ଭୁବନେଶ୍ବର: ଆଜି ଓଡିଆ ନବବର୍ଷ । ଆଜି ପଣା ସଂକ୍ରାନ୍ତି ହୋଇଥିବାରୁ ଗାଁଠୁ ସହର ବାସିବ ପଣା । ଓଡିଆ ମାସ ବୈଶାଖର ଆରମ୍ଭ ଓ ଇଂରାଜୀ ମାସ ଏପ୍ରିଲ ୧୪ ତାରିଖରେ ମହାବିଷୁବ ସଂକ୍ରାନ୍ତି ପାଳନ କରାଯାଇଥାଏ । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବେ ପାଳନ କରାଯାଇଥାଏ । ଆଜି ମହାବୀର ହନୁମାନଙ୍କୁ ପୂଜା କରାଯିବା ସହ ପ୍ରତ୍ୟେକ ଓଡିଆ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ସୁମାରଣା କରିବେ । ଏହି ଦିନଠାରୁ ବୃକ୍ଷ ଜଗତ ଏବଂ ଜୀବଜଗତକୁ ଜଳପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିକୁ କେହି କେହି ଜଳ ସଂକ୍ରାନ୍ତି ମଧ୍ୟ କହିଥାନ୍ତି । ଆଜି ଠାରୁ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରିଥାନ୍ତି ।
ପାଞ୍ଜି କଥାରେ ସଂକ୍ରାନ୍ତି: ମହାବିଷୁବ ସଂକ୍ରାନ୍ତି ହିଁ ଓଡିଆ ପଞ୍ଜିକାର ପ୍ରଥମ ଦିବସ । ଆଜିଠାରୁ ନୂଆ ପାଞ୍ଜି ପ୍ରଚଳନ ହୋଇଥାଏ । ପୃଥିବୀର କ୍ରାନ୍ତି ପଥକୁ ୧୨ ମାସ ମାସ ବା ୧୨ଟି ରାଶିରେ ବିଭକ୍ତ କରାଯାଇଥାଏ । ଆଜିଠାରୁ ସୂର୍ଯ୍ୟ ବିଷୁବରେଖା ଉପରେ ଅବସ୍ଥାନ କରି କର୍କଟକ୍ରାନ୍ତି ଆଡକୁ ଗମନ କରିଥାନ୍ତି । ସୂର୍ଯ୍ୟ ଏହି ସମୟକାଳ ମଧ୍ୟରେ ଆକାଶ ପଥରେ ୩୬୦ ଡିଗ୍ରୀ ଗତି କରନ୍ତି ।
ତୁଳସୀ ଦେବୀଙ୍କୁ ସ୍ବତନ୍ତ୍ର ପୂଜା: ବୈଶାଖ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ଏଣୁ ମାସ ଆରମ୍ଭରୁ ତୁଳସୀ ଚଉଁରା ମୂଳେ ପୂଜା କରାଯାଇଥାଏ । ତୁଳସୀଙ୍କ ଉପରେ ଛିଦ୍ରଯୁକ୍ତ ମାଠିଆ ବାନ୍ଧି ଟଙ୍ଗା ଯାଇଥାଏ । ମାସସାରା ଉକ୍ତ ମାଠିଆର ପାଣି ତୁଳସୀ ଦେବୀଙ୍କ ଉପରେ ପଡିଥାଏ । କୁହାଯାଏ ଏଭଳି କଲେ ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୋଇଥାନ୍ତି । ଛତୁଆ, ନବାତ, ଦହି, ଗୁଡ ଆଦି ମିଶାଯାଇ ତୁଳସୀ ଦେବୀଙ୍କ ପାଖରେ ପୂଜା କରାଯାଇଥାଏ । ଆଜିଠାରୁ ଜଳଦାନ କଲେ ପୂଣ୍ୟ ଅର୍ଜନ କରାଯାଏ ବୋଲି ବିଶ୍ବାସ ରହିଛି । ଆଜିଠାରୁ ଉଦ୍ଭିଦ ଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଜଳ ସଂକ୍ରାନ୍ତି ମଧ୍ୟ କୁହାଯାଏ ।