ଭୁବନେଶ୍ବର:ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟ ଅଗ୍ରଗତି ସମ୍ପର୍କିତ ସମୀକ୍ଷା ହୋଇଛି । ଅଗଷ୍ଟ ମାସରେ ବିଭିନ୍ନ ବିଭାଗ ଦ୍ବାରା କାର୍ଯ୍ୟ ଉଲ୍ଲେଖନୀୟ ରହିଛି । ଗତ ୨୦୨୨-୨୩ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ବିତ୍ତୀୟ ପ୍ରଦର୍ଶନରେ ବୃଦ୍ଧି ହୋଇଛି । ଡିଏମଏଫ ଏବଂ ଓମ୍ବାଡିସି ପାଣ୍ଠିରେ ଭିତ୍ତିଭୂମି ନିର୍ମାଣ ଓ ଅଧିକ ଜୀବିକା ନିର୍ବାହ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଉପରେ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ବ ଦେଇଛନ୍ତି ।
ମଙ୍ଗଳବାର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସଚିବସ୍ତରୀୟ ବୈଠକର ପ୍ରାରମ୍ଭରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ସଚିବମାନେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା ବିଭାଗର ପ୍ରମୁଖ କାର୍ଯ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି ଯେ, ଅଗଷ୍ଟ ମାସରେ ରାଜ୍ୟର ସମସ୍ତ ୪୩୭୩ଟି ଅଣବ୍ୟାଙ୍କିଙ୍ଗ ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ଜରିଆରେ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମନ୍ୱୟ ରକ୍ଷା କରି ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ପ୍ରକଳ୍ପଗୁଡ଼ିକୁ ତ୍ୱରିତ ମଞ୍ଜୁରୀ ଦେବା ପାଇଁ ଓଡ଼ିଶା ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ପଲିସି-୨୦୨୩ ପ୍ରଣୟନ କରାଯାଇଛି ।
ଏହାମଧ୍ୟ ପଢନ୍ତୁ: ସାହିତ୍ୟ ଶିକ୍ଷାରେ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ମିଶନ ଶକ୍ତି ସ୍କୁଟର ଯୋଜନା ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି । କ୍ୟୁଆର କୋଡ ସହ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମିର ନବୀକରଣ ୱେବସାଇଟ ଉନ୍ମୋଚନ କରାଯାଇଛି । ଅଡିଓ ଗାଇଡେଡ ଟୁର ସୁବିଧା କରାଯାଇଛି । ଶକ୍ତି ଓ ଶିକ୍ଷା ଆଦି ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଛି । ସେହିପରି ଶିଳ୍ପ କ୍ଷେତ୍ରରେ ପ୍ରମୁଖ ଶିଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ତରଫରୁ ଅନୁମୋଦନ ଦିଆଯାଇଛି । ଦକ୍ଷତା ବିକାଶ ଓ ବିଭିନ୍ନ କ୍ଷେତ୍ରରେ ରାଜିନାମା ସ୍ବାକ୍ଷରିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା -୨.୦ କ୍ୟାବିନେଟ ଅନୁମୋଦନ ଲାଭ କରିଛି । ସେହିପରି ଅନ୍ୟ ବିଭିନ୍ନ ବିଭାଗ ଦ୍ବାରା ପ୍ରଦତ୍ତ ସଫଳତା ସଂପର୍କରେ ସେ ଉପସ୍ଥାପନ କରିଛନ୍ତି ।