ଓଡିଶା

odisha

ETV Bharat / state

୬ ଜିଲ୍ଲାରେ ନୂଆ ବିଜେଡି ସଭାପତି ନିଯୁକ୍ତ, ଅଶ୍ୱିନୀଙ୍କୁ ଦଳର ସାଂଗଠନିକ ଦାୟିତ୍ବ - 6 ଜିଲ୍ଲାରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦେଲେ ନବୀନ

୬ ସାଂଗଠନିକ ଜିଲ୍ଲାର ନୂଆ ସଭାପତି ନିଯୁକ୍ତ କରିଛି ବିଜୁ ଜନତା ଦଳ । ନୂଆ ନିଯୁକ୍ତି ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

bjd appoints new president in 6 district
6 ଜିଲ୍ଲାର ନୂଆ ବିଜେଡି ସଭାପତି ନିଯୁକ୍ତ

By

Published : Jul 7, 2023, 5:46 PM IST

ଭୁବନେଶ୍ବର: ୬ ସାଂଗଠନିକ ଜିଲ୍ଲାର ନୂଆ ସଭାପତି ନିଯୁକ୍ତ କରିଛି ବିଜୁ ଜନତା ଦଳ ( ବିଜେଡି) । ନୂଆ ସଭାପତିଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ଏହି ନୂଆ ନିଯୁକ୍ତି ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କୁ ମିଳିଛି ଦଳର ସାଂଗଠନିକ ଦାୟିତ୍ବ ।

6 ଜିଲ୍ଲାର ନୂଆ ବିଜେଡି ସଭାପତି ନିଯୁକ୍ତ

ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ହୋଇଛନ୍ତି ଜଳେଶ୍ବର ବିଧାୟକ ତଥା ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର । ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିବା ପରେ ଜିଲ୍ଲା ସଭାପତି ପଦରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଇସ୍ତଫା ଦେଇଥିଲେ । ଜିଲ୍ଲାର ବିଧାୟକ ଓ ଦଳର ବରିଷ୍ଠ ନେତାଙ୍କ ସହ ରବୀନ୍ଦ୍ରଙ୍କର ତାଳମେଳ ନରହିବାରୁ ସଂଗଠନରେ ବିବାଦ ରହିଥିବା ଚର୍ଚ୍ଚା ହେଉଥିଲା । ତେଣୁ ରବୀନ୍ଦ୍ରଙ୍କୁ ଜିଲ୍ଲା ବିଜେଡି ରାଜନୀତିରୁ ଦୂରେଇ ରଖିବା ଲାଗି ଖୋର୍ଦ୍ଧା ପର୍ଯ୍ୟବେକ୍ଷକ କରିଥିବା ଚର୍ଚ୍ଚା ହୁଏ । ସେ ଯାହା ହେଉ ଏବେ ଜିଲ୍ଲା ସଭାପତି ଭାବେ ଅଶ୍ୱିନୀ ନିଯୁକ୍ତ ହୋଇଛନ୍ତି । ମନ୍ତ୍ରୀ ସହ ସଂଗଠନ ଦାୟିତ୍ୱ ଅଶ୍ୱିନୀଙ୍କ ଲାଗି ଚ୍ୟାଲେଞ୍ଜ ହେବ । ବିଶେଷ କରି ନିର୍ବାଚନ ବର୍ଷ ହୋଇଥିବାରୁ ସରକାର ଓ ସଂଗଠନରେ ତାଙ୍କୁ ସମନ୍ୱୟ ରଖିବାକୁ ପଡିବ ।

ଏହା ମଧ୍ୟ ପଢ଼ନ୍ତୁ:୬ ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ; ମାନସଙ୍କୁ ବ୍ରହ୍ମପୁର, ଶ୍ରୀମୟୀ ଭୁବନେଶ୍ୱର ଲୋକସଭା ପର୍ଯ୍ୟବେକ୍ଷକ


