ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର 'ଡ଼ିଅର୍ ପୁରୁଷ'ର ଟ୍ରେଲର ରିଲିଜ ହୋଇଛି। ସମାଜରେ ନାରୀ-ପୁରୁଷର ସମ୍ପର୍କ ତଥା ପୁରୁଷ ସାମ୍ନା କରୁଥିବା ଆହ୍ୱାନକୁ ଏହି ଚଳଚ୍ଚିତ୍ରରେ ଉପସ୍ଥାପନ କରାଯାଇଛି । 'ଡ଼ିଅର୍ ପୁରୁଷ'ରେ ୬ ଜଣ ଦମ୍ପତିଙ୍କ ଜୀବନଯାତ୍ରା ଦର୍ଶକଙ୍କୁ ଏକ ସୁନ୍ଦର ଅନୁଭୂତି ଦେବ। ସବୁଠାରୁ ବଡ଼ କଥା ହେଲା ଯେ, ଏହି ସିନେମାରେ ଓଡ଼ିଆ ସିନେ ଜଗତର ଜଣାଶୁଣା ନାୟିକା ତଥା ପ୍ରଯୋଜିକା ଝିଲିକ ଭଟ୍ଟାଚାର୍ଯ୍ୟ ଏକ ଭିନ୍ନ ଧରଣର ଲୁକ୍ରେ ନଜର ଆସିବେ। ଯେଉଁଥିରେ ତାଙ୍କ ଅଭିନୀତ ଚରିତ୍ରର ନାଁ ରହିଛି ଚିତ୍ରାଙ୍ଗଦା। ସମାଜର ନୀତି ନିୟମ ଭିତରେ ନ୍ୟାୟ ପାଇଁ ଲଢୁଥିବା ବୀର ଯୋଦ୍ଧା ଭାବରେ ତାଙ୍କୁ ଦେଖିବାକୁ ପାଇବେ ଦର୍ଶକ।
ଏହାସହିତ ସିନେମାରେ ଲୋକପ୍ରିୟ କଳାକାର ଚୌଧୁରୀ ଜୟପ୍ରକାଶ ଦାସ, ମହାଶ୍ୱେତା ରାୟ, ସିଦ୍ଧାନ୍ତ ମହାପାତ୍ର, ନୀତୁ ସିଂ, ସମରେଶ ରାଉତରାୟ, ପିଙ୍କି ପ୍ରଧାନ, ବବି ମିଶ୍ର, ବି.ଏମ୍. ବୈଶାଳୀ, ଦେବାଶିଷ ପାତ୍ର, ଅନୁରାଧା ପାଣିଗ୍ରାହୀ, ଦିପନ୍ଵିତ ଦାସ ମହାପାତ୍ର, ଦିବ୍ୟାଦିଶା ମହାନ୍ତି, ପାର୍ଥ ସାରଥୀ ରାୟ, ହିମାଗ୍ନି ଦତ୍ତ, ଅନନ୍ୟା ମିଶ୍ର, ଇପ୍ସିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, କୁନା ତ୍ରିପାଠୀ, ସୁକାନ୍ତ ରଥ, ନାୟା ଜିଦାନ୍, ଐଶ୍ୱର୍ଯ୍ୟା ବେହେରା, ରବି ମିଶ୍ର, ମନୀଷା ମିଶ୍ର, ରାକ୍ଷୀ ଦାସ, ସୁଦୀପ୍ତ ସୁନ୍ଦର ସ୍ୱାଇଁ, ବିକି ମିଶ୍ର ପ୍ରମୁଖ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ। ଏହା କେବଳ 'ଡ଼ିଅର୍ ପୁରୁଷ'ର ସଫଳତାକୁ ସୂଚାଉ ନାହିଁ ବରଂ ଆଞ୍ଚଳିକ ସିନେମା ଉପରେ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇବା ସହ ଆଗକୁ ବଢ଼ିବାର ଦ୍ୱାରକୁ ଉନ୍ମୁକ୍ତ କରୁଛି।
ପ୍ରଖ୍ୟାତ ସିନେମାଟୋଗ୍ରାଫର୍ ଇଶ୍ୱର ବାରିକ ଲେନ୍ସ ପଛରେ ରହି 'ଡ଼ିଅର୍ ପୁରୁଷ' ସିନେମାରେ ନିଜର ଯାଦୁ ଦେଖାଇଥିବା ବେଳେ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦଙ୍କ ନିର୍ଦ୍ଦେଶିତ ଗୀତ କାହାଣୀକୁ ସମୃଦ୍ଧ କରିଛି। ସିନେମାର ଅଫିସିଆଲ୍ ଟିଜର୍ ଏବଂ ଟ୍ରେଲର ସିଦ୍ଧାର୍ଥ ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ ଥିବାବେଳେ ମନକୁ ଛୁଇଁଲା ପରି ମେଲୋଡି, ଚମତ୍କାର ଅଭିନୟ ଏବଂ ଆକର୍ଷଣୀୟ କାହାଣୀ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିବା ଦେଖାଯାଇଛି ।