ଭୁବନେଶ୍ବର: ମ୍ୟୁଜିକ ଆଲବମ ଭିଡିଓରେ ହିରୋ ହେବାକୁ କହି ରୋଲ ନଦେବାରୁ ସୁଟିଂ ସେଟରେ ହଙ୍ଗମା । ପ୍ରଯୋଜକଙ୍କ ନାଁରେ ଅଭିଯୋଗ ଆଣିଲେ ଓଡିଆ ଅଭିନେତା । ହିରୋ ହେବାକୁ ହେଲେ ପ୍ରଯୋଜକ ଟଙ୍କା ମାଗୁଥିବା ଅଭିନେତା ହିତେଶ ଦାସ ଅଭିଯୋଗ କରିଛନ୍ତି । ବଡ଼ ବ୍ୟାନରର ମ୍ୟୁଜିକ ଭିଡିଓରେ କାମ କରିବାକୁ ହିତେଶଙ୍କୁ ଅଫର ଦିଆଯାଇଥିଲା । ହେଲେ ସୁଟିଂର ପୂର୍ବ ଦିନ ପେମେଣ୍ଟ ବାବଦରେ ପଚାରିବାରୁ ତାଙ୍କୁ ଓଲଟା ଟଙ୍କା ଦେଇ ଅଭିନୟ କରିବାକୁ କହିଥିଲେ ପ୍ରଯୋଜକ । ଏପରିକି ଟଙ୍କା ନଦେଇ ପାରିଲେ ମାଗଣାରେ କାମ କରିବାକୁ କହିଥିଲେ । ଏହାକୁ ନେଇ ଭୁବନେଶ୍ବର ଜୟଦେବ ବାଟିକା ସୁଟିଂ ସେଟରେ ଦେଖିବାକୁ ମିଳିଛି ହାଇଡ୍ରାମା ।
ଭୁବନେଶ୍ବରର ଜୟଦେବ ବାଟିକାରେ ମ୍ୟୁଜିକ ଭିଡିଓର ସୁଟିଂ ଚାଲୁଥିବାବେଳେ ଅଭିନେତା ହିତେଶ ସେଠାରେ ପହଞ୍ଚି ହଙ୍ଗାମା କରିଥିଲେ । ଓଡିଶା ବାହାରୁ ଆସିଥିବା ଅଭିନେତ୍ରୀ ଆକାଂକ୍ଷା ଶର୍ମା ସୁଟିଂ କରୁଥିବା ବେଳେ ହିତେଶ ପ୍ରଯୋଜକଙ୍କୁ ତାଙ୍କ ବିନା କିପରି ସୁଟିଂ ଚାଲିଛି ବୋଲି ପଚାରିଥିଲେ । ତାପରେ ସୁଟିଂ ସେଟରେ ହାଇଡ୍ରାମା ହୋଇଥିଲା । ପାଟିତୁଣ୍ଡ ହେବାରୁ ସୁଟିଂକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା । ପ୍ରଯୋଜକ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ମାମଲା ଥାନାରେ ପହଞ୍ଚିଥିଲା । ତେବେ ପ୍ରଯୋଜକ ଓ ଅଭିନେତାଙ୍କ ମଧ୍ୟରେ ବିବାଦ ପାଇଁ ସୁଟିଂ ବନ୍ଦ ହେବାରୁ ହିନ୍ଦୀ ଆଲବମ୍ ଅଭିନେତ୍ରୀ ଆକାଂକ୍ଷା ଶର୍ମାଙ୍କୁ ନିରାଶ ହେବାକୁ ପଡିଛି ।