ସେହିପରି ବାଲେଶ୍ଵର ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ନୀଳଗିରି ଓ ବଡ଼ସାହି ବିଜେପି କବଜାରେ ରହିଛି । ବାଲେଶ୍ଵର ସଦର ଆସନ ଉପନିର୍ବାଚନରେ ବିଜେଡି ଫେରାଇ ଆଣିଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଲୋକସଭା ନିର୍ବାଚନରେ ବାଲେଶ୍ଵର ଆସନରୁ ଲଢ଼ିବା ଚର୍ଚ୍ଚା ଏବଂ ଜିଲ୍ଲାରେ ବଦଳୁଥିବା ରାଜନୈତିକ ପାଣିପାଗ ଅଶ୍ୱିନୀଙ୍କ ପାଇଁ ନିଶ୍ଚୟ ଚ୍ୟାଲେଞ୍ଜ ନେଇ ଆସିବ । ଅଭିଜ୍ଞତା ଓ ଦକ୍ଷତା ଆଧାରରେ ଦଳର ସଭାପତି ଅଶ୍ୱିନୀଙ୍କ ଉପରେ ଭରସା କରି ଦାୟିତ୍ୱ ଦେଇଛନ୍ତି ।

ସେହିପରି ଢେଙ୍କାନାଳ ଜିଲ୍ଲାର ବିଜେଡି ସଭାପତି ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ । ଦେବୀ ପ୍ରସାଦ ଭୁତିଆଙ୍କୁ ଢେଙ୍କାନାଳ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି । ଜିଲ୍ଲା ସଭାପତି ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । କାର୍ଯ୍ୟ ଚାପ ନିୟନ୍ତ୍ରଣ ଲାଗି ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବାକୁ ପ୍ରଫୁଲ୍ଲଙ୍କୁ କୁହାଯାଇଥିଲା । ପ୍ରଫୁଲ୍ଲଙ୍କ ଇସ୍ତଫା ପରେ ନୃସିଂହଙ୍କ ପରି ଜଣେ ବରିଷ୍ଠ ଅନୁଭବୀ ନେତାଙ୍କୁ ଦଳ ଜିଲ୍ଲା ସଭାପତି ଦାୟିତ୍ୱ ଦେଇଛି । ଜିଲ୍ଲା ସଭାପତି ପଦରେ ଥଇଥାନ କରି ନୃସିଂହଙ୍କୁ ସନ୍ତୁଷ୍ଟ କରି ତାଙ୍କ ଟିକେଟ କାଟିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ଆସନ୍ତା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଲାଗି ରହିଛି । ଧର୍ମେନ୍ଦ୍ରଙ୍କୁ ଚେକ ଦେବା ଲାଗି ଦଳ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ୱ ଦେଇଛି । ପ୍ରଣବଙ୍କ ସହ ସମନ୍ୱୟ ରଖି ନୃସିଂହଙ୍କୁ କାମ କରିବାକୁ ପଡିବ ।

ସେହିପରି ଝିହ୍ନା ହିକ୍କା ହୋଇଛନ୍ତି କୋରାପୁଟ ଜିଲ୍ଲା ବିଜେଡି ସଭାପତି । ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇବା ପରେ ଈଶ୍ୱର ପାଣିଗ୍ରାହୀ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଜିଲ୍ଲା ସଭାପତି ରେସରେ ଥିଲେ କୋରାପୁଟ ବିଧାୟକ ରଘୁରାମ ପାଡ଼ଲ ଓ ପୂର୍ବତନ ସାଂସଦ ଝିନ୍ନା ହିକ୍କା । କଂଗ୍ରେସର ଦବଦବା ଥିବା କୋରାପୁଟ ଜିଲ୍ଲାରେ ଝିନ୍ନଙ୍କୁ ନେତୃତ୍ୱ ଦେଲେ ସଫଳତା ମିଳିବ ବୋଲି ବିଭିନ୍ନ ସ୍ତରରୁ ରିପୋର୍ଟ ପାଇବା ପରେ ତାଙ୍କୁ ଦଳ ସଭାପତି କରିଛି । ସେହିପରି ପ୍ରଶାନ୍ତ ଗୁପ୍ତାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛି ଦଳ । ପ୍ରଭାସ କୁମାର ସିଂହକୁ ବରଗଡ଼ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଥିବା ବେଳେ ସୁଶାନ୍ତ ମହାପାତ୍ର (ଜାପାନୀ)ଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି । ହଲୁ ମୁଣ୍ଡାରିଙ୍କୁ ରାଉରକେଲାର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି । ରବି ସିଂହକୁ ଝାରସୁଗୁଡ଼ାର ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details