ଓଡିଶା

odisha

ଛାତ୍ର କଂଗ୍ରେସ ନିଶାନାରେ ଛାତ୍ର ବିଜେଡି, ବିଜେଡି ସରକାରର ଏକ ଗୋଡ଼ାଣିଆ ଅନୁଷ୍ଠାନ କହିଲେ ୟାସୀର

By

Published : Jul 14, 2023, 9:03 PM IST

ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ଚାଲିଥିବା ବେଳେ ଏହାକୁ ଜୋରଦାର ଟାର୍ଗେଟ କରିଛି ଛାତ୍ର କଂଗ୍ରେସ । ୨୩ ବର୍ଷରେ ଛାତ୍ର ବିଜେଡି ଛାତ୍ର ସମାଜ ପାଇଁ ମୁହଁ ଖୋଲିନି ବୋଲି ଅଭିଯୋଗ କରିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜ । ଅଧିକ ପଢ଼ନ୍ତୁ

ଛାତ୍ର କଂଗ୍ରେସ ନିଶାନାରେ ଛାତ୍ର ବିଜେଡି
ଛାତ୍ର କଂଗ୍ରେସ ନିଶାନାରେ ଛାତ୍ର ବିଜେଡି

ଛାତ୍ର କଂଗ୍ରେସ ନିଶାନାରେ ଛାତ୍ର ବିଜେଡି

ଭୁବନେଶ୍ବର:ଆଜି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ବସିଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ଛାତ୍ର ବିଜେଡିକୁ ଟାର୍ଗେଟ୍‌ କରିଛି ଛାତ୍ର କଂଗ୍ରେସ । ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ନବୀନ ସରକାର ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ଏହା ସହିତ ବିଜୁ ଛାତ୍ର ଜନତା ଦଳ ୨୩ ବର୍ଷରେ ଓଡ଼ିଶାର ଛାତ୍ର ସମାଜ ପାଇଁ ମୁହଁ ଖୋଲିନାହିଁ ବୋଲି କହି ଛାତ୍ର ବିଜେଡି ଉପରେ ବର୍ଷିଛି ଛାତ୍ର କଂଗ୍ରେସ ।

ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "୨୩ ବର୍ଷର ନବୀନ ସରକାର ସମ୍ପୂର୍ଣ୍ଣ ଭାବରେ ଛାତ୍ର ସ୍ବାର୍ଥ ବିରୋଧୀ ବୋଲି ପ୍ରମାଣିତ । ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ବିଜୁ ଜନତା ଦଳ ସରକାର କେବଳ ଭୁଆଁ ବୁଲାଉଛନ୍ତି । ବିଜୁ ଛାତ୍ର ଜନତା ଦଳ ଆଜି ପର୍ଯ୍ୟନ୍ତ ଓଡ଼ିଶାର ଛାତ୍ରମାନଙ୍କର ସ୍ବାର୍ଥ ପାଇଁ ମୁହଁ ଖୋଲିନାହିଁ । କେବଳ ବିଜେଡି ସରକାରର ଏକ ଗୋଡ଼ାଣିଆ ଅନୁଷ୍ଠାନ ଭାବେ ପରିଚୟ ସୃଷ୍ଟି କରିଛି ବିସିଜେଡି । ଜଣେ ଛାତ୍ର ପାଠପଢ଼ାର ସମାପ୍ତି ପରେ ନିଯୁକ୍ତି ଖୋଜେ । ମାତ୍ର ବର୍ଷକୁ ୨ ଲକ୍ଷ ନିଯୁକ୍ତି ପ୍ରତିଶୃତି ଦେଇଥିବା ନବୀନ ସରକାର ଏପର୍ଯ୍ୟନ୍ତ ତାଙ୍କର ପ୍ରତିଶୃତି ପୂରଣରରେ ସମର୍ଥ ହୋଇନାହାନ୍ତି । ଏଭଳି ପରିସ୍ଥିତିରେ ଛାତ୍ର ବିଜେଡି ନବୀନ ସରକାରର ଗୁଣ କୀର୍ତ୍ତନ କରୁଛି । ବିରୋଧୀ ଦଳଗୁଡ଼ିକର କଣ୍ଠରୋଧ କରିବା ପାଇଁ ନବୀନ ସରକାର ୫ ବର୍ଷ ହେଲା ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦେଇଛି । ନିର୍ବାଚନ ପାଇଁ ଛାତ୍ର ବିଜେଡି ଏପର୍ଯ୍ୟନ୍ତ ସରକାର ପାଖରେ ଦାବି କଲେଣି କି ?" ଗୋଟିଏ ପଟେ ନିର୍ବାଚନ ବନ୍ଦ କରିଦେଉଥିବା ବେଳେ ଅନ୍ୟପଟେ ବିଜେଡି ପକ୍ଷରୁ କ୍ୟାମ୍ପସ କମିଟି ଗଠନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବେକାରୀ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ 7 ଦିନର ମହଲତ ଦେଲା ଛାତ୍ର କଂଗ୍ରେସ

