ଭୁବନେଶ୍ବର : ଭୁବନେଶ୍ବରରେ ବାଲ୍ୟ ବିବାହ ରୋକିବା ସମ୍ବନ୍ଧୀୟ ଏକ ବୈଶ୍ବିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ଓଡ଼ିଶା ଆସିଥିବା ବିଭିନ୍ନ ଦେଶର ପ୍ରତିନିଧିଙ୍କ ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାର କିଶୋରୀ ଚମ୍ପିଆନମାନେ ଆଲୋଚନା କରିଛନ୍ତି । ଏଥିରେ ୨୦ ଜଣ ବାଳିକା ଯୋଗଦେଇ ଅନ୍ତର୍ଜାତୀୟ ପରିଦର୍ଶକଙ୍କ ସହ ଆଲୋଚନା କରିଥିଲେ । ତେବେ ଏମାନଙ୍କ ମଧ୍ୟରୁ କିଛି ବାଳିକା କିପରି ବୟସ ପୂର୍ବରୁ ପରିବାର ଲୋକଙ୍କ ଦ୍ବାରା ବିବାହ ପାଇଁ ଦିଆଯାଉଥିବା ଚାପକୁ ବିରୋଧ କରିଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏହି ଆଲୋଚନାରେ କାନାଡ଼ାର ଗ୍ଲୋବାଲ ଆଫାୟାର୍ସର ଉପ ନିର୍ଦ୍ଦେଶିକା ଇସାବେଲୀ ସୋଲୋଲ ହେଲାଲ, ଶିଶୁ ସୁରକ୍ଷା ଏବଂ ବାଲ୍ୟ ବିବାହ ମୁଖ୍ୟ ଆଲି ହେନଡି, ୟୁଏନଏଫପିଏର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ କିଶୋରୀ ମାନଙ୍କୁ ବାଲ୍ୟ ବିବାହ ଏବଂ ଗର୍ଭଧାରଣା ସମ୍ପର୍କିତ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ସକାରତ୍ମକ ମନୋଭାବ ଥିବା ପରିବାର ଗୁଡ଼ିକୁ ସମର୍ଥନ କରିବା ସହିତ ଝିଅ ମାନଙ୍କୁ ଭବିଷ୍ୟତ ପାଇଁ ସଶକ୍ତ କରିବା ଏବଂ ସେମାନଙ୍କୁ ଦୃଢ଼ କରିବାରେ ସକ୍ଷମ କରିଥାଏ ।
ଏହି ପରିପ୍ରେକ୍ଷୀରେ କିଶୋରୀମାନେ ସେମାନଙ୍କର କାହାଣୀ ବର୍ଣ୍ଣନା କରିବା ସହିତ ପରିଦର୍ଶକଙ୍କୁ ମଧ୍ୟ ପ୍ରଶ୍ନ ପଚାରିଥିଲେ । ଏହି ଅବସରରେ ନବରଙ୍ଗପୁରର ମାଳତୀ ପୂଜାରୀ କହିଥିଲେ, ''ମୁଁ ୧୫ ବର୍ଷ ବୟସର ହୋଇଥିବା ବେଳେ ମୋ ବାପା, ମାଆ ମୋ ବାହାଘର କରାଇବାକୁ ଚାହୁଁଥିଲେ । ହେଲେ ମୁଁ ମନା କରିଥିଲି । ତଥାପି ଶୁଣିନଥିଲେ ପରିବାର ଲୋକେ । ପରେ ସାହାସ କରି ଅଙ୍ଗନବାଡ଼ି ଦିଦିଙ୍କ ସହିତ କଥା ହେଲି । ଏହାପରେ ଉଭୟେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଭେଟିଲୁ । ଫଳରେ ସେମାନେ ମୋ ବାପା, ମାଆଙ୍କୁ ଶୀଘ୍ର ବିବାହ ନକରାଇବାକୁ ବୁଝାଇ ପାରିଥିଲେ । ଏହାପରେ ଅଙ୍ଗନବାଡ଼ି ଦିଦି ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ମୋତେ ଔଦ୍ୟୋଗିକ ପ୍ରଶିକ୍ଷଣ କେନ୍ଦ୍ରରେ ସିଲାଇ ତାଲିମ ଗ୍ରହଣ କରିବାରେ ସାହାଯ୍ୟ କରିଥିଲେ । ଆଜି ମୁଁ ମାସିକ ୮ ହଜାର ଟଙ୍କା ରୋଜଗାର କରି ପରିବାରକୁ ଆର୍ଥିକ ସହଯୋଗ ଯୋଗାଇ ପାରୁଛି । ''