ଭୁବନେଶ୍ବର:ଆଜିଠୁ (ମଙ୍ଗଳବାର) ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । କଡା ସୁରକ୍ଷା ତଥା ସିସିଟିଭି ବଳୟ ମଧ୍ୟରେ ପରୀକ୍ଷା କରାଯାଉଛି । ସମସ୍ତ ପରୀକ୍ଷା କେନ୍ଦ୍ର ଓ ହଲଗୁଡିକରୁ ଲାଇଭ୍ ଷ୍ଟ୍ରିମିଂ କରାଯାଉଛି । ସକାଳ 10ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୩୦ ମିନିଟ ପୂର୍ବରୁ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ CHSE ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହି ପରୀକ୍ଷା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଜାରି ରହିଛି । ସ୍ବଚ୍ଛ ଭାବେ ପରୀକ୍ଷା ପରିଚାଳନା କରିବା ପାଇଁ ଚଳିତ ବର୍ଷ ସମସ୍ତ ପରୀକ୍ଷାର ଲାଇଭ ଷ୍ଟ୍ରିମିଂ କରାଯିବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା । ୬୦, ୩୦ ଏବଂ ୨୦ ମାର୍କର ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ୩ ଘଣ୍ଟାର ସମୟ ଦିଆଯାଉଛି । ୧୫ ମିନିଟ୍ର ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ଦିଆଯାଇଛି । ଅନ୍ୟପଟେ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପହଞ୍ଚିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ଆଡମିଟ୍ କାର୍ଡ ଯାଞ୍ଚ କରାଯାଇ ହଲ୍ ମଧ୍ୟକୁ ପ୍ରବେଶ କରାଯିବ । ତେବେ ପରୀକ୍ଷା କେନ୍ଦ୍ର ପୁରା ସିସିଟିଭି ଅଧୀନରେ ରହିବ । ପରୀକ୍ଷାରେ ଅଧୀକ୍ଷକ ଭାବେ ଉକ୍ତ କଲେଜର ଅଧ୍ୟକ୍ଷମାନେ ଦାୟିତ୍ୱରେ ରହିଛନ୍ତି ।
ଏହାମଧ୍ୟ ପଢନ୍ତୁ... ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା, ଜାଣନ୍ତୁ କେଉଁ ଦିନ କେଉଁ ବିଷୟ