ଓଡିଶା

odisha

ETV Bharat / state

ଶ୍ରମ ମନ୍ତ୍ରୀଙ୍କ ସହ କଥା ହେଲେ ନବୀନ; ଗୁରୁବାର ଫେରିବେ ଉଦ୍ଧାର ଓଡ଼ିଆ ଶ୍ରମିକ - ଗୁରୁବାର ଫେରିବେ ଉଦ୍ଧାର ଓଡ଼ିଆ ଶ୍ରମିକ

ଉତ୍ତରକାଶୀ ଦୁର୍ଘଟଣାଗ୍ରସ୍ତ ଟନେଲରୁ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ । ଓଡ଼ିଆ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଶ୍ରମ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଆସନ୍ତା ଗୁରୁବାର ଓଡ଼ିଶା ଫେରିବେ ଉଦ୍ଧାର ଓଡ଼ିଆ ଶ୍ରମିକ । ଅଧିକ ପଢ଼ନ୍ତୁ

ଟନେଲରୁ ୫ ଓଡ଼ିଆ ଶ୍ରମିକ ଉଦ୍ଧାର
ଟନେଲରୁ ୫ ଓଡ଼ିଆ ଶ୍ରମିକ ଉଦ୍ଧାର

By ETV Bharat Odisha Team

Published : Nov 29, 2023, 6:49 AM IST

ଭୁବନେଶ୍ବର: ଦୀର୍ଘ ୧୭ ଦିନ ପରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସି ରହିଥିବା ୫ ଜଣ ଓଡ଼ିଆଙ୍କ ସମେତ ୪୧ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ । ଗତ ୫ ଦିନ ହେଲା ଶ୍ରମମନ୍ତ୍ରୀ ଉତ୍ତରାଖଣ୍ଡରେ ରହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସମସ୍ତେ ସୁସ୍ଥ ଅଛନ୍ତି । କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ହସ୍ପିଟାଲକୁ ନିଆଯାଇଛି । ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ମନ୍ତ୍ରୀ ସାରଦା ପ୍ରସାଦ ନାୟକ କହିଛନ୍ତି । ଏଥିସହ ଆସନ୍ତା ଗୁରୁବାର ଦିନ ଶ୍ରମିକମାନଙ୍କୁ ସାଙ୍ଗରେ ନେଇ ସେ ଓଡିଶା ଫେରିବେ ବୋଲି ସୂଚନା ଦେଇଛନ୍ତି ।

ଉତ୍ତରକାଶୀର ନିର୍ମାଣାଧୀନ ଟନେଲ୍‌ ଭୁଶୁଡ଼ି ପଡ଼ିବା ଯୋଗୁଁ ଓଡ଼ିଶାର ୫ ଜଣ ସମେତ ୪୧ ଜଣ ଶ୍ରମିକ ଫସି ରହିଥିଲେ । ଉଦ୍ଧାର କାର୍ଯ୍ୟ ତଦାରଖ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨୫ ତାରିଖରୁ ଘଟଣାସ୍ଥଳକୁ ଯାଇଛନ୍ତି ଶ୍ରମ ମନ୍ତ୍ରୀ । ଦୀର୍ଘ 17 ଦିନର ଅକ୍ଲାନ୍ତ ଉଦ୍ୟମ ପରେ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ସଫଳ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ । ଶ୍ରମିକଙ୍କ ବର୍ତ୍ତମାନର ସ୍ଥିତି ଓ ଅବସ୍ଥା ବାବଦରେ ସେ ଅବଗତ କରାଇଛନ୍ତି । ଆଗାମୀ ୨୪ ଘଣ୍ଟା ୫ ଶ୍ରମିକଙ୍କୁ ଡାକ୍ତରଙ୍କ ନିରୀକ୍ଷଣରେ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଗୁରୁବାର ଦିନ ସମସ୍ତ ୫ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିବେ । ମନ୍ତ୍ରୀଙ୍କ ସହ ଉତ୍ତରାଖଣ୍ଡ ଯାଇଥିବା ପରିବାର ସଦସ୍ୟଙ୍କ ସହ ସମସ୍ତ ଶ୍ରମିକ ସାକ୍ଷାତ କରିସାରିଛନ୍ତି । ବୁଧବାର ସକାଳେ ହସ୍ପିଟାଲ ଯାଇ ପୁନର୍ବାର ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ବାବଦରେ ବୁଝିବୁ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଧାମିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ପ୍ରତ୍ୟେକ ଶ୍ରମିକଙ୍କୁ ଉତ୍ତରାଖଣ୍ଡ ସରକାର ଦେବେ ଲକ୍ଷେ ଟଙ୍କା ସହାୟତା

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅପରେସନରେ ନିୟୋଜିତ ଥିବା ବିଭିନ୍ନ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି । ଫସି ରହିଥିବା ସମସ୍ତ ଶ୍ରମିକ ନିରାପଦରେ ଘରକୁ ଫେରୁଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସଫଳ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ ସରକାର, ଏନଡିଆରଏଫ ଏବଂ ପ୍ରତିରକ୍ଷା ଦଳକୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟନେଲ ଭିତରେ ଅକ୍ଲାନ୍ତ ପରିଶ୍ରମ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିବା ଟିମକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଖବର ଜାଣିବା ପରେ ଖୁସି ଲାଗୁଛି । ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ୫ ଜଣ ଓଡିଆଙ୍କ ସମେତ ୪୧ ଜଣ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସମ୍ପୃକ୍ତ ଶ୍ରମିକଙ୍କ ଓ ତାଙ୍କ ପରିବାର ସଦସ୍ୟଙ୍କୁ ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତିକେୟନ, ନିର୍ଦ୍ଦେଶକ ଦିଲୀପ ରାଉତରାଏ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ସେନା, ଏନଡିଆରଏଫ, ଏସଡିଆରଏଫ, ବିଆରଓ, ରେଳ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଟେଲିକମ ବିଭାଗ, ଡିଆରଡିଓ ସମେତ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ଉତରାଖଣ୍ଡ ରାଜ୍ୟ ସରକାର, ସ୍ଥାନୀୟ ପୋଲିସ ଓ ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଅନୁଷ୍ଠାନକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details