ଭୁବନେଶ୍ବର: ଷୋଡଶ ବିଧାନସଭା ଦ୍ବାଦଶ ତମ ଅଧିବେଶନ ବଜେଟ ଅଧିବେଶନର ଆଜି ତୃତୀୟ ଦିବସ ବେଶ ସ୍ବାଭାବିକ ହୋଇଛି । ଗୃହରେ ପ୍ରଶ୍ନକାଳ, ଶୁନ୍ୟକାଳ, ସହ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହୋଇଛି । ଏତତ ବ୍ଯତୀତ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ସ୍ବତନ୍ତ୍ର ମୋସନ ଜରିଆରେ ଆଲୋଚନା ହୋଇଛି । ଆଜି ତୃତୀୟ ଦିନରେ ବିନା ବାଧାରେ ବିଧାନସଭା କାର୍ଯ୍ୟ ସମ୍ପନ୍ନ ହୋଇଛି । ଆଜି ସଂଧ୍ୟାରୁ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ହୋଇଥିବା ଆଲୋଚନା ରାତି ଯାଏଁ ଚାଲିଥିଲା । ରାତି 9 ଟା ରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆସନ୍ତାକାଲି ପୂର୍ବାହ୍ନ 10.30 ଯାଏଁ ବିଧାନସଭାକୁ ମୁଲତବୀ ରଖିଛନ୍ତି ।
ଆଜି ବିଧାନସଭା ବଜେଟ ଅଧିବେଶନ ତୃତୀୟ ଦିବସ ସ୍ବାଭାବିକ ଥିଲା । ପ୍ରଶ୍ନକାଳରେ ସଦସ୍ୟ ମାନେ ବିଭିନ୍ନ ବିଭାଗର ପ୍ରଶ୍ନ ଓ ନିଜ ନିଜ ଅଞ୍ଚଳ ସମସ୍ୟା ଉଠାଇଥିଲେ । ଯାହାର ଜବାବ ମନ୍ତ୍ରୀ ମାନେ ଦେଇଥିଲେ । ସେହିପରି ପ୍ରଶ୍ନକାଳରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କୁ ପ୍ରଶ୍ନ ପଚାରିବାକୁ ଅନୁମତି ନମିଳିବାରୁ ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ ।
ଏହାବି ପଢନ୍ତୁ - Naba Das Murder Mystery : ସ୍ବତନ୍ତ୍ର ମୋସନ ଜରିଆରେ ବିଧାନସଭାରେ ଆଲୋଚନା ଜାରି
ଶୁନ୍ୟକାଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ପୁଣି ଥରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ । ଜୟ କହିଥିଲେ ଶାସକ ଦଳ ମତେ ଗୁଣ୍ଡା ହତ୍ୟାକାରୀ କହୁଛନ୍ତି । ଯଦି ମୁଁ ହତ୍ୟାକାରୀ ଚାର୍ଚସିଟ ଦାଖଲ କରନ୍ତୁ । କାହାକୁ କୌଣସି ଅସମ୍ମାନ କରିଥିବା ପ୍ରମାଣିତ ହେଲେ ରାଜନୀତି ଛାଡିଦେବି । ଏଥିସହ ରାଜ୍ୟ ସରକାରଙ୍କୁ କଡା ପ୍ରହାର କରି ଖୋଲା ବିତର୍କ ପାଇଁ ଆହ୍ବାନ ଦେଇଥିଲେ ଜୟ । ସରକାରୀ ଦଳ ବିଧାୟକଙ୍କ ଅପରାଧ ତାଳିକା ଦେଇ କହିଥିଲେ ୪୬ ଜଣ ବିଧାୟକ ମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କ ନାମରେ ୧୮୦ ମାମଲା ରହିଛି । ୬ ଜଣଙ୍କ ବିରୋଧରେ ୩୦୭ ଲାଗିଛି । ୨ଜଣ ବିଧାୟକଙ୍କ ବିରୋଧରେ ୩୯୫ ଡକାୟତି ସହ , ୯ ଜଣ ବିଧାୟକଙ୍କ ବିରୋଧରେ 379 ଚୋରି, ୪ଜଣଙ୍କ ବିରୋଧରେ ୧୭୧ ଲାଞ୍ଚ, ୨୮ ଜଣଙ୍କ ବିରୋଧରେ ୫୦୬ ଧମକ ଦେବା, ୫ଜଣ ବିଧାୟକଙ୍କ ବିରୋଧରେ ୩୫୪ ମହିଳାଙ୍କୁ ଅସଦାଚରଣ, ଜଣଙ୍କ ବିରୋଧରେ ୩୭୬ ଦୁଷ୍କର୍ମ, ୪ ଜଣକଙ୍କ ବିରୋଧରେ ୩୬୫ ୩୬୩ ଅପହରଣ ମାମଲା ରହିଛି । ଏହା ବିଜେଡିକୁ ଦେଖାଯାଉଛି ନା ନାହିଁ ବୋଲି ପାଲଟା ଆକ୍ରମଣ କରିଥିଲେ ।