ଭୁବନେଶ୍ବର:୨୦୨୩ -୨୪ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ଆଗତ ହୋଇଛି ସାଧାରଣ ବଜେଟ । ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ପୂର୍ବ ବର୍ଷ ଅପେକ୍ଷା ୨୨ ପ୍ରତିଶତ ଅଧିକା ରହିଛି । ଯୁବକ ଯୁବତୀମାନଙ୍କୁ ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ମାଧ୍ୟମରେ ଭବିଷ୍ୟତର ନିଯୁକ୍ତି ସକାଶେ ପ୍ରସ୍ତୁତ କରିବା ପାଇଁ ଭୁବନେଶ୍ବରରେ ଅତ୍ୟାଧୁନିକ ଭିତ୍ତିଭୂମି ଓ ସୁବିଧା ଥିବା ଏକ ପ୍ରମୁଖ ଅନୁଷ୍ଠାନ ୱାର୍ଲଡ ସ୍କିଲଡ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଏଠାରେ ଶିକ୍ଷା ନେଇ ଥିବା ଛାତ୍ରଛାତ୍ରୀ ମଧ୍ୟରୁ ୫୬ ଜଣ ବିଦେଶରେ ନିଯୁକ୍ତି ପାଇଛନ୍ତି । “Skilled in Odisha” ବ୍ରାଣ୍ଡ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରୁଛି ।
ପୂର୍ବରୁ CET ନାମରେ ପରିଚିତ ଥିବା ଓଡିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟକୁ ଆସନ୍ତା ୫ବର୍ଷ ମଧ୍ୟରେ ଏକ ଉତ୍କର୍ଷ ବିଶ୍ବବିଦ୍ୟାଲୟରେ ବିକଶିତ କରିବା ପାଇଁ ୧ହଜାର ୫ଶହ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ହୋଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ୨ହଜାର କୋଟି ଟଙ୍କାର ବ୍ୟୟବରାଦରେ ସ୍ମାର୍ଟ କ୍ଲାସ ରୁମ , ଅତ୍ୟାଧୁନିକ ପରୀକ୍ଷାଗାର ଏବଂ କମ୍ପ୍ୟୁଟର କେନ୍ଦ୍ର ଭଳି ସୁବିଧା ଉପଲବ୍ଧ କରାଇ ଭିସୁଟ, ବୁର୍ଲା ର ମଧ୍ୟ ରୂପାନ୍ତରୀକରଣ କରାଯିବ । ସେହିପରି ଭିତ୍ତିଭୂମି କ୍ଷେତ୍ରରେ ବୈଷୟିକ ବିଶ୍ବବିଦ୍ୟାଳୟ,ଯାନ୍ତ୍ରିକ ମହାବିଦ୍ୟାଳୟ , ପଲିଟେକ୍ନିକ ଓ ଆଇ.ଟି.ଆଇ ମାନଙ୍କ ର ବିକାଶ ପାଇଁ ୨୪୧କୋଟି ଟଙ୍କାର ବ୍ୟୟବରାଦ ରହିଛି ।