ଓଡିଶା

odisha

ETV Bharat / state

SDC ସାମିଲ ହେଲା ଆଉ ୧୪ ଜିଲ୍ଲାର ୫୫ ବ୍ଲକ, ଖର୍ଚ୍ଚ ହେବ ୨୨୩ କୋଟି - ଜନଜାତି

ଆଉ ୧୪ଟି ଜିଲ୍ଲାକୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ବର୍ଷ ଖର୍ଚ୍ଚ ହେବ 223 କୋଟି। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 14, 2023, 9:47 PM IST

SDC ସାମିଲ ହେଲା ଆଉ ୧୪ ଜିଲ୍ଲାର ୫୫ ବ୍ଲକ

ଭୁବନେଶ୍ବର:ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ନୂତନ ଜିଲ୍ଲାଗୁଡିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ସମ୍ବଲପୁର । ରବିବାର ଆଦିବାସୀ ଗ୍ରାଉଣ୍ଡରେ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିଛନ୍ତି ।

ଜନଜାତି କଳା, ସଂସ୍କୃତି ଓ ସାହିତ୍ୟର ସଂରକ୍ଷଣ ପାଇଁ ୨୦୧୭-୧୮ରୁ ଗଠିତ ହୋଇଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ରୁ ୨୩କୁ ବୃଦ୍ଧି ପାଇଛି । ଆଦିବାସୀ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପୂର୍ବରୁ ୯ଟି ଜିଲ୍ଲାର ୧୧୭ଟି ବ୍ଲକରେ କାର୍ଯ୍ୟକାରୀ ହେଉଥିଲା । ଏଥିରେ ୬୪ ଲକ୍ଷ ଲୋକ ସାମିଲ ହୋଇଛନ୍ତି । ଏବେ ଏହା ୨୩ଟି ଜିଲ୍ଲାର ୧୭୨ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୨୩ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି କାର୍ଯ୍ୟକ୍ରମରେ ଅଶି ଲକ୍ଷରୁ ଅଧିକ ଜନଜାତି ଲୋକ ସାମିଲ ହୋଇ ନିଜ କଳା ଓ ସଂସ୍କୃତିର ବିକାଶ ପାଇଁ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଜଗନ୍ନାଥ ସଂସ୍କୃତି ସହିତ ଜନଜାତି ସଂସ୍କୃତିର ଗଭୀର ସମ୍ପର୍କ ଅଛି । ଏଥିରେ ପ୍ରକୃତି ଓ ପରିବେଶର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି । ପ୍ରକୃତିର ପୂଜା ଓ ଭାଇଚାରା ଆଦିବାସୀ ସଂସ୍କୃତିର ମୁଖ୍ୟ ଆଧାର । ବିକାଶର ପରିଭାଷାରେ କଳା ଓ ସଂସ୍କୃତିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ରାଜନୀତିଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି, ଭାଷା, ରାଜନୀତି ସବୁ କ୍ଷେତ୍ରରେ ଜନଜାତି ବର୍ଗର ଲୋକଙ୍କ ଅବଦାନ ରହିଛି । ଓଡ଼ିଶାର ସଂସ୍କୃତିକୁ ସେମାନେ ଗୌରବମୟ କରିଛନ୍ତି । ମୁଁ ସେମାନଙ୍କ ପାଇଁ ଗର୍ବିତ ।"

ଏହା ବି ପଢନ୍ତୁ- ମହିଳାଙ୍କୁ ଅସମ୍ମାନ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ମାଗିଲା ବିଜେପି, ବିଜେଡି କହିଲା ଝାରସୁଗୁଡ଼ାବାସୀ ଜବାବ ଦେଇଛନ୍ତି

ନୂଆ ପରିଷଦ ଗଠନ ଦ୍ଵାରା ସବୁ ଛୋଟଛୋଟ ବର୍ଗର ଜନଜାତି ଗୋଷ୍ଠୀ ସେମାନଙ୍କ କଳା ଓ ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ନିଜର ଗୁରୁତ୍ଵପୂର୍ଣ୍ଣ ଅବଦାନ ରଖି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜନଜାତି କଳା ଓ ସଂସ୍କୃତି ପ୍ରତି ଲୋକଙ୍କ ଆଗ୍ରହ ରହିଛି । ଭୁବନେଶ୍ଵରର ଜନଜାତି ସଂଗ୍ରହାଳୟ ଏବେ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣ ହୋଇଛି । ଜନଜାତି ସଂସ୍କୃତି, ଜୀବନ ପ୍ରତି ସେମାନଙ୍କ ଦୃଷ୍ଟିଭଙ୍ଗୀ, ପ୍ରକୃତିର ସଂରକ୍ଷଣ ଓ ସେମାନଙ୍କ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ଅଧିକ ଗବେଷଣା ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

୨୦୧୭ରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ଦ୍ଵାରା ଜନଜାତି ବର୍ଗର ଅନନ୍ୟ ସଂସ୍କୃତିର ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ପଦକ୍ଷେପ ନେଇଥିଲା । ଏଥିରେ ଜନଜାତି ଲୋକଙ୍କ ପବିତ୍ର ବୃକ୍ଷର ସଂରକ୍ଷଣ, ସଂସ୍କୃତି କ୍ଲବ୍ ଗଠନ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଆଦି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମରେ ୬୦ ହଜାରରୁ ଅଧକ ପ୍ରକଳ୍ପର କାର୍ଯ୍ୟାନ୍ବୟନ ହୋଇସାରିଛି । ୪୫୯୯ ଚିହ୍ନିତ ପବିତ୍ର ବୃକ୍ଷ ମଧ୍ୟରୁ ୪୪୯୬ଟି ବୃକ୍ଷର ସଂରକ୍ଷଣ କରାଯାଇସାରିଛି । ୧୫୯୨ଟି କ୍ଲବ ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଂପର୍କରେ ଏକ କଫି ଟେବୁଲ ବୁକ୍‌ ଉନ୍ମୋଚନ କରିଛନ୍ତି ।

୨୧ଟି ଭାଷାରେ ଜନଜାତି ଦ୍ବିଭାଷୀ ଅଭିଧାନ ଓ ତ୍ରିଭାଷୀ ଦକ୍ଷତା ଥିବା ମଡ୍ୟୁଲ୍‌ ପ୍ରସ୍ତୁତ କରାଯାଇ ୩୦ଟି ଜିଲ୍ଲାରେ ବଣ୍ଟନ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, "ଆଦିବାସୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀମାନଙ୍କ ପାଇଁ ବିକାଶର ଏକ ନୂଆ ଧାରା ସୃଷ୍ଟି କରିବ ।" ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ କହିଛନ୍ତି, "ଜନଜାତି ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଭବିଷ୍ୟତ ପୀଢ଼ି ପାଇଁ ସ୍ମରଣୀୟ ହୋଇ ରହିବ । ଏହି ପରିଷଦ ସବୁ ଆଦିବାସୀ ଗୋଷ୍ଠୀ ମଧ୍ୟରେ ସମ୍ପର୍କର ସେତୁ ହୋଇ ରହିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details