ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରୁଛନ୍ତି । ଗୁଣାତ୍ମକ ଶିକ୍ଷା ପାଇଁ ପ୍ରାଥମିକ ସ୍ତରରୁ ଭିତ୍ତିଭୂମି ବିକାଶର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । 5ଟି ରୂପାନ୍ତର ନାଁରେ ଟଙ୍କା ଲୁଟ ଚାଲିଛି । ରାଜ୍ୟ ଶିକ୍ଷା ଭିତ୍ତିଭୂମିରେ ଏକାଧିକ ଦୃଶ୍ୟକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେପି ।
ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ମୁଖପାତ୍ର ତେଜେଶ୍ବର ପରିଡା କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସିର ୧୨ନଂ ୱାର୍ଡ ନୂଆପାଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ସାମାନ୍ୟ ବର୍ଷା ପରେ ଶ୍ରେଣୀ ଗୃହରେ ପାଣି ଭରିଯାଇଥିଲା । ଏହାପରେ ଛାତ୍ରଛାତ୍ରୀମାନେ ଶ୍ରେଣୀ ଗୃହ ଓଦା ଥିବାରୁ ଇଟା ଉପରେ ବସି ପାଠ ପଢ଼ୁଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା କୋମଳମତି ଛାତ୍ରଛାତ୍ରୀଙ୍କର ମାନବାଧିକାର କ୍ଷୁର୍ଣ୍ଣ କରିବା ସହ ଓଡ଼ିଶାରେ ସରକାରୀ ବିଦ୍ୟାଳୟ ଗୁଡିକର କରୁଣଚିତ୍ରକୁ ସାମ୍ନାକୁ ଆଣିଛି । କେବଳ ସୁବର୍ଣ୍ଣପୁରରେ ନୁହେଁ ବରଂ ଏଭଳି ସ୍ଥିତି ରାଜ୍ୟର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ଶିକ୍ଷା କ୍ଷେତ୍ରରେ ସର୍ବ ଭାରତୀୟସ୍ତରରେ ଓଡ଼ିଶାର ସ୍ଥାନ ୨୪ନଂରେ ପଂହଚିଛି । ୫-ଟି ରୂପାନ୍ତରଣ ନାମରେ ବିଦ୍ୟାଳୟଗୁଡିକୁ ବିଜେଡି ନେତା ଓ ଠିକାଦାରମାନଙ୍କର ‘ଟଙ୍କା ଲୁଟ’ର ମାଧ୍ୟମ କରାଯାଇ କୋଟି କୋଟି ଟଙ୍କା ଲୁଟ କରାଯାଉଛି ବୋଲି ରାଜ୍ୟ ମୁଖପାତ୍ର ତେଜେଶ୍ବର ପରିଡା କହିଛନ୍ତି ।
ବିଜେପି ଅଭିଯୋଗ କରିଛି ୫ଟି ରୂପାନ୍ତରୀତ ବିଦ୍ୟାଳୟର ପ୍ରକୃତ ସତ୍ୟକୁ ବିଭିନ୍ନ ସମୟରେ ବୁଦ୍ଧଜୀବୀ, ଗଣମାଧ୍ୟମ, ଅଭିଭାବକ ସଙ୍ଘ ସାମ୍ନାକୁ ଆଣୁଛନ୍ତି । ପୁରୀ ଜିଲ୍ଲା ବଳଙ୍ଗା ନୋଡାଲ ହାଇସ୍କୁଲକୁ ବର୍ଷକ ତଳେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ କିନ୍ତୁ ବର୍ଷେ ନପୁରୁଣୁ ଶ୍ରେଣୀଗୃହ ଛାତରୁ ପାଣିଗଳିବା, ସିଲିଂ ଖସିବା ସହ କାନ୍ଥ ଭୂଷୁଡି ପଡିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ବୁଗୁଡାର ମହାମାୟୀ ହାଇସ୍କୁଲରେ ନବମ ଶ୍ରେଣୀର ମୋଟ ୧୪୫ପିଲାଙ୍କୁ ମାତ୍ର ଜଣେ ଶିକ୍ଷକ ପାଠ ପଢ଼ାଉଛନ୍ତି । ରାଜ୍ୟ ସରକାର ସର୍ବାଧିକ ରାଜସ୍ବ ପାଉଥିବା କେନ୍ଦୁଝର ଜିଲ୍ଲା ବଡହଳ ସ୍ଥିତ ୫ଟି ରୂପାନ୍ତରିତ ‘କଲେଜ ରୋଡ ହାଇସ୍କୁଲ’ରେ ୫୫ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ମାତ୍ର ହିନ୍ଦୀ ଶିକ୍ଷକ ପିଲାମାନଙ୍କୁ ବିଜ୍ଞାନ, ଗଣିତ, ଇଂରାଜୀ ଇତ୍ୟାଦି ପାଠ ପଢାଉଥିବା ଘଟଣା ସାମ୍ନାକୁ ଆସିଛି । ଚଳିତ ବର୍ଷ ଶିକ୍ଷକ ଅଭାବ କାରଣରୁ ଅନେକ ଛାତ୍ରଛାତ୍ରୀ ଅନ୍ୟ ସ୍କୁଲକୁ ପଳାଇଯିବା ବିଫଳ ୫ଟି ମଡେଲକୁ ପ୍ରତିପାଦନ କରୁଛି । ଏହା କେଉଁ ପ୍ରକାରର ୫ଟି ରୂପାନ୍ତରଣ ମଡେଲ ଶିକ୍ଷା ବ୍ୟବସ୍ଥା ବୋଲି ପ୍ରଶ୍ନ କରିବା ସହିତ ରାଜ୍ୟ ସରକାର ୫ଟି ରୂପାନ୍ତରଣ ନାଁରେ ରାଜନୈତିକ ଫାଇଦା ନେବା ପାଇଁ ଚାଲିଥିବା ସାଙ୍ଘାତିକ ମିଛ ପଦାରେ ପଡିଛି ।