ଓଡିଶା

odisha

ETV Bharat / state

ଶେଷ ହେଲା ବିଜେପିର ୩ ଦିନିଆ ମାରାଥନ ବୈଠକ, ଶେଷ ଦିନରେ ଅଣ୍ଟା ଭିଡ଼ିଲା ସଂଯୁକ୍ତ ମୋର୍ଚ୍ଚା

Odisha BJP Meeting: ଗତ ୩ ଦିନ ଧରି ଜାରି ରହିଥିବା ରାଜ୍ୟ ବିଜେପିର ମାରାଥନ ବୈଠକ ଆଜି ଶେଷ ହୋଇଛି । ଶେଷ ଦିନରେ ସଂଯୁକ୍ତ ମୋର୍ଚ୍ଚା ବୈଠକରେ ୨୦୨୪ ଫାଇଟ୍‌ ପାଇଁ ଅଣ୍ଟା ଭିଡ଼ିଛନ୍ତି ଦଳର ବିଭିନ୍ନ ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Dec 31, 2023, 10:00 PM IST

ଶେଷ ହେଲା ବିଜେପିର ୩ ଦିନିଆ ମାରାଥନ ବୈଠକ
ଶେଷ ହେଲା ବିଜେପିର ୩ ଦିନିଆ ମାରାଥନ ବୈଠକ

ଶେଷ ହେଲା ବିଜେପିର ୩ ଦିନିଆ ମାରାଥନ ବୈଠକ

ଭୁବନେଶ୍ବର: ବିଜେପିର ତିନି ଦିନିଆ ମାରଥନ ବୈଠକ ଆଜି ଶେଷ ହୋଇଛି । ଆଜି ତୃତୀୟ ଦିନରେ ସଂଯୁକ୍ତ ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ବିଜେପିର କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ST ମୋର୍ଚ୍ଚା, SC ମୋର୍ଚ୍ଚା, OBC ମୋର୍ଚ୍ଚା ଓ ମାଇନରିଟି ମୋର୍ଚ୍ଚାର ସଭାପତିଙ୍କ ଉପସ୍ଥିତିରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରଣନୀତି । ରାଜ୍ୟ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ହୋଇଛି ଏହି ଗୁରୁତ୍ବପୂର୍ଣ୍ଣ ବୈଠକ । ଆଗକୁ ଆସୁଥିବା ସାଧାରଣ ନିର୍ବାଚନରେ ମୋର୍ଚ୍ଚା ଗୁଡ଼ିକର ଭୂମିକା କଣ ରହିବ, କେଉଁ ପ୍ରସଙ୍ଗକୁ ଅସ୍ତ୍ର କରି ଲୋକଙ୍କ ପାଖକୁ ଯିବ ବିଜେପିର ଏହି ୭ ମୋର୍ଚ୍ଚା, ସେନେଇ ପ୍ରସ୍ତୁତ ହୋଇଛି ବ୍ଲୁ' ପ୍ରିଣ୍ଟ୍‌ ।

ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ବିଜେପି । ଦୀର୍ଘ ୩ ଦିନ ଧରି ଚାଲିଥିବା ମାରାଥନ ବୈଠକ ଆଜି ଶେଷ ହୋଇଛି । ଏଥର ବିଜେପିର ଲକ୍ଷ୍ୟ ହେଉଛି ପ୍ରତି ବୁଥ୍‌ରୁ ଦଳ କିଭଳି ୫୦ ପ୍ରତିଶତରୁ ଅଧିକା ଭୋଟ ହାତେଇବ । ଏହି ରଣନୀତିକୁ ସଫଳ କରିବାରେ ବିଭିନ୍ନ ମୋର୍ଚ୍ଚାର ଭୂମିକା କଣ ରହିବ, ସେନେଇ କୋର୍‌ କମିଟିରେ ହୋଇଥିବା ନିଷ୍ପତ୍ତି ଉପରେ ଆଜିର ସଂଯୁକ୍ତ ମୋର୍ଚ୍ଚା ବୈଠକରେ ଆଲୋଚନା ହୋଇଛି । ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ଗ୍ରାଉଣ୍ଡ୍‌ରେ କିଭଳି ପହଞ୍ଚିବ, ବିଜେଡି ସରକାରଙ୍କୁ ଟାର୍ଗେଟ କରି, ତାର ବିଫଳତା ଲୋକଙ୍କ ଆଗରେ କିପରି ରଖିବ, ତାକୁ ନେଇ ନେଇ ପଦାଧିକାରୀ ବୈଠକରେ ଯେଉଁ ରଣନୀତି ହୋଇଛି ବୁଥ୍‌ ସ୍ତରରେ ତାର କାର୍ଯ୍ୟକାରୀ ଉପରେ ସଂଯୁକ୍ତ ମୋର୍ଚ୍ଚା ବୈଠକରେ ଆଲୋଚନା ହୋଇଛି । ଆଜିର ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏହା ପୂର୍ବରୁ କେନ୍ଦ୍ରୀୟ ନେତୃତ୍ୱଙ୍କ ଉପସ୍ଥିତିରେ ଶୁକ୍ରବାର ସମନ୍ୱୟ ବୈଠକ ବସିଥିଲା । ସେହିପରି ଶନିବାର ବସିଥିଲା ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭପତି ବୈଠକ ।

ଏହା ମଧ୍ୟ ପଢ଼ନ୍ତୁ...'ବିଜେଡି ସହ ମେଣ୍ଟ ଅସମ୍ଭବ, ଏକାକୀ ଲଢ଼ିବ ବିଜେପି'

ବୈଠକ ପରେ ସୂଚନା ଦେଇ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ କହିଛନ୍ତି, "ରାଜ୍ୟରେ କୃଷକ ମାନଙ୍କ କିଭଳି ଆୟ ଦ୍ବିଗୁଣିତ ହେବ, ସେନେଇ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାର ସହଯୋଗ ରହିଛି । ରାଜ୍ୟରେ ମଣ୍ଡି ସମସ୍ୟା ବ୍ୟାପକ ଭାବେ ରହିଛି । ମଣ୍ଡିର ଭିତ୍ତିଭୂମି ନାହିଁ । ଫଳରେ ଚାଷୀ ହଇରାଣ ହେଉଛନ୍ତି । ମଣ୍ଡିରେ କଟନୀ ଛଟନୀ ନେଇ ଚାଷୀ ଅସୁବିଧାରେ ସମ୍ମୁଖୀନ ହେଉଛି । ସବୁ କଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି । ଆଗାମୀ ଦିନରେ କୃଷକ କ୍ରାନ୍ତି ଆନ୍ଦୋଳନ କରିବ ।"

ସେହିଭଳି ମହିଳା ମୋର୍ଚ୍ଚାର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ମହିଳା ବିଜେପି ସଭାନେତ୍ରୀ ଡଃ ଐଶ୍ବର୍ଯ୍ୟା ବିଶ୍ବାଳ । ସେ କହିଛନ୍ତି, "ରାଜ୍ୟରେ ବିପୁଳ ସଂଖ୍ୟାରେ ମହିଳା ଭୋଟ ଦେବେ । ନାରୀ ଶକ୍ତି ବନ୍ଦନ ଅଧିନିୟମ କେନ୍ଦ୍ର ସରକାରଙ୍କ ମହିଳା ମାନଙ୍କ ପାଇଁ ଏକ ବଡ଼ ଦାନ । ମହିଳା ମାନେ କିଭଳି ସବୁ ସ୍ତରରେ ବିକାଶ ହୋଇପାରିବ ସେ ନେଇ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ହୋଇଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରି ନିଜ ନାଁରେ ବାହା ବାଃ ନେଉଛି । ଏସ୍‌ଏଚ୍‌ଜି ମହିଳା ମାନଙ୍କ ପାଇଁ କେନ୍ଦ୍ର ସରକାର ପାଣ୍ଠି ବ୍ୟବସ୍ଥା କରିଛନ୍ତି । ଏହି ବାର୍ତ୍ତାକୁ ଆମେ ବୁଥ୍‌ ସ୍ତରରେ ପ୍ରତି ମହିଳାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବୁ ।"

ପ୍ରକାଶଯୋଗ୍ୟ, ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨୦୨୩ ବର୍ଷର ଶେଷ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସମସ୍ତ ନେତା । ଏହାପରେ ଆରମ୍ଭ ହୋଇଥିଲା ବିଜେପିର ସଂଯୁକ୍ତ ମୋର୍ଚ୍ଚା ବୈଠକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details