ଓଡିଶା

odisha

ETV Bharat / state

Etv Bharat କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସର୍ବସମ୍ମୁଖରେ ମାଡ ମାରିଲେ ଟୁଟୁ ନାୟକ - producer tutu nayak

ସବୁ ସୀମା ଟପିଗଲେ ଓଲିଉଡର ଜଣାଶୁଣା ପ୍ରଯୋଜକ ସଞ୍ଜୟ ନାୟକ । ଦାଗାଗିରି, ଗୁଣ୍ଡାଗିରି ଆଉ ପ୍ରତିପତିର ଅଂହକାରରେ ଇଟିଭି ଭାରତ କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡା, ବିଧା ମାରିଲେ ଟୁଟୁ ନାୟକ । ଓଲିଉଡର ତଥାକଥିତ ବଡ ପ୍ରଯୋଜକଙ୍କ ସାମ୍ବାଦିକାଙ୍କୁ ଆକ୍ରମଣ ପରେ ମାମଲା ପହଞ୍ଚିଛି ଥାନାରେ । ମାଡ ମାରିବା ପରେ ଇଟିଭି ଭାରତ ବୁମ ତଳେ ପଡିଯାଇଥିଲେ ବି ନଉଠାଇ ହସି ହସି ତାତ୍ସ୍ୟଲ୍ୟ କରି ଚାଲିଯାଇଥିଲେ କାଷ୍ଟିଂ କାଉଚ ଅଭିଯୁକ୍ତ ଟୁଟୁ ନାୟକ । ଅଧିକ ପଢନ୍ତୁ

ମହିଳା ସାମ୍ବାଦିକାଙ୍କୁ ମାଡ଼
ମହିଳା ସାମ୍ବାଦିକାଙ୍କୁ ମାଡ଼

By ETV Bharat Odisha Team

Published : Nov 3, 2023, 4:25 PM IST

Updated : Nov 3, 2023, 5:46 PM IST

ଭୁବନେଶ୍ବର:ସାମ୍ବାଦିକାଙ୍କୁ ପ୍ରଯୋଜକଙ୍କ ଦୁର୍ବ୍ୟବହାର । ସୀମା ଟପିଲେ ପ୍ରଯୋଜକ ଟୁଟୁ ନାୟକ । ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଜଣେ ମହିଳା ସାମ୍ବାଦିକାଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଭୁବନେଶ୍ବରରେ ଏକ ସିନେମା ହଲକୁ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକା । ସାମ୍ବାଦିକା ଜଣକ କିଛି ପ୍ରଶ୍ନ କରିବାକୁ ବୁମ ଉଠାଉଥିବାବେଳେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଜୋରରେ ମାଡ଼ ମାରିଛନ୍ତି ପ୍ରଯୋଜକ ଟୁଟୁ ନାୟକ । ଏନେଇ ଖାରବେଳ ନଗର ଥାନାରେ ମାମଲା ଦାୟର ହୋଇଛି । ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ପୂର୍ବରୁ କାଷ୍ଟିଂ କାଉଚ ଅଭିଯୋଗ ରହିଥିଲା । ଏପରିକି ଓଲିଉଡ ବିବାଦରେ ମଧ୍ୟ ବର୍ତ୍ତମାନ ଛନ୍ଦି ହୋଇପଡିଛନ୍ତି ଟୁଟୁ ନାୟକ । ସେପଟେ ସର୍ବସମ୍ମୁଖରେ ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ପରେ ପୁଣି ଟୁଟୁଙ୍କ ଅଡୁଆ ବଢିଛି ।

ମହିଳା ସାମ୍ବାଦିକାଙ୍କୁ ମାଡ଼

ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକାଙ୍କୁ ମାଡ଼ ମାରିବା ସହ ସଞ୍ଜୟ ନାୟକ ଖରାପ ଭାଷା ପ୍ରୟୋଗ କରିଥିବା ନେଇ ଅଭିଯୋଗ ହୋଇଛି । ଟୁଟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକା । ଏନେଇ ସେ ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡିଛି । ସେପଟେ ଏହି ଅଭିଯୋଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଟୁଟୁ ନାୟକ ଥଟ୍ଟାରେ ଏପରି କରିଥିବା କହିଛନ୍ତି । ସମସ୍ତଙ୍କ ସାମ୍ନାରେ ହାତ ଉଠାଇ ଏପରି ମାଡ଼ ମାରିଥିବାରୁ ଭାଙ୍ଗି ପଡିଥିବା ନେଇ କହିଛନ୍ତି ସାମ୍ବାଦିକା । ଜଣେ ମହିଳାଙ୍କ ଉପରେ ଏପରି ହାତ ଉଠାଇବା ଏବଂ ସର୍ବସମ୍ମୁଖରେ ଟୁଟୁ ନାୟକଙ୍କ ଏଭଳି ଆଚରଣକୁ ନିନ୍ଦା କରାଯାଇଛି ।

ସେପଟେ ଖାରବେଳ ନଗର ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି । ଇଟିଭି ଭାରତର ସିନେ ରିପୋର୍ଟର ଦେବସ୍ମିତା ରାଉତଙ୍କ ଅଭିଯୋଗ ଅନୁସାରେ, ଭୁବନେଶ୍ବର ଏସ କମ୍ପ୍ଲେକ୍ସରେ ଏକ ଫିଲ୍ମର ପ୍ରିମିୟର ସୋ ପାଇଁ ଖବର ପରିବେଷଣ ପାଇଁ ଯାଇଥିଲେ। ସେଠାରେ ଦେବସ୍ମିତା ଖବର‌ ପାଇଁ ଛିଡ଼ା ହୋଇଥିବା ସମୟରେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ହଠାତ୍ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ । ଏନେଇ ଦେବସ୍ମିତା କିଛି ଜାଣିବା ପୁର୍ବରୁ ପୁଣି ତାଙ୍କ ପିଠିକୁ ଆକ୍ରମଣ ସହ ତାଙ୍କୁ କିଛି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି । ଏହାପରେ ତାଙ୍କର ମୋବାଇଲ ସହ ତାଙ୍କର ବୁମ ତଳେ ପଡି ଯାଇଥିଲା । "ତେବେ କାହିଁକି ଏଭଳି ଆଚରଣ କରୁଛନ୍ତି ?" ବୋଲି ଟୁଟୁ ନାୟକଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକା । ହେଲେ ସେ କୈଣସି ଉତ୍ତର ଦେଇନଥିଲେ ।

ଏହା ବି ପଢନ୍ତୁ...ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ! ପାଟଣାଗଡ଼ ବିଧାୟକଙ୍କ ବିରୋଧରେ ଧାରଣା

ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା ସାମ୍ବାଦିକା । ଖାରବେଳନଗର ଥାନା ପୋଲିସ ଅଭିଯୋଗକୁ ଗ୍ରହଣ କରିଥିବାବେଳେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାରେ ହାଜର‌ ପାଁଇ କୁହାଯାଇଛି । ଘଟଣାକୁ ନେଇ ସାମ୍ବାଦିକଙ୍କ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ମହିଳାଙ୍କୁ ହାତ ଉଠାଇ ମାରିବା କେତେ ଯୁକ୍ତିଯୁକ୍ତ ? ବୋଲି ପ୍ରଶ୍ନ ଉଠିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 3, 2023, 5:46 PM IST

ABOUT THE AUTHOR

...view details