ଭୁବନେଶ୍ବର:ଓଏଏସ ଅଫିସର ସ୍ତରରେ ଅଦଳବଦଳରେ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ଅଧିକ ସଂଖ୍ୟକ ହୋଇନଥିଲେ ମଧ୍ୟ 5ଜଣ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ବଦଳି ହୋଇଛି । ବଡ଼ ଧରଣର ନହେଲେ ବି ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ହୋଇଛି । ବରିଷ୍ଠ ଓଏଏସ ଅଫିସର ଘାସିରାମ ମୁର୍ମୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ଲକ୍ଷ୍ମୀକାନ୍ତ ସେଠୀ । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ, ବିଏମସି ଅତିରିକ୍ତ କମିଶନର ଥିବା ଲକ୍ଷ୍ମୀକାନ୍ତ ସେଠୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ କେନ୍ଦୁଝରରେ ପ୍ରକଳ୍ପ ନିର୍ଦ୍ଦେଶକ ବା ଡିୟୁଡିଏ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ ଘାସିରାମ ମାଝୀଙ୍କୁ ବିଏମସି ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି । ପୂର୍ବରୁ ସେ ବାଲେଶ୍ଵର ଜିଲ୍ଲାରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ତାଙ୍କୁ ବଦଳି କରାଯାଇଛି ।
ଭୁବନେଶ୍ୱର ପରି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନରେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ସୁବ୍ରତ କୁମାର ପଣ୍ଡାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ଆଇନ ବିଭାଗର ପ୍ରମୁଖ ଶାସନ ସଚିବ (ଓଏସଜେଏଏସ) ହୋଇଛନ୍ତି ମାନସ ରଞ୍ଜନ ବାରିକ ।
ଏହା ବି ପଢନ୍ତୁ...OAS Reshuffle: ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀସ୍ତରରେ ଅଦଳବଦଳ
ସେହିପରି ବଲାଙ୍ଗୀର ପ୍ରକଳ୍ପ ନିର୍ଦ୍ଦେଶକ ବା ଡିୟୁଡିଏ ସୁଦର୍ଶନ ସଏଙ୍କୁ ବୁର୍ଲା ଭୀମସାର ରେଜିଷ୍ଟ୍ରାର(ପ୍ରଶାସନ) ଭାବେ ବଦଳି କରାଯାଇଛି । ବୁର୍ଲା ଭୀମସାରରେ ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ପ୍ରଫୁଲ୍ଲ କୁଜୁରଙ୍କୁ ବଲାଙ୍ଗୀର ପ୍ରକଳ୍ପ ନିର୍ଦ୍ଦେଶକ ବା ଡିୟୁଡିଏ ଭାବେ ନିଯୁକ୍ତି ମିଳିଛି । କୋରାପୁଟ ଜିଲ୍ଲା ଦଶମନ୍ତପୁର ତହସିଲଦାର ଅଜୟ ପ୍ରକାଶ ତିର୍କୀଙ୍କୁ କଳାହାଣ୍ଡିର ଧର୍ମଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । ଅନ୍ୟପକ୍ଷରେ ବିନିକା ବିଡିଓ ବ୍ୟାସଦେବ ବେହେରାଙ୍କ ବଦଳିକୁ ବାତିଲ କରାଯାଇଛି । ଏହା ପୂର୍ବରୁ ଗତ ମାସ 13 ତାରିଖରେ ଓଏଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳି ହୋଇଥିଲା । ମୋଟ 295 ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ମିଳିଥିଲା ।
ଇଟିଭି ଭାରତ, ଭୁବନେଶ୍ବର