ଭୁବନେଶ୍ବର: ପୁଣି ଉଠିଲା ଆବାସ ଯୋଜନା କେଳେଙ୍କାରୀ । ଆବାସ ବଣ୍ଟନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ପିଏମ ଆବାସ ଘର ବଣ୍ଟା ବିଳମ୍ବକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟକୁ ଆସିଥିବା 9.60 ଲକ୍ଷ ଆବାସ ବଣ୍ଟା ନହୋଇ ପଡି ରହିଛି । ଅଯୋଗ୍ୟ ଲୋକଙ୍କଠୁ ବିଜେଡି 20 ହଜାର ଲେଖାଏଁ ନେଇଛି । ଯଦି ଇଚ୍ଛାଶକ୍ତି ଅଛି 15 ଦିନ ଭିତରେ ତାଲିକା କରି ଘର ବାଣ୍ଟନ୍ତୁ ବୋଲି ଚେତାବନୀ ଦେଇଛି ବିଜେପି ।
ସାମ୍ବାଦିକ ସମ୍ମିଳନୀ କରି ବିଜେପି ସାଧାରଣ ସମ୍ପାଦକ କହିଛନ୍ତି,''ବର୍ଷା ଦିନ ଆଗରୁ ଆବାସ ଘର ବାଣ୍ଟ । ବର୍ଷା ଦିନ ପୂର୍ବରୁ ଯଦି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଘର ନ ପହଁଚିବ ତେବେ ଓଡ଼ିଶାର ରାଜ ରାସ୍ତାରେ ନିଆଁ ଜଳିବ । ଏହାକୁ ରାଜ୍ୟ ସରକାର ନା ବିଜୁ ଜନତା ଦଳ କେହି ବି ରୋକି ପାରିବେ ନାହି। ରାଜ୍ୟକୁ ଆସିଥିବା ୯ ଲକ୍ଷ ୬୦ ହଜାର ଆବାସ ବଣ୍ଟା ନ ହୋଇ ପଡି ରହିଛି । ପୂର୍ବରୁ ସର୍ଭେ କରି ଆବାସ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କଲେ ନାହିଁ ରାଜ୍ୟ ସରକାର । ଏବେ ୯ ଲକ୍ଷ ୬୦ ହଜାର ଘର ଆସିଛି କିନ୍ତୁ ସର୍ଭେ ନାଁ ରେ ଭେଳିକି କରୁଛନ୍ତି । ଘର ବାଣ୍ଟିବା ତାଲିକା ପ୍ରସ୍ତୁତ ହୋଇନାହିଁ । ପ୍ରାଥମିକ ତାଲିକାରେ ଥିବା ଅଯୋଗ୍ୟ ଲୋକଙ୍କୁଠୁ ୨୦ ହଜାର ଟଙ୍କା ଲେଖାଏଁ ବିଜେଡି ନେତାମାନେ ନେଇ ସାରିଛନ୍ତି ତେଣୁ ଏବେ ତାଙ୍କ ନାଁ କାଟି ପାରୁ ନାହାନ୍ତି । ସେଥିପାଇଁ ଘର ନ ବାଣ୍ଟି ସମୟ ଗଡେଇ ଚାଲିଛନ୍ତି ସରକାର । ଯଦି ସରକାରଙ୍କ ସତରେ ଇଚ୍ଛା ଶକ୍ତି ଅଛି, ତେବେ ୧୫ ଦିନ ଭିତରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ଆସିଥିବା ଘର ବାଣ୍ଟନ୍ତୁ ।''