ଓଡିଶା

odisha

ଲୋକଙ୍କୁ ସେବା ଯୋଗାଇବାରେ ଆନ୍ତରିକତା ରଖ: ଅତିରିକ୍ତ ଶାସନ ସଚିବ

By

Published : Jul 2, 2023, 11:20 AM IST

୨୦୨୦ ବ୍ୟାଚର ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ । ଅଧିକ ପଢନ୍ତୁ

Odisha Administrative Service 2020 batch Training Program
Odisha Administrative Service 2020 batch Training Program

ଭୁବନେଶ୍ବର:ଆୟୋଜିତ ହୋଇଯାଇଛି ୨୦୨୦ ବ୍ୟାଚର ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଶନିବାର ରାଜସ୍ବ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୋଠପାଟଣାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ଉଦଘାଟନ କରିଥିଲେ । ସରକାରଙ୍କର ସମସ୍ତ ନିଷ୍ପତ୍ତି ତଥା ନୀତି ନିୟମକୁ ଲୋକାଭିମୁଖୀ କରାଇବାରେ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ତେଣୁ ଲୋକଙ୍କୁ ସେବା ଯୋଗାଇବାରେ ବ୍ୟକ୍ତିଗତ ଉଦ୍ୟମ ତଥା ଆନ୍ତରିକତା ରଖିବାକୁ ସେ ପରାମର୍ଶ ଦେଇଥିଲେ।

ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ ଯେ, ରାଜସ୍ବ ବିଭାଗ ହେଉଛି ସରକାରଙ୍କର ମୁଖଶାଳା । ରାଜ୍ୟ ସରକାରଙ୍କର ୫ଟି ଉପକ୍ରମ ଏବଂ ମୋ ସରକାର ଆଭିମୁଖ୍ୟ ଅନୁଯାୟୀ ସମସ୍ତ ଯୋଜନାକୁ ସଫଳ କରାଇବା ପାଇଁ ସେ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଉପଦେଶ ଦେଇଛନ୍ତି । ଶିକ୍ଷାନବୀଶଙ୍କୁ ଭବିଷ୍ୟତରେ ଦିଆଯାଉଥିବା ସମସ୍ତ କାର୍ଯ୍ୟ ନିଷ୍ଠା ଓ ପ୍ରତିବଦ୍ଧତାର ସହିତ ସମ୍ପାଦନ କରିବା ସହ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ ଦରଖାସ୍ତକାରୀଙ୍କୁ ଉପଯୁକ୍ତ ସମ୍ମାନ ସହିତ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଅତିରିକ୍ତ ଶାସନ ସଚିବ ।

ଏହା ମଧ୍ୟ ପଢନ୍ତୁ-ସାଧାରଣ ଜନତାଙ୍କ କଲ୍ୟାଣ ପ୍ରଶାସନିକ ଅଧିକାରୀଙ୍କର ହେଉ ମୂଳମନ୍ତ୍ର: ମନ୍ତ୍ରୀ

ସେହିପରି ସେ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଶାର ସମସ୍ତ ଜିଲ୍ଲାରେ ବୈଶିଷ୍ଟତା ଭରି ରହିଛି । ଯେ କୌଣସି ଜିଲ୍ଲାରେ ନିଯୁକ୍ତି ମିଳିଲେ, ସେହି ଜିଲ୍ଲାରେ କାର୍ଯ୍ୟକୁ ସ୍ବାଚ୍ଛନ୍ଦରେ ନିର୍ବାହ କରିବା ନିମନ୍ତେ ସେ ଶିକ୍ଷାନବୀଶଙ୍କୁ ଅନୁପ୍ରାଣିତ କରିଛନ୍ତି । ଓଡ଼ିଶାର ଜନସାଧାରଣଙ୍କୁ ସେବା ଯୋଗାଇବା ସମୟରେ ବ୍ୟକ୍ତିଗତ ଉଦ୍ୟମ ତଥା ଆନ୍ତରିକତା ରଖିବାକୁ ସେ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ଓ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ, ପୂର୍ବତନ ଓଡିଶା ଲୋକ ସେବା ଆୟୋଗର ସଭ୍ୟ ଡଃ. ନିରଞ୍ଜନ ସାହୁ, ଶିକ୍ଷାନବୀଶଙ୍କୁ ଲୋକମାନଙ୍କ ହିତରେ କାମ କରିବା ନିମନ୍ତେ ପ୍ରଶାସନିକ ସେବା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ରାଜସ୍ବ ଅଧିକାରୀ ପ୍ରଶିକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ ପରିଚାଳନା କରିଥିଲେ । କର୍ମଶାଳାକୁ ଉପଯୋଗ କରି ରାଜସ୍ବ ବିଭାଗର ସମସ୍ତ ନିୟମ କାନୁନ ବିଷୟରେ ପୂଙ୍ଖାନୁପୁଙ୍ଖ ଭାବେ ଅବଗତ ହୋଇ ଲୋକମାନଙ୍କ ସେବା କରିବାକୁ ଉଦବୋଧନ ମଧ୍ୟ ଦେଇଥିଲେ । ଉଦଘାଟନ ସମାରୋହରେ ଯୁଗ୍ମ ନିର୍ଦ୍ଦେଶକ ଆଶିଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details