ଓଡିଶା

odisha

ETV Bharat / state

ମଣିଷ-ଜଙ୍ଗଲୀ ଜନ୍ତୁ ବିବାଦ, ସୁରକ୍ଷା କରିଡର ସୁଦୃଢ଼ ଉପରେ ଗୁରୁତ୍ୱ

ମଣିଷ ଜଙ୍ଗଲୀ ଜନ୍ତୁଙ୍କ ମଧ୍ୟରେ ଉପୁଜୁଥିବା ବିବାଦକୁ ନେଇ ଏକ ବୈଠକ କରିଛନ୍ତି ନୂଆ କରି ଦାୟିତ୍ବ ନେଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଜଙ୍ଗଲୀ ଜନ୍ତୁଙ୍କ ଗତିବିଧି ସମ୍ପର୍କରେ ଲୋକଙ୍କୁ ଆଗୁଆ ଅବଗତ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି ।

By

Published : Mar 3, 2023, 11:02 AM IST

human Wild animals conflict
ମଣିଷ-ଜଙ୍ଗଲୀ ଜନ୍ତୁ ବିବାଦ

ଭୁବନେଶ୍ବର:ରାଜ୍ୟରେ ବିଭିନ୍ନ ସମୟରେ ମଣିଷ ଓ ବନ୍ୟଜନ୍ତୁ ମୁହାଁମୁହିଁ ହେଉଥିବା ନଜିର ରହିଛି । ଧନ ଜୀବନ ମଧ୍ୟ କ୍ଷୟକ୍ଷତି ହେଉଛି । ଜନବସତି ମଧ୍ୟରେ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ରୋକିବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟଭେଦି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସଂପୃକ୍ତ ଅଞ୍ଚଳରେ ଧନଜୀବନ ରକ୍ଷା ସହ ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ମଣିଷ ଜଙ୍ଗଲୀ ଜନ୍ତୁଙ୍କ ମଧ୍ୟରେ ଉପୁଜୁଥିବା ବିବାଦକୁ ନେଇ ଏକ ବୈଠକ କରିଛନ୍ତି ନୂଆ କରି ଦାୟିତ୍ବ ନେଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଜଙ୍ଗଲୀ ଜନ୍ତୁଙ୍କ ଗତିବିଧି ସମ୍ପର୍କରେ ଲୋକଙ୍କୁ ଆଗୁଆ ଅବଗତ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବୈଠକରେ ବେସରକାରୀ ସଂସ୍ଥା ସ୍ନେହା ପକ୍ଷରୁ ମଣିଷ-ଜଙ୍ଗଲୀ ଜନ୍ତୁ ବିଶେଷକରି ହାତୀ ସହ ମଣିଷ ବିବାଦ ଉପରେ ଏକ ଅଧ୍ୟୟନ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ସବୁ ଦିଗକୁ ଦୃଷ୍ଟିରେ ରଖି ସଂପୃକ୍ତ ଅଞ୍ଚଳରେ ବାସ କରୁଥିବା ଅଧିବାସୀମାନଙ୍କ ସହ ଆଲୋଚନା କରି ବିବାଦ ହ୍ରାସ ଉପରେ ରିପୋର୍ଟ ପ୍ରଦାନ ପାଇଁ ଉକ୍ତ ବେସରକାରୀ ସଂସ୍ଥାକୁ ଶକ୍ତି ବିଭାଗ ପକ୍ଷରୁ ନିୟୋଜିତ କରାଯାଇଛି । ହାତୀ ଉପଦ୍ରବ ଅଞ୍ଚଳକୁ ୪ ଭାଗରେ ବିଭକ୍ତ କରାଯାଇଛି । ଜୋନ-୧ ରେ ହାତୀ ସୁରକ୍ଷା, ଜୋନ-୨ ରେ ଉଭୟଙ୍କ ସହାବସ୍ଥାନ, ଜୋନ-୩ରେ ବିବାଦ ହ୍ରାସ ଏବଂ ଜୋନ-୪ ରେ ହାତୀ ମାନଙ୍କ ପ୍ରବେଶକୁ ପ୍ରତିରୋଧ କରିବା ଉପରେ ପ୍ରସ୍ତାବ ଦିଆଯାଇଛି ।

ହାତୀ ଉପଦ୍ରବ ଅଞ୍ଚରେ ଥିବା ଜନବସତିରେ ଜୀବନମାନ ଶୈଳୀରେ ଉନ୍ନତି ଆଣିବା, ଉଭୟ ମଣିଷ ଓ ହାତୀ ମୃତାହତ ହ୍ରାସ କରିବା ଉପରେ ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଜଙ୍ଗଲ, ଶକ୍ତି ଏବଂ ସଂପୃକ୍ତ ଅନ୍ୟାନ୍ୟ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି । ସେହି ଭଳି ଉକ୍ତ ଅଞ୍ଚଳଗୁଡିକରେ ସଚେତନତା ବୃଦ୍ଧି, ସୁରକ୍ଷା କରିଡର ସୁଦୃଢ଼ କରିବା ରେଡିଓ କଲାର ମାଧ୍ୟମରେ ଜଙ୍ଗଲୀ ଜନ୍ତୁଙ୍କ ଗତିବିଧି ଉପରେ ନଜର ରଖାଯିବାକୁ ଗୁରୁତ୍ବ ଦିଆଯିବ । ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, କ୍ଷୟକ୍ଷତିର ତୁରନ୍ତ ଆକଳନ, ଉପଦ୍ରବ ଅଞ୍ଚଳରେ ବିଦ୍ୟୁତ୍‌ ଚୋରା ଚାଲାଣ ରୋକିବାକୁ ପାଟ୍ରୋଲିଂ ଅଧିକ କଡାକଡି ହେବ । ସଂପୃକ୍ତ ଅପରାଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିମନ୍ତେ ବୈଠକରେ ଆଲୋଚନା ହୋଇଛି ।

ଜଙ୍ଗଲୀ ଜନ୍ତୁଙ୍କ ଗତିବିଧି ନେଇ ସଂପୃକ୍ତ ଅଞ୍ଚଳରେ ସେହି ସମୟରେ ଉପଲବ୍ଧ ମୋବାଇଲ ନମ୍ବରକୁ ଆଗୁଆ ଏସ୍ଏମଏସ୍ ପ୍ରଦାନ ଉପରେ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ଜଙ୍ଗଲୀ ଜନ୍ତୁଙ୍କ ଦ୍ବାରା ଫସଲହାନୀ ଏବଂ ଧନଜୀବନ କ୍ଷତିଗ୍ରସ୍ତ ନେଇ ତୁରନ୍ତ ଆକଳନ ଏବଂ ସହାୟତା ରାଶି ବୃଦ୍ଧି ଉପରେ ବିଚାର ବିମର୍ଷ କରି ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ଶାସନ ସଚିବ ଡ଼ଃ ମୋନା ଶର୍ମା, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଟିପିସିଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ. ସେନବାଗନ, ସ୍ନେହା ବେସରକାରୀ ସଂସ୍ଥାର ରାମାସ୍ବାମୀ କ୍ରିଷ୍ଣନ୍ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details