ଭୁବନେଶ୍ବର: ମହିଳା ସଶକ୍ତିକରଣରେ ଓଡ଼ିଶା ଦେଶର ମଡ଼େଲ ହୋଇଛି । ଓଡ଼ିଶାର ମଡେଲ ଆପଣେଇବା ପାଇଁ ଅନ୍ୟ ରାଜ୍ୟମାନେ ଓଡ଼ିଶା ଆସୁଛନ୍ତି । କିନ୍ତୁ ଓଡ଼ିଶାର ମହିଳାମାନଙ୍କ ଉନ୍ନତିକୁ ସହି ପାରୁ ନାହାନ୍ତି ବିଜେପି ନେତା । ଅସହିଷ୍ଣୁ ହୋଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏସଏଚଜି ମା’ମାନଙ୍କୁ ଅପମାନିତ କରିଛନ୍ତି। ତୁରନ୍ତ ଜୟନାରାୟଣ ଏସଏଚଜି ମା’ମାନଙ୍କୁ କ୍ଷମା ମାଗନ୍ତୁ ବିଜେଡି ସାଂସଦ ସୁଲତା ଦେଓ ପରାମର୍ଶ ଦେଇଛନ୍ତି ।
ବିଜେଡି ସାଂସଦ କହିଛନ୍ତି ଯେ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନେ ଟଙ୍କା ଖାଉଛନ୍ତି କହି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ରାଜ୍ୟର ଲକ୍ଷ ଲକ୍ଷ ମା’ମାନଙ୍କୁ ଅପମାନିତ କରିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରାଯାଇଛି । ଏଭଳି ଅପମାନଜନକ ମନ୍ତବ୍ୟ ପାଇଁ ଜୟନାରାୟଣ ତୁରନ୍ତ ଏସଏଚଜି ମା'ମାନଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି । ବିରୋଧୀ ଦଳର ନେତାଙ୍କୁ ସାଂସଦ ଟାର୍ଗେଟ କରି କହିଛନ୍ତି ଯେ, ଜୟନାରାୟଣ ବାବୁ ହତ୍ୟା ଭଳି ସଂଗୀନ ଅପରାଧ ଘଟାଇ ଜେଲ ଯାଇଥିଲେ । ନିକଟରେ ସେ ଜଣେ ମହିଳା ପୁଲିସ ଅଫିସରଙ୍କ ଉପରେ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ କରିଥିଲେ । ସେଥିପାଇଁ ସେ ଅନୁତପ୍ତ ନୁହଁନ୍ତି। ଏବେ ସେ ଏସଏଚଜି ମା'ମାନଙ୍କୁ ଅପମାନିତ କରିଛନ୍ତି । ଏଥିରୁ ପ୍ରମାଣିତ ହେଉଛି ଯେ ପୂର୍ବରୁ ଜୟନାରାୟଣ ମିଶ୍ରଙ୍କ ସଂପର୍କରେ ଆମେ ଯାହା କହିଥିଲୁ, ତାହା ଶତ ପ୍ରତିଶତ ସତ । ବାସ୍ତବରେ ଜୟନାରାୟଣ ବାବୁଙ୍କ ପ୍ରବଳ ମୁଣ୍ଡ ଦୋଷ ଅଛି । ସେ କ୍ରମଶଃ ପାଗଳ ଅବସ୍ଥାକୁ ଆସିଗଲେଣି । ଓଡ଼ିଶାରେ ମା’ମାନେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତି କଲେ ଆପଣଙ୍କୁ ଏତେ ବାଧୁଛି କାହିଁକି ବୋଲି ଜୟନାରାୟଣଙ୍କୁ ସୁଲତା ପ୍ରଶ୍ନ କରିଛନ୍ତି ।