ଓଡିଶା

odisha

ETV Bharat / state

ନବ ଦାସଙ୍କ ପରଲୋକ: ମୁଖ୍ୟମନ୍ତ୍ରୀଙ୍କ ସମେତ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ - ନବ କିଶୋର ଦାସଙ୍କ ପରଲୋକ

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ କେନ୍ଦ୍ରମନ୍ତ୍ରୀମାନେ ଶୋକ ପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ବ୍ରଜରାଜନଗର ଗସ୍ତ ସମୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଜଣେ ପୋଲିସ ASI ଗୁଳି ଚାଳନା କରିଥିଲେ । ଅଧିକ ପଢ଼ନ୍ତୁ

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

By

Published : Jan 29, 2023, 8:49 PM IST

Updated : Jan 29, 2023, 10:48 PM IST

ଭୁବନେଶ୍ବର: ଗୁଳିମାଡ଼ ପରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ଘଟିଛି । ଡାକ୍ତରଙ୍କ ସମସ୍ତ ଉଦ୍ୟମ ଫେଲ ମାରିଲା । କାମ ଦେଲା ନାହିଁ ସମର୍ଥକ ଓ ଶୁଭେଚ୍ଛୁଙ୍କ ପ୍ରାର୍ଥନା । ମାତ୍ର 61 ବର୍ଷ ବୟସରେ ଆରପାରିକୁ ଚାଲିଗଲେ ରାଜ୍ୟର ବିତ୍ତଶାଳୀ ମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟର ବିଭିନ୍ନ ନେତା ଓ ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରି ଓଡ଼ିଶା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, "ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ଦୁଃଖିତ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା । ଓଁ ଶାନ୍ତି ।" ସେହିବଳି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୁଃଖଦ ପରଲୋକରେ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି, "ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେଡି ନେତା ନବ କିଶୋର ଦାସଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଶୋକରେ ମ୍ରିୟମାଣ । ତୃଣମୂଳସ୍ତର ନେତା ଭାବେ ତାଙ୍କ ପ୍ରତି ଲୋକଙ୍କ ଓ ଦଳମତ ନିର୍ବିଶେଷରେ ସମସ୍ତଙ୍କ ଭଲପାଇବା ଓ ସମ୍ମାନ ରହିଛି । ସମଗ୍ର ରାଜ୍ୟ ପାଇଁ ଏହା ଅପୂରଣୀୟ କ୍ଷତି । ସରକାର ଓ ଦଳରେ ତାଙ୍କ ଭୂମିକା ସର୍ବଦା ସ୍ମରଣୀୟ ରହିବ । ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗରେ ସେ ଅନେକ ଅଭିନବ କାର୍ଯ୍ୟ କରିଛନ୍ତି । ଏଥିସହ ଜଣେ ନେତା ଭାବେ ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବାରେ ତାଙ୍କର ବିରାଟ ଯୋଗଦାନ ରହିଛି। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।"

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ମଧ୍ୟ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟ୍ବିଟରରେ ଲେଖିଛନ୍ତି, "ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ତାଙ୍କୁ ଗୁଳିମାଡ ପରେ ହସ୍ପିଟାଲରେ ସେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ସହ ଯେଉଁ ଭଳି ଘଟଣା ଘଟିଛି, ଏହା ମୋତେ ବ୍ୟଥିତ କରିଛି । ଜନପ୍ରତିନିଧି ଭାବରେ ତାଙ୍କର କାର୍ଯ୍ୟ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।" ସେହିଭଳି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଏନେଇ ଟ୍ବିଟ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 29, 2023, 10:48 PM IST

ABOUT THE AUTHOR

...view details