ସେ ଆହୁରି କହିଛନ୍ତି, "ଭୁବନେଶ୍ବର ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି କାହା ଚାପରେ ଆତ୍ମହତ୍ୟା କଲା ସେହି ଘଟଣାର ଅସଲ ରହସ୍ୟକୁ ଚାପି ଦିଆଯାଇଛି । ଖଲିକୋଟ କଲେଜ ଏବଂ ବିନାୟକ ଆଚାର୍ଯ୍ୟ କଲେଜରେ ଛାତ୍ର ବିଜେଡି କ୍ୟାମ୍ପସ କମିଟିର କର୍ମକର୍ତ୍ତାମାନେ କିଭଳି ଛାତ୍ରୀମାନଙ୍କୁ ଅସଦାଚରଣ କରିଛନ୍ତି ତାହା ଏ ରାଜ୍ୟ ଦେଖିଛି । ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କ ତଣ୍ଟିକଟା ଘଟଣାରେ ଛାତ୍ର ବିଜେଡି ମୁହଁ ଖୋଲିଲାଣି କି ? ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜାଲ ସାର୍ଟିଫିକେଟରେ ଆଡମିଶନରେ ଛାତ୍ର ବିଜେଡି ଓ ଯୁବ ବିଜେଡିର କର୍ମକର୍ତ୍ତା ସଂପୃକ୍ତ । ରମାଦେବୀ ବିଶ୍ଵବିଦ୍ୟାଳୟର ନୂଆ ପାଚେରୀ ଭୁଶୁଡ଼ିବା ଘଟଣା, ବାଙ୍କି ସ୍ଵୟଂଶାସିତ ମହାବିଦ୍ୟାଳୟର ଖେଳପଡ଼ିଆର ନୂଆ ଗ୍ୟାଲେରୀ ଭୁଶୁଡିବା ଘଟଣା ଏବଂ ସାରା ରାଜ୍ୟରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିର୍ମାଣରେ ଯେଉଁ ଦୁର୍ନୀତି ହେଉଛି, ତା ବିରୋଧରେ ଛାତ୍ର ବିଜେଡି ପଦୁଟିଏ ମୁହଁ ଖୋଲିଲାଣି କି ? ଅଧା ସଂଖ୍ୟକ ଅଧ୍ୟାପକରେ ଓଡ଼ିଶାରେ ବିଶ୍ଵବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଚାଲିଛି । ସରକାରୀ ସ୍କୁଲ, କଲେଜରୁ ଲୋକେ ମୁହଁ ଫେରାଉଛନ୍ତି । ପ୍ରାଇଭେଟ ସ୍କୁଲ ଓ କଲେଜର ମାଲିକମାନେ ଅଭିଭାବକମାନଙ୍କଠାରୁ ତଣ୍ଟି ଚିପି ଅର୍ଥ ଆଦାୟ କରୁଥିବା ବେଳେ ଛାତ୍ର ବିଜେଡି ନୀରବ କାହିଁକି ? ଆଜିର ଛାତ୍ର ବିଜେଡି କାର୍ଯ୍ୟକାରେଣୀରେ ଏସବୁ ପ୍ରସଙ୍ଗ ଉଠିଛି ନା ନାହିଁ ? ଯଦି ନଉଠିଛି, ତେବେ ଏ ରାଜ୍ୟର ଛାତ୍ରମାନଙ୍କର ସ୍ବାର୍ଥ ଦୃଷ୍ଟିରୁ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟାକାରିଣୀ ଏ ସଂପର୍କରେ ଆଲୋଚନା କରୁ ଏବଂ ଛାତ୍ରସ୍ବାର୍ଥ ପାଇଁ ରାଜ୍ୟସରକାର ଆଗରେ ମୁହଁ ଖୋଲୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details