ଭୁବନେଶ୍ବର: ସହରଗୁଡିକ ସହିତ ଲାଗିଥିବା ଗ୍ରାମାଞ୍ଚଳ ଗୁଡିକର ହେବ ଅଭିବୃଦ୍ଧି । ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଉପୁଜୁଥିବା ପାର୍ଥକ୍ୟ ଅତିକ୍ରମ କରି ସମସ୍ତ ନାଗରିକଙ୍କୁ ଅତ୍ୟାବଶକ ସହରୀ ଭିତ୍ତିଭୂମି ଏବଂ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଏବେ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି'କୁ ଅନୁମୋଦନ କରିଛନ୍ତି । ଏଭଳି ନୀତି ପ୍ରଣୟନ କରିବାରେ ଓଡିଶା ପ୍ରଥମ ଏବଂ ଏହାଦ୍ବାରା ଅଣଯୋଜନାବଦ୍ଧ ଓ ଅନୀୟମିତ ସହରୀକରଣ ଦ୍ଵାରା ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ ବିଭିନ୍ନ ପ୍ରଗତିଶୀଳ ଏବଂ ପ୍ରୟୋଗାତ୍ମକ ପଦକ୍ଷେପ ମାଧ୍ୟମରେ ସମାଧାନ କରାଯାଇପାରିବ ।
ବର୍ତ୍ତମାନର ଗ୍ରାମୀଣ ଅଞ୍ଚଳକୁ ସହରାଞ୍ଚଳ ଭାବରେ ବିଜ୍ଞାପିତ କରିବା ପ୍ରଚଳିତ ପ୍ରଣାଳୀ ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ନାଗରିକଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ଉପରେ ପ୍ରଭାବ ପକାଉଥିବା ଅନୁଭବ କରାଯାଉଛି । କାରଣ ଏଭଳି ପରିବର୍ତ୍ତନକୁ ଗ୍ରହଣ କରି ଆଗେଇ ଯିବା ପାଇଁ ସେପରି କିଛି ବ୍ୟବସ୍ଥା ନାହିଁ । ପ୍ରଚଳିତ ପ୍ରଣାଳୀରେ ଲୋକମାନଙ୍କ ସହଭାଗିତା ଏବଂ ଅନ୍ତର୍ଭୂକ୍ତିକରଣକୁ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଇନାହିଁ । ଯାହା ପ୍ରତିରୋଧ ଏବଂ ବିରୋଧାବାସକୁ ପ୍ରଶୟ ଦେଉଛି । ବର୍ତ୍ତମାନ ଓଡିଶାର ଜନସଂଖ୍ୟାର ୧୯ ଶତକଡା ସହରାଞ୍ଚଳରେ ବାସ କରୁଥିବାବେଳେ ଏହା ୨୦୩୧ ସୁଦ୍ଧା ୨୧ ଶତକଡାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଜନଗଣନାରେ ନାମିତ ସହରଗୁଡିକ ଅଥବା ସହର ପାର୍ଶ୍ଵବର୍ତ୍ତୀ ଅଞ୍ଚଳଗୁଡିକରେ ପ୍ରାୟ ୪୦ ଶତକଡା ଅଭିବୃଦ୍ଧି ହିଁ ସହରୀକରଣର ମୁଖ୍ୟ କାରଣ । ଏହି ସହରାଞ୍ଚଳ ପାର୍ଶ୍ଵବର୍ତ୍ତୀ ଅଞ୍ଚଳଗୁଡିକ ସମୟକ୍ରମେ ସହରାଞ୍ଚଳ ଭାବରେ ବିଜ୍ଞପ୍ତି ପାଉଥିଲେ ମଧ୍ୟ ସାମାଜିକ ଭିତ୍ତିଭୂମି ତଥା ନାଗରିକ ସୁବିଧା ତଥା ସେବାରେ ଅନେକ ପାର୍ଥକ୍ୟ ରହିଆସୁଅଛି । ଯୋଜନାବଦ୍ଧ ସହରୀକରଣକୁ ହାସଲ କରିବା ପାଇଁ ବିଶେଷଜ୍ଞ ଏବଂ ଏହି କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ସହ ପରାମର୍ଶ ପରେ ଏହା ଜଣାପଡିଛି ଯେ, ଏକ ବିଶେଷ ନୀତି ଏବଂ ଆବଶ୍ୟକୀୟ ଅନୁଷ୍ଠାନଗୁଡିକର ଅନୁପସ୍ଥିତି ଏହି ପରିସ୍ଥିତିର ମୁଖ୍ୟ କାରଣ ।