ଭୁବନେଶ୍ବର:ଲିଙ୍ଗରାଜ ମନ୍ଦିରରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଓ ଦର୍ଶନ ପାଇଁ ଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗ । ଅନ୍ୟ ରାଜ୍ୟରୁ ଆସିଥିବା ଜଣେ ପର୍ଯ୍ୟଟକ ଏଭଳି ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏନେଇ ଇମେଲ୍ ଜରିଆରେ ନିଜର ତିକ୍ତ ଅନୁଭୂତି ସମ୍ପର୍କରେ ଜଣାଇବା ସହ ଏଥିରେ ସଂସ୍କାର ଆଣି ବେଆଇନ ଦାନଥାଳି ବଦଳରେ ଦାନହୁଣ୍ଡି ବସାଇବାକୁ ନିବେଦନ କରିଛନ୍ତି ଭକ୍ତ। ଅଭିଯୋଗ ପରେ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଛି । ଯାହାକୁ ନେଇ ମନ୍ଦିର ପ୍ରଶାସନ ତିନି ନିଯୋଗଙ୍କୁ ନୋଟିସ୍ ଜାରି କରିଛି। ଯାହାକୁ ନେଇ ପୁରୁଣା ଭୁବନେଶ୍ଵରରେ ଚର୍ଚ୍ଚା ଜୋର ଧରିଛି। ଅଭିଯୋଗ ଅନୁସାରେ, ଆନନ୍ଦ ବାଜପେୟୀ ନାମକ ଜଣେ ବରିଷ୍ଠ ନାଗରିକ ଗତ ଡିସେମ୍ବର ୭ ତାରିଖରେ ପରିବାର ସହ ଲିଙ୍ଗରାଜ ଦର୍ଶନ ପାଇଁ ଆସିଥିଲେ।
ମନ୍ଦିର ଭିତରେ ପହଞ୍ଚିବା ପରେ କିଛି କଥା ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ବିଶେଷକରି କିଛି ସେବାୟତଙ୍କ ବ୍ୟବହାର ଉଭୟ ପତି ପତ୍ନୀଙ୍କୁ ମର୍ମାହତ କରିଥିଲା। ସେ ଅଭିଯୋଗରେ ଲେଖିଛନ୍ତି, "ଦର୍ଶନ ପାଇଁ ଯିବାବେଳେ ଆଡକାଠ ନିକଟରେ ଦୁଇ ଜଣ ପୂଜାରୀ ଠାକୁରଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ । ସେଠାରେ ଥିବା ଏକ ଟଙ୍କା ଭର୍ତ୍ତି ବଡ଼ ଷ୍ଟିଲ୍ ଥାଳିରେ ୫ଶହ, ୧୫ ଶହ ଓ ୨ହଜାର ଟଙ୍କା ପକାଇବାକୁ ତାଙ୍କୁ ବାଧ୍ୟ କରିଥିଲେ। ସେ ଟଙ୍କା ନଦେବାରୁ ତାଙ୍କୁ ଖରାପ ବ୍ୟବହାର କରିବା ସହ ଦର୍ଶନ କରିବାକୁ ଦେଇନଥିଲେ। ଏତେ ଜୋରରେ ପାଟିତୁଣ୍ଡ କରୁଥିଲେ ଯେ ୨ ମିନିଟ୍ ମଧ୍ୟ ଶାନ୍ତିରେ ଠାକୁରଙ୍କୁ ଦର୍ଶନ କରିପାରି ନଥିଲେ ।" ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମେଲ୍ କରି ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଥିଲେ।
ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ହୋଇପାରୁନି ଶୃଙ୍ଖଳିତ ଦର୍ଶନ, ଭକ୍ତ ଅସନ୍ତୋଷ