ଭୁବନେଶ୍ବର:ପାରିବାରିକ ମୂଲ୍ୟବୋଧ, ପରିବାରର ସ୍ନେହ ଶ୍ରଦ୍ଧା ଭଲପାଇବାର ନିଚ୍ଛକ କାହାଣୀ ସହ ଗାଁ ମାଟିର ମହକକୁ ନେଇ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ଚଳଚିତ୍ର ସମୀକ୍ଷା । ବର୍ତ୍ତମାନ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଆୟୋଜିତ ହୋଇଛି । ଏହି ସ୍ବତନ୍ତ୍ର ଉତ୍ସବରେ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ରହି ସିନେ ସମିକ୍ଷକଙ୍କ ସହ ଚଳଚ୍ଚିତ୍ରଟିକୁ ଦେଖିଥିଲେ । ଏବଂ ଫିଲ୍ମଟି ସମସ୍ତ ଦର୍ଶକଙ୍କ ବି ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ନିର୍ମାତା ।
ବିକ୍ୟୁବ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ସମୀକ୍ଷା’ । ଚଳଚ୍ଚିତ୍ରଟି ଆସନ୍ତାବର୍ଷ ମୁକ୍ତିଲାଭ କରିବା ପାଇଁ ପ୍ରଯୋଜନା ସଂସ୍ଥା ଲକ୍ଷ୍ୟ ରଖିଥିବାବେଳେ ଏହାର ସ୍ବତନ୍ତ୍ର ସ୍କ୍ରିନିଂ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫିଲ୍ମର ପୁରା କାଷ୍ଟ ଏବଂ କ୍ରୁ ଫିଲ୍ମର ମଜା ନେଇଛନ୍ତି । ୨ ଘଣ୍ଟାର ଏହି ଫିଲ୍ମର କାହାଣୀ ଓଡ଼ିଶା ପାଣି ପବନ ଓ ମାଟିର କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ପ୍ରତିଟି ଚରିତ୍ର ନିଜର ଅଭିନୟ ବେଶ ନିଖୁଣତାର ସହ କରିଛନ୍ତି ।
ଫିଲ୍ମ ବିଷୟରେ କହିବାକୁ ଗଲେ, ବିକାଶ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର କାହାଣୀକାର ଅଛନ୍ତି ପ୍ରଭାସିନୀ ପାଟ୍ଟଯୋଶୀ । ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ବରିଷ୍ଠ ନିର୍ଦ୍ଦେଶକ ରଞ୍ଜନ ମିଶ୍ର । ସଂଳାପ ଓ ଗୀତ ରଚନା କରିଛନ୍ତି ସଚ୍ଚି ମହାନ୍ତି । ପଞ୍ଚାନନ ନାୟକ ମଧ୍ୟ ଏକ ଗୀତ ଲେଖିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯଜ୍ଞ ଦାଶ ଏବଂ ବିଦ୍ୟାଧର । କଣ୍ଠଦାନ କରିଛନ୍ତି ପଣ୍ଡିତ ଶିବ ରଥ ଏବଂ କରୁଣାକର । ବିଶେଷ କରି ଚଳଚ୍ଚିତ୍ରଟି ତ୍ୟାଗ ଓ ସଂଘର୍ଷକୁ ନେଇ ଆଗେଇଛି ।