ଭୁବନେଶ୍ବର: ଗତ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ବିଜେପି ସଙ୍ଗଠନ ପର୍ବ -୨୦୧୯ ଚଳିତ ମାସରେ ସମାପ୍ତି ହେବ। ଏଯାବତ ରାଜ୍ୟରେ ୩୭ହଜାର ବୁଥରୁ ୨୪ ହଜାର ୫ଶହ ୩୫ ବୁଥ କମିଟି ଗଠନ ହୋଇସାରିଛି । ୧୦୦୪ ମଣ୍ଡଳରୁ ୯୦୦ରୁ ଉର୍ଦ୍ଧ୍ବ ମଣ୍ଡଳରେ ନିର୍ବାଚନ ଶେଷ ହୋଇଛି।
ଦଳୀୟ ସମ୍ବିଧାନ ଅନୁସାରେ ମଣ୍ଡଳ ନିର୍ବାଚନ ପରେ ଜିଲ୍ଲା ନିର୍ବାଚନ ପକ୍ରିୟା ଆରମ୍ଭ ହୁଏ । ଆଗାମୀ ୧୪,୧୫ ଏବଂ ୧୬ ତାରିଖରେ ବିଜେପିର ୩୬ଟି ସାଙ୍ଗଠନିକ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ।
ଏନେଇ ରାଜ୍ୟ ବିଜେପିର ନିର୍ବାଚନ ଅଧିକାରୀ ସୁଦିପ୍ତ ରାୟ କହିଛନ୍ତି ଯେ, ଗଣତାନ୍ତ୍ରିକ ପଦ୍ଧତିରେ ବୁଥ ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତି ଏବଂ ରାଜ୍ୟ ସଭାପତି ନିର୍ବାଚନ ହୋଇଥାଏ।
ବିଜେପିର ଜିଲ୍ଲା ସଭାପତି ନିର୍ବାଚନ ପୂର୍ବରୁ ଡିସେମ୍ବର ୧୧ ଏବଂ ୧୨ ତାରିଖରେ ପ୍ରତ୍ୟେକ ଜିଲ୍ଲାକୁ ୨ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ଯିବେ। ନବ ନିଯୁକ୍ତ ମଣ୍ଡଳ ସଭାପତି ଏବଂ ଜିଲ୍ଲା ପ୍ରତିନିଧିଙ୍କ ପରାମର୍ଶ ନେଇ ଜିଲ୍ଲା ସଭାପତି ନିର୍ବାଚନ କରାଯିବ। ବର୍ତ୍ତମାନ ସୁଦ୍ଧା ୩୫ଟି ସାଙ୍ଗଠନିକ ଜିଲ୍ଲାରେ ମଣ୍ଡଳ ନିର୍ବାଚନ ସମାପ୍ତ ହୋଇଛି। କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ସାଂସଦ ରାଜୀବ ପ୍ରତାପ ରୁଡ୍ଡୀଙ୍କୁ ରାଜ୍ୟ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି । ଜିଲ୍ଲା ନିର୍ବାଚନ ପ୍ରକ୍ରିୟା ୧୬ ତାରିଖରେ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ପକ୍ଷରୁ ତାରିଖ ଘୋଷଣା ହେବ।
ବିଜେପି ସଙ୍ଗଠନ ପର୍ବ -୨୦୧୯ ଚଳିତ ମାସରେ ସମାପ୍ତି ହେବ
ତେବେ ରାଜ୍ୟ ମୁଖିଆ କିଏ ହେବେ? ତାକୁ ନେଇ ଏବେ ଗୈରିକ କ୍ୟାମ୍ପରେ ଆରମ୍ଭ ହୋଇଛି ଅଙ୍କକଷା । ଲଗାତାର ଭାବେ ପାଖାପାଖି ଦୁଇ ଦଶନ୍ଧି ହେବ ରାଜ୍ୟ ସଭାପତି ପଦ ରହିଛି ପଶ୍ଚିମାଞ୍ଚଳ ନେତାଙ୍କ ହାତରେ । ଏହାର କାରଣ ମଧ୍ୟ ରହିଛି । ଉପକୂଳ ଉପେକ୍ଷା ଦଳର ଶକ୍ତି ହେଉଛି ପଶ୍ଚିମାଞ୍ଚଳ । ଦଳ ଆଶା ଜନକ ସଫଳତା ପାଇ ଆସୁଛି ପଶ୍ଚିମରେ । ଚଳିତ ଲୋକସଭା ନିର୍ବାଚନରେ ଦଳ ପଶ୍ଚିମ ଓଡିଶାର ସମସ୍ତ ପାଞ୍ଚଟି ଲୋକସଭା ଆସନରୁ ସମସ୍ତ ଆସନରେ ବିଜୟୀ ହୋଇଛି । ସେହି ଦୃଷ୍ଟିରୁ ନୂତନ ରାଜ୍ୟ ମୁଖିଆ ପୁଣିଥରେ ପଶ୍ଚିମ ଓଡିଶା ହାତକୁ ଯାଇପାରେ।
ଯଦି ପଶ୍ଚିମ ଓଡିଶାର ନେତାଙ୍କ ପାଖକୁ ଯାଏ ତାହେଲେ କିଏ ହେବେ ରାଜ୍ୟ ସଭାପତି । ବର୍ତ୍ତମାନର ସଭାପତି ବସନ୍ତ ପଣ୍ଡା ପୁଣିଥରେ ପଦ ବଜାୟ ରଖିବେ ନା ପରିବର୍ତ୍ତନ ହେବେ । ଯଦି ପରିବର୍ତ୍ତନ ହୁଅନ୍ତି ପ୍ରମୁଖ ଦାବିଦାର ହେବେ ଭେଟେରାନ କେଭି ସିଂଦେଓ । ପୂର୍ବରୁ କେଭି ସିଂଦେଓ ସଭାପତି ହୋଇସାରିଥିବାରୁ ତାଙ୍କ ନାମ ବାଦ ପଡିପାରେ ଏବଂ ବସନ୍ତ ପଣ୍ଡା ସାଂସଦ ହୋଇଥିବାରୁ ତାଙ୍କୁ ମଧ୍ୟ ସଭାପତି ପଦରୁ ଅବ୍ୟାହତି ମିଳିପାରେ। ସେହିଦୃଷ୍ଟିରୁ ଏଥର ଉପକୂଳିଆ ନେତାଙ୍କୁ ମିଳିପାରେ ସଭାପତି ପଦ ।
ଯଦି ଏହା ହୁଏ ଦୀର୍ଘଦିନ ପରେ ଉପକୂଳିଆ ନେତାଙ୍କ ପାଖକୁ ଫେରୁଥିବା ସଭାପତି ପଦ କାହାକୁ ମିଳିବ । କାହିଁକି ନା ଉପକୂଳରେ ଅନେକ ଦାବିଦାର ଅଛନ୍ତି । ପ୍ରମୁଖ ନେତାଙ୍କ ମଧ୍ୟରେ ନୟନ ମହାନ୍ତି, ବିଜୟ ମହାପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ସମୀର ମହାନ୍ତି ଏପରିକି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମ ଶୁଣାଯାଉଛି। ପ୍ରମୁଖ ଦାବିଦାର ଥିବା ନେତାଙ୍କ ମଧ୍ୟରେ ଅଛନ୍ତି ବିଜୟ ମହାପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ସମୀର ମହାନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