ଓଡିଶା

odisha

'ଶହୀଦ ଦେବାଶିଷଙ୍କ ପରିବାରକୁ ୧ କୋଟି ଅନୁକମ୍ପା ରାଶି ଦିଅନ୍ତୁ ସରକାର'

By

Published : Apr 22, 2023, 9:48 PM IST

ଶହୀଦ ଦେବାଶିଷ ବିଶ୍ବାଳଙ୍କ ପରିବାରକୁ ୧ କୋଟି ଅନୁକମ୍ପା ରାଶି ଦେବାକୁ ଦାବି କଲା ଓଡ଼ିଶା ଆପ୍‌ । ଗତକାଲି ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat

'ଶହୀଦ ଦେବାଶିଷଙ୍କ ପରିବାରକୁ ୧ କୋଟି ଅନୁକମ୍ପା ରାଶି ଦିଅନ୍ତୁ ସରକାର

ଭୁବନେଶ୍ବର:ଶହୀଦ ଓଡ଼ିଆ ବୀର ଯବାନ ଦେବାଶିଷ ବିଶ୍ବାଳଙ୍କ ପରିବାରକୁ ରାଜ୍ୟ ସରକାର ୧ କୋଟି ଅନୁକମ୍ପା ରାଶି ଦେବାକୁ ଦାବି କଲା ଆମ ଆଦମୀ ପାର୍ଟି । ବାହାର ରାଜ୍ୟରେ ୧ କୋଟି ଅର୍ଥ ରାଶି ପ୍ରଦାନ କରାଯାଉଥିବା ବେଳେ ଓଡ଼ିଶାରେ ଏହା ମାତ୍ର ୨୫ ଲକ୍ଷ ରହିଛି । ଏହାକୁ ବୃଦ୍ଧି କରି ୧ କୋଟି କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ଆମ ଆଦମୀ ପାର୍ଟି। ଏହାସହ ସେହି ପରିବାରର ଜଣେ ସଦସ୍ୟଙ୍କୁ ସରକାର ଚାକିରି ଦେବାକୁ ମଧ୍ୟ ଦାବି ହୋଇଛି ।

ଗତ ୨୦ ତାରିଖରେ ଜମ୍ମୁକାଶ୍ମୀରର ପୁଞ୍ଚ ଅଞ୍ଚଳରେ ହୋଇଥିବା ଆତଙ୍କୀ ହମଲାରେ ୫ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଆମ ଆଦମୀ ପାର୍ଟି ଓଡିଶା ପକ୍ଷରୁ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ୫ ଜଣ ଶହୀଦଙ୍କ ମଧ୍ୟରେ ସାକ୍ଷୀଗୋପାଳ ନିବାସୀ ଓଡ଼ିଆ ଯବାନ ଦେବାଶିଷ ବିଶ୍ଵାଳ ମଧ୍ୟ ରହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଶହୀଦ ଓଡ଼ିଆ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

ଏପଟେ କିନ୍ତୁ ଦିଲ୍ଲୀ ସରକାର ୨୦୧୮ ମସିହାରୁ କର୍ତ୍ତବ୍ୟରେ ଥାଇ ପ୍ରାଣ ହରାଉଥିବା ଦିଲ୍ଲୀ ନିବାସୀ ସୈନିକ, ପୋଲିସ କର୍ମୀ, ଅଗ୍ନିଶ୍ରମ କର୍ମଚାରୀ ଓ ହୋମଗାର୍ଡଙ୍କ ପରିବାରଙ୍କୁ ୧ କୋଟି ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରି ଆସୁଛନ୍ତି । ପଞ୍ଜାବରେ ମଧ୍ୟ ନିକଟରେ ନିର୍ବାଚିତ ହୋଇ ଆସିଥିବା ଆପ ସରକାର ସମ୍ମାନ ରାଶି ୧ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଗତବର୍ଷ ଗୁଜରାଟ ବିଧାନସଭା ପାଇଁ ହୋଇଥିବା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଚାପ ଯୋଗୁଁ ସେଠିକାର ରାଜ୍ୟ ସରକାର ମଧ୍ୟ ଏହି ସମ୍ମାନ ରାଶି ୧ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଏହା ବି ପଢନ୍ତୁ- Poonch Terror Attack: ଶହୀଦ ଦେବାଶିଷଙ୍କ ପରିବାରକୁ 25ଲକ୍ଷ ଅନୁକମ୍ପା ସହାୟତା

ବୀର ଯବାନ ଶହୀଦ ହେବା ପରେ ଦେଶର କ୍ଷତି ହେବା ସଙ୍ଗେ ସଙ୍ଗେ ଶହୀଦ ପରିବାରର ଯେଉଁ କ୍ଷତି ହୁଏ କୌଣସି ସରକାର ସେହି ପରିବାରକୁ ଯେତେ ଅଧିକ ସମ୍ମାନ ରାଶି ଦେଲେ ମଧ୍ୟ କ୍ଷତି କେବେ ପୂରଣ କରିପାରିବେ ନାହିଁ । ତେବେ ଶହୀଦ ବିଶ୍ଵାଳଙ୍କ ସହିତ ପୁଞ୍ଚ ଘଟଣାରେ ପଞ୍ଜାବ ରାଜ୍ୟର ଆଉ ୪ ଜଣ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସେମାନଙ୍କ ପରିବାର ପାଇଁ ୧ କୋଟି ଟଙ୍କା ଲେଖାଏଁ ସମ୍ମାନ ରାଶି ଓ ସେମାନଙ୍କ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ସରକାରୀ ଚାକିରି ଦେବେ ବୋଲି ଘୋଷଣା କରିଛନ୍ତି।

ଏନେଇ ଆମ ଆଦମୀ ପାର୍ଟି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛି । ଆଉ ପ୍ରଶ୍ନ କରି କହିଛି, "ଓଡ଼ିଶା ସରକାର ମଧ୍ୟ ସେହି ପରିମାଣର ସମ୍ମାନ ରାଶି ଦେବାରେ କାହିଁକି କାର୍ପଣ୍ୟତା ପ୍ରଦର୍ଶନ କରୁଛନ୍ତି ? ୨ ଲକ୍ଷ କୋଟି ଟଙ୍କାର ବଜେଟ ଥିବା ଓଡ଼ିଶା ସରକାରଙ୍କ ରାଜକୋଷରୁ ଏହି ରାଶି ଦେଲେ କ'ଣ ତାହା ଖାଲି ହୋଇଯିବ ? ଓଡ଼ିଆ ଯବାନ କ'ଣ ଦିଲ୍ଲୀ ଓ ପଞ୍ଜାବର ଯବାନଙ୍କଠାରୁ କୈାଣସି ହିସାବରେ କମ ଅଟନ୍ତି ? ଓଡିଶା ଆପ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରୁଛି ଯେ ସେ ଏହି ସମ୍ମାନ ରାଶିକୁ ୧ କୋଟି ଟଙ୍କାକୁ ବୃଦ୍ଧି କରନ୍ତୁ ଓ ଏହାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏକ୍ସଗ୍ରାସିଆ ଆକାରରେ ନଦେଇ ସରକାରଙ୍କ ବଜେଟରୁ ଦେବା ପାଇଁ ଆଇନ ଆଣନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details