ଭୁବନେଶ୍ବର: ମାଗଣା ଚାଉଳକୁ ନେଇ ଜୋର ଧରିଛି ରାଜନୀତି । ଆସନ୍ତାକାଲି (ମଙ୍ଗଳବାର)ଠାରୁ ଚାଉଳକୁ ନେଇ ବିଜେଡି ଆନ୍ଦୋଳନ କରିବାକୁ ଯାଉଥିବା ବେଳେ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଛି ବିଜେପି । ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିରୁ ନଜର ହଟାଇବା ଲାଗି ବିଜେଡି ଏପରି କରୁଛି । ଶାସକ ଦଳ ନିଜେ କରିଥିବା ପାପକୁ ଅନ୍ୟ ଉପରେ ଦୋଷ ଲଦି ଚାଷୀକୁ ପ୍ରତାରିତ ନକରୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
ଏନେଇ ଗୋଲକ କହିଛନ୍ତି, "ବିଜେଡି ନିଜେ କରିଥିବା ପାପକୁ ଅନ୍ୟ ଉପରେ ଦୋଷ ଲଦି ଚାଷୀକୁ ପ୍ରତାରିତ କରୁଛନ୍ତି । କୋଭିଡ ସମୟରେ ଦିଆଯାଇଥିବା ରିଲିଫକୁ ନେଇ ରାଜନୀତି କରାନଯାଉ । ସବୁଠାରୁ ବଡ଼ କଥା ହେଲା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରୁ ନଜର ହଟାଇବା ପାଇଁ ବିଜେଡି ଏପରି କରୁଛି । ସେହିପରି ଧାନ ସଂଗ୍ରହରେ କେନ୍ଦ୍ର ସରକାର ଯେତେ ପଇସା ଦେଉଛନ୍ତି ତାକୁ ଚାଷୀକୁ ଦେଇ ପାରୁନାହାନ୍ତି । ବିଜେଡି ସରକାର ଚାଷୀଙ୍କୁ ପ୍ରତାରିତ କରିଛି। କଥାରେ ଅଛି ଚୋର ମଚାଏ ସୋର। ବିଜେଡି ହେଉଛି ସେହି ଦଳ। ୨୦୦୮ରେ କେନ୍ଦ୍ର ସରକାର ୩୫ କେଜି ଚାଉଳ ଦେଉଥିବା ବେଳେ ରାଜ୍ୟ ସରକାର ୧୦ କେଜି ଚାଉଳ କାଟି ୨୫ କେଜି ଚାଉଳ ଦେଉଥିଲେ । ବିଜେଡି ଦଳ ମିଥ୍ୟା ପ୍ରବଳ ।"
କୋରୋନା ସମୟରେ କେନ୍ଦ୍ର ସରକାର ବିଭିନ୍ନ ସୂତ୍ରରେ ଲୋକଙ୍କୁ ଅର୍ଥ ପ୍ରଦାନ କରିଥିଲେ । ୩ କୋଟି ୨୫ ଲକ୍ଷଙ୍କୁ ଚାଉଳ ଡାଲି ଦେଇଥିଲେ ହେଲେ ସେ ଡାଲି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଗୋଲକ । ସେ ଆହୁରି କହିଛନ୍ତି, "ମୋଦି ସରକାର ଗରିବର ବନ୍ଧୁ। ରାଜ୍ୟ ସରକାର କଣ କରିଥିଲେ କହି ପାରିବେ ? କୋରୋନା ସମୟରେ ସରକାର ମାଗଣାରେ ୫ କେଜି ଚାଉଳ, ୧ କିଲୋ ଡାଲି ଦେଉଥିଲେ । ଅସୁବିଧା ପାଇଁ ରିଲିଫ ଦିଆଯାଇଥିଲା । କୋଭିଡ ପ୍ରଭାବ କମିଲା ରିଲିଫ ବନ୍ଦ ହେଲା । ଏବେ ମାଗଣାରେ ୫ କିଲୋ ଚାଉଳ କେନ୍ଦ୍ର ଦେଉଛି । ସେହିପରି କୋରୋନା ଟୀକା କେନ୍ଦ୍ର ସରକାର ଦେଲେ ରାଜ୍ୟ ସରକାର ମିଛରେ ବାହା ବାହା ନେଲେ । ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି । ମିଥ୍ୟା ଆଶ୍ରୟ ନେଉଛି ଦଳ ।"