ଭୁବନେଶ୍ବର:ନବୀନ ସରକାରର ୫ମ ପାଳିର ୪ର୍ଥ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଆଜି ରାଜ୍ୟ ସରକାର ‘ମୋ ଘର’ ଯୋଜନାର ଶୁଭାରମ୍ଭ କରିଛନ୍ତି । ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା, ଆକାଂକ୍ଷା ପରିପୂରଣ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି "ମୋ ଘର" ନାମରେ ନୂତନ ଯୋଜନା । ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ମୋହର ମାରିଛି ।
'ମୋ-ଘର'ର ଯୋଜନା କଣ ?:-କେନ୍ଦ୍ର ସରକାରଙ୍କ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ଯୋଜନା । ଓଡ଼ିଶା ସରକାରଙ୍କ ଯୋଜନା ହେଉଛି ବିଜୁ ପକ୍କା ଘର ଯୋଜନା । ଉଭୟ ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ମୋ ଘର ଯୋଜନାରେ ସାମିଲ କରାଯିବ । ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି । ଏହି ପ୍ରତିଶ୍ରୁତିକୁ ପୂରଣ କରି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ନୂତନ ଯୋଜନା 'ମୋ ଘର'କୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡ ଦ୍ବାରା ବାଦ ପଡିଥିବା ପରିବାର କିମ୍ବା ସ୍ବଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଏହି ନୂତନ ଯୋଜନାରେ ଉପକୃତ ହୋଇପାରିବେ । ସେହିପରି ବିଗତ ବର୍ଷରେ ସ୍ବଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନା ମାଧ୍ୟମରେ ନିଜ ଗୃହର ଉନ୍ନତିକରଣ ଅଥବା ସମ୍ପ୍ରସାରଣ କରିପାରିବେ ।
କଣ ରହିଛି ଯୋଜନାର ବୈଶିଷ୍ଟ୍ୟ :-ଆବେଦନକାରୀଙ୍କୁ ସରକାରଙ୍କ ସବସିଡି ଯୁକ୍ତ ଗୃହ ଋଣ ପ୍ରଦାନ କରିବେ । ସବସିଡି ରାଶି ସମ୍ପୂର୍ଣ ରୂପେ ରାଜ୍ୟ ସରକାରଙ୍କର ନିଜସ୍ବ ପାଣ୍ଠିରୁ ଦେବେ । ଯୋଜନାରେ ନୂଆ ଘର ନିର୍ମାଣ, ବର୍ତ୍ତମାନ ଗୃହର ସମ୍ପ୍ରସାରଣ, ଉନ୍ନତିକରଣ ଓ ସମ୍ପୂର୍ଣ୍ଣକରଣ ହେବ । ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇବେ । ଯୋଜନାରେ ୧ ଲକ୍ଷ, ୧.୫ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ ଟଙ୍କା ଋଣ ବ୍ୟବସ୍ଥା ରହିଛି । ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ ଦେଇ ପରବର୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ପଡିବ ।
କିଏ ହେବେ ଯୋଗ୍ୟ ହିତାଧିକାରୀ ?:-ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରି ଥିବା କଂକ୍ରିଟ ଛାତ ଘରେ ବସବାସକରୁଥିବେ । ପରିବାର ପୂର୍ବରୁ ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇ ନଥିବେ । ଅଥବା ୭୦ ହଜାର ଟଙ୍କାରୁ କମ ପରିମାଣର ସହାୟତା ରାଶି ପାଇଥିବେ । ଯଦି ପରିବାରର ମାସିକ ଆୟ ୨୫ ହଜାରରୁ କମ ଥିବ । ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ ଅଣବ୍ୟବସାୟିକ ମୋଟର ଚାଳିତ ଚାରି ଚକିଆ ଯାନ ନଥିବ । ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ଚାକିରୀ କିମ୍ବା ପେନସନ ପାଉନଥିବେ । ପରିବାରର ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ ଜମି ଥିବ ।
କଣ ରହିଛି ସବସିଡ ବ୍ୟବସ୍ଥା :-ଗୃହ ନିର୍ମାଣ ପରେ ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କୁ ଋଣର ପରିମାଣ ଅନୁଯାୟୀ ସବସିଡି ରାଶି ପ୍ରଦାନ କରିବେ । ଅନୁସୂଚିତ ଜାତି/ଜନ ଜାତି ଏବଂ ଭିନ୍ନକ୍ଷମ ମୁଖ୍ୟ ଥିବା ପରିବାରଙ୍କ ପାଇଁ ଅତିରିକ୍ତ ସବସିଡି ରାଶି ଦେବେ । ୧ ଲକ୍ଷ ଟଙ୍କାରେ ସାଧାରଣ ବର୍ଗ ପାଇଁ ୩୦ ହଜାର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ ୪୦ ହଜାର ଏବଂ ୧.୫୦ ଲକ୍ଷରେ ସାଧାରଣ ୪୫ ହାଜର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ ୫୫ ହଜାର ଟଙ୍କାର ସବସିଡ ବ୍ୟବସ୍ଥା ରହିବ । ସେହିପରି ୨ ଲକ୍ଷରେ ସାଧାରଣ ବର୍ଗଙ୍କ ପାଇଁ ୬୦ ହଜାର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ ୭୦ ହଜାର ଏବଂ ୩ ଲକ୍ଷରେ ମଧ୍ୟ ସମାନ ୬୦ ହଜାର ଓ ଏସିଏସଟି/ଭିନ୍ନକ୍ଷମଙ୍କ ପାଇଁ ୭୦ ହଜାର ସବସିଡି ବ୍ୟବସ୍ଥା ରହିଛି ।