ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ନେଇ ନିଆଯାଇଥିବା କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ ଲାଗିଛି । ରୋକ ଲଗାଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଗତ ନଭେମ୍ବର ୧୪ରେ ଆଦିବାସୀଙ୍କ ଜମି ହସ୍ତାନ୍ତର ନେଇ ଆଇନ ସଂଶୋଧନକୁ କ୍ୟାବିନେଟ ମୋହର ମାରିଥିଲା । କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ କରିଥିଲେ ବିରୋଧୀ ।
କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଅନୁସୂଚିତ ଜନଜାତି ମାନଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟରେ ଅନୁସୂଚିତ ଅଞ୍ଚଳରେ ରେଗୁଲେସନ-୨, ୧୯୫୬ ଆଇନ ପ୍ରଚଳନ ହୋଇଆସୁଛି । ୨୦୦୨ ମସିହାରେ ଏହି ଆଇନରେ କେତେକ ସଂଶୋଧନ ହୋଇଥିଲା । ଫଳରେ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ତାର ସ୍ଥାବର ସମ୍ପତ୍ତି କେବଳ ସେହି ବର୍ଗର ବ୍ୟକ୍ତିକୁ ହିଁ ହସ୍ତାନ୍ତର କରିପାରିବ । ଏହି ଆଇନ ଅନୁଯାୟୀ ଜଣେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି, କେବଳ କୃଷି ଉଦ୍ଦେଶ୍ୟରେ ତାର ଜମିକୁ ଯେକୌଣସି ସର୍ବସାଧାରଣ ଅର୍ଥକାରୀ ସଂସ୍ଥାରେ ବନ୍ଧକ ରଖିପାରିବ । ଆଇନରେ ଏପରି ବ୍ୟବସ୍ଥା ଦ୍ବାରା ଅନୁସୂଚିତ ଜନଜାତି ବର୍ଗର ଶିକ୍ଷିତ ଯୁବକ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଅସୁବିଧାକୁ ହୃଦୟଙ୍ଗମ କରି ଅନୁସୂଚିତ ଜନଜାତି ପରାମର୍ଶଦାତା ପରିଷଦର ସୁପାରିଶକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ଆଇନରେ କେତେକ ସଂଶୋଧନ କରିବାକୁ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଥିଲା ।
ଅଧିକ ପଢନ୍ତୁ- Odisha Cabinet Meeting; ଗୁରୁତ୍ବପୂର୍ଣ୍ଣ ୧୨ ପ୍ରସ୍ତାବ ସହ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