ଭୁବନେଶ୍ବର:ଓଡ଼ିଶାରେ ଆତ୍ମହତ୍ୟା, ହତ୍ୟା, ଚୋରି, ରାହାଜାନୀ ଓ ଦୁର୍ଘଟଣା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ୫ ବର୍ଷ ଭିତରେ ଆତ୍ମହତ୍ୟା ମାମଲା ସଂଖ୍ୟା ଢେର ବଢ଼ିଛି । ସେହିପରି ରାଜ୍ୟରେ ଅନ୍ୟାନ୍ୟ ଅପରାଧ ମଧ୍ୟ ବଢୁଥିବା ଜଣାପଡିଛି । ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି ।
ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସୂଚନା ଅନୁସାରେ, "୨୦୧୮ ମସିହାରେ ଓଡ଼ିଶାରେ ୪,୪୪୭ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଛି । ୨୦୧୯ରେ ୪,୬୩୬ଟି, ୨୦୨୦ରେ ୫,୪୮୨ଟି, ୨୦୨୧ରେ ୫, ୬୪୯ଟି ମାମଲା ରୁଜୁ ହୋଇଛି । ତେବେ ୨୦୨୨ରେ ଓଡ଼ିଶାରେ ୬,୧୪୦ଟି ଆତ୍ମହତ୍ୟା ମାମଲା ଦାଖଲ ହୋଇଛି । ୨୦୧୮ରେ ରାଜ୍ୟରେ ୯୦୬୯ଟି ଚୋରି ମାମଲା ରୁଜୁ ହୋଇଛି । ୨୦୨୦ରେ ତାହା ୧୦,୪୧୨ ଓ ୨୦୨୧ରେ ୧୩,୦୨୪ ଥିଲା । ସେହିପରି ୨୦୨୨ରେ ଚୋରି ମାମଲା ସଂଖ୍ୟା ବୃଦ୍ଧି ପାଇ ୧୪,୮୯୩ରେ ପହଁଚିଛି ।"
ଏହା ବି ପଢନ୍ତୁ...Odisha Assembly Mansoon Session: ବିଧାନସଭାରେ ଓଡ଼ିଶା ପୌର ବିଧି ବିଧେୟକ ପାରିତ
ସେହିଭଳି ସଡ଼କ ଦୁର୍ଘଟଣା ରାଜ୍ୟରେ ବାର୍ଷିକ ୧୧ ହଜାରରୁ ଅଧିକ ରହୁଛି । ୨୦୧୮ ଓ ୨୦୧୯ ବର୍ଷରେ ଯଥାକ୍ରମେ ୧୧, ୨୬୨ ଓ ୧୧, ୦୬୪ଟି ଦୁର୍ଘଟଣା ମାମଲା ପଞ୍ଜୀକୃତ ହୋଇଛି । ୨୦୨୦ ଓ ୨୦୨୧ରେ ଏହା ଯଥାକ୍ରମେ ୯୮୧୭ ଓ ୧୦, ୯୮୩କୁ ହ୍ରାସ ପାଇଥିଲା । କାରଣ ସେ ସମୟରେ କୋଭିଡଜନିତ କଟକଣା ରହିଥିଲା । ତେବେ ପୁଣି ୨୦୨୨ରେ ରୁଜୁ ହୋଇଥିବା ମୋଟରଯାନ ଦୁର୍ଘଟଣା ମାମଲା ସଂଖ୍ୟା ବୃଦ୍ଧି ପାଇ ୧୧, ୬୬୩ରେ ପହଞ୍ଚିଛି ।