ଭୁବନେଶ୍ବର: ଜୋର ଧରିଲା ଭୁବନେଶ୍ବରର କୁଆଖାଇରେ ବ୍ୟାରେକ ନିର୍ମାଣ ଦାବି । ଆଉ କିଛି ବର୍ଷ ପରେ ଭୁବନେଶ୍ବରରେ ଦେଖାଦେବ ଜଳ ସଙ୍କଟ । ବର୍ତ୍ତମାନ ରାଜ୍ୟର ବଡ ନଦୀ କୁହାଯାଉଥିବା ମହାନଦୀ ବର୍ଷ ତମାମ ଶୁଖିଲା ପଡ଼ୁଥିବା ବେଳେ ମହାନଦୀର ଶାଖା ନଦୀ ଗୁଡ଼ିକ ମଧ୍ୟ ଶୁଖିଲା ପଡୁଛି । ଯାହା ଦ୍ଵାରା ଜଳ ପାଇଁ ହାହାକାର ଦେଖାଯିବା ସମ୍ଭାବନା ରହିଛି ।
2014-2015 ରେ ମିଳିତ ଜାତିସଂଘ ତରଫରୁ ଭାରତର ବିଭିନ୍ନ ଅଞ୍ଚଳର ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ପରିବେଶ ଏବଂ ପରିସ୍ଥିତିର ଏକ ଅଧ୍ୟୟନ କରାଯାଇଥିଲା । ତେବେ ଏଥିରେ ଜଣାପଡିଥିଲା ଯେ, ଭୁବନେଶ୍ୱର ମାଟି ତଳେ ପ୍ରାୟ 7 ରୁ 8 ଫୁଟ ପର୍ଯ୍ୟନ୍ତ ଜଳୀୟ ଉତ୍ସର କୌଣଶି ଚିହ୍ନ ବର୍ଣ୍ଣ ନାହିଁ । ଯଦିଓ ନିକଟରେ ବହୁ ନଦୀ ପ୍ରବାହିତ ହେଉଛି, କିନ୍ତୁ ଖରା ଦିନ ମାନଙ୍କରେ ନଦୀ ଶୁଖିଲା ପଡୁଛି । ଯାହା ଦ୍ଵାରା ଜଳସ୍ତର କମିବାରେ ଲାଗୁଛି । ଯାହା ଦ୍ଵାରା ମାନବ ସମାଜ ସହିତ ଗଛ ଲତା ପଶୁପକ୍ଷୀ ବଞ୍ଜିବା ଅସମ୍ଭବ ହୋଇପଡିବ । ଏନେଇ ଉତ୍ତର ଭୁବନେଶ୍ଵର ଉନ୍ନୟନ ପରିଷଦ ଦାବି କରିଛି ଯେ, ଏହି ନକରାତ୍ମକ ପରିସ୍ଥିତିକୁ ରୋକିବା ପାଇଁ ଭୁବନେଶ୍ବର ନିକଟରