ଭୁବନେଶ୍ବର:୧୯ ବର୍ଷ ପରେ ପରିବର୍ତ୍ତିତ ହେବ ଓଡ଼ିଶା ବୋଟ ଅଧିନିୟମ । କେନ୍ଦ୍ରୀୟ ଢାଞ୍ଚାରେ ରାଜ୍ୟ ଅଧିନିୟମ ପ୍ରସ୍ତୁତ କରିବ । ରାଜ୍ୟ ଅନ୍ତର୍ଦେଶୀୟ ନୌପରିବହନ ଅଧିନିୟମ ଚିଠା ପ୍ରସ୍ତୁତ ପୂର୍ବରୁ ମଙ୍ଗଳବାର ସମସ୍ତ ଅଂଶୀଦାରମାନଙ୍କୁ ନେଇ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ମତାମତ ସଂଗ୍ରହ ସମେତ ଅଧିନିୟମର କାର୍ଯ୍ୟକାରିତା ନେଇ ବ୍ୟାପକ ଆଲୋଚନା ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ଅଂଶୀଦାରମାନଙ୍କର ମୂଲ୍ୟବାନ ମତାମତ ସଂଗ୍ରହ ହେଉଛି କାର୍ଯ୍ୟକ୍ରମ ଅୟୋଜନର ମୂଳ ଉଦ୍ଦେଶ୍ୟ । ଏହା ଅଧିନିୟମର ପ୍ରସ୍ତୁତି ଏବଂ କାର୍ଯ୍ୟାନ୍ବୟନରେ ସହାୟକ ହେବ । ୨୦୦୪ରେ ପ୍ରଣୀତ ଓଡ଼ିଶା ରାଜ୍ୟ ବୋଟ ଅଧିନିୟମ ୧୯ ବର୍ଷ ପରେ ପରିବର୍ତ୍ତିତ ହେଉଛି । କେନ୍ଦ୍ରୀୟ ଆଇନ ଢାଞ୍ଚାରେ ଏହା ନୂଆ ରୂପ ନେବ ।
ଜଳପଥ ଯାତ୍ରୀ ଏବଂ ମାଲ ପରିବହନ କ୍ଷେତ୍ରରେ ନିରାପତ୍ତା ଓ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦିଆଯିବ । ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଜଳପଥରେ ଉଭୟ ଯାତ୍ରୀ ଓ ପଣ୍ୟ କାରବାର ବୃଦ୍ଧି ଘଟିବ । ଭାରତ ସରକାରଙ୍କ ଜାହଜ ଚଳାଚଳ ମନ୍ତ୍ରାଳୟର ପୂର୍ବତନ ମହାନିର୍ଦ୍ଦେଶକ ଡ. ପୂର୍ଣ୍ଣେନ୍ଦୁ ମିଶ୍ର କହିଛନ୍ତି ଯେ, ଆନ୍ତର୍ଜାତିକ ସ୍ତରରେ ସୁନ୍ଦର ଓ ଉନ୍ନତମାନର ଜଳପଥ ପରିବହନ ବ୍ୟବସ୍ଥା ପ୍ରଚଳିତ ହେଉଛି । ତେଣୁ ରାଜ୍ୟରେ ପ୍ରସ୍ତୁତ ହେବାକୁ ଯାଉଥିବା ଅଧିନିୟମରେ ଉଭୟ ବୃହତ ଓ ସାଧାରଣ ଅଂଶୀଦାରଙ୍କ ମତାମତକୁ ଗୁରୁତ୍ବ ଦେବା ଅପରିହାର୍ଯ୍ୟ ।