରେ ୧୩ଟି, ବିପର୍ଯ୍ୟୟ ଓ ଜରୁରୀ ସେବା ବିଭାଗରେ ଗୋଟିଏ, ଏନ୍ଫୋର୍ସମେଣ୍ଟ ବିଭାଗରେ ୧୯ଟି, ଅମଲା ବିଭାଗରେ ୯୩ଟି ଏବଂ ୱାର୍ଡ ଅଫିସ ବିଭାଗରେ ୧୮୭ଟି ନୂତନ ପଦବୀ ସୃଷ୍ଟି କରାଯାଇଛି ।