ଭୁବନେଶ୍ବର: ଆଜି ଦିଆଯିବ ୨୦୧୯ ରାଜ୍ୟ ଚଳଚିତ୍ର ଓ ଟେଲି ପୁରସ୍କାର । ଏଥର ବି କପି ଫିଲ୍ମକୁ ମିଳିପାରେ ପୁରସ୍କାର ! ଏକଥା ଆମେ କହୁନୁ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ଉଦବେଗ ପ୍ରକାଶ କଲେଣି ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର । କାରଣ ଆଜି (ସୋମବାର) ଚଳଚିତ୍ର ପୁରସ୍କାର ଘୋଷଣା ହେବାକୁ ଥିବା ବେଳେ ଏଯାଏଁ ସର୍ବସାଧାରଣ ହୋଇନି ପୁରସ୍କାର ଚୟନର ତାଲିକା । ଏହାକୁ ନେଇ ସଂସ୍କୃତ ବିଭାଗର ପାରିବାପଣିଆ ଉପରେ ଉଠିଛି ପ୍ରଶ୍ନ । କାହିଁକି ଏଭଳି ତରବରିଆ ପୁରସ୍କାର ଦେଉଛି ବିଭାଗ ତାହା ପୁଣି ଲୁଚେଇ ଛପେଇ ତାକୁ ନେଇ ଉଠିଛି ନାନା ପ୍ରଶ୍ନ ।
ବିଭାଗର ଚୟନରେ ସ୍ୱଚ୍ଛତା ନୁହେଁ ଦୁର୍ନୀତି ଓ ଚଞ୍ଚକତା ରହୁଛି ବୋଲି ଅଭିଯୋଗ କରୁଛନ୍ତି ପ୍ରଯୋଜକ ନିର୍ଦ୍ଦେଶକ ଓ ସିନେ ସମୀକ୍ଷା । ଅନ୍ୟପଟେ ପୂର୍ବରୁ ଏଭଳି କହି ଫିଲ୍ମର ତାଲିକାକୁ ରଦ୍ଦ କରିଥିଲେ ହାଇକୋର୍ଟ । ଏକ ମାସ ଭିତରେ ନିୟମ ଅନୁସାରେ ସଠିକ ମନୋନୟନ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହେଲେ ଏଥର ଅନ୍ୟ ଭାଷାର ଚଳଚ୍ଚିତ୍ରରୁ ରିମେକ୍ ହୋଇଥିବା ଦୁଇ ଓଡ଼ିଆ ଫିଲ୍ମ ‘ଖୁସି’ ଓ ‘ଗୋଲମାଲ୍ ଲଭ୍’କୁ କୌଣସି ବର୍ଗରେ ପୁରସ୍କାର ପାଇଁ ବିଚାରକୁ ନିଆଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ନ୍ୟାୟାଳୟ । ହେଲେ ଏହି ନିର୍ଦ୍ଦେଶକୁ ମାନୁଛି କିଏ ? ନିୟମହୀନ ନିଷ୍ପତ୍ତି ନେଇ ତାଲିକା ପ୍ରକାଶ ପାଇନଥିବାରୁ ପୁଣି ଥରେ ଚୟନ ପ୍ରକ୍ରିୟାରେ ଚଞ୍ଚକତା ହୋଇଥିବା ଅଭିଯୋଗ ଆସୁଛି ।
‘‘କାରଣ ଏଭଳି ଅପ୍ରାସଙ୍ଗିକ ଭାବେ ତାଲିକା ଘୋଷଣା ନ କରିବା ସିନେମା ଶିଳ୍ପର ପ୍ରତିଭା ଚୟନ ପାଇଁ ଏକ ଦୁର୍ନୀତି ଗନ୍ଧର ଆଭାସ ଦେଉଛି । ଏହାକୁ ନେଇ କୁହାଯାଇପାରିବ କି ପୁନଃ ଚୟନରେ ବି ପୁଣି କପି ଫିଲ୍ମକୁ ରାଜ୍ୟ ସଂସ୍କୃତି ବିଭାଗ ପ୍ରଶୟ ଦେଉଛି । ତେଣୁ ସେଭଳି କିଛି ଘଟଣା ଯଦି ଆଜି ଘଟେ ତେବେ ପୁଣି କୋର୍ଟର ଆଶ୍ରୟ ନେବେ ନିର୍ଦ୍ଦେଶକ’’ ବୋଲି କହିଛନ୍ତି ବବି ଇସଲାମ।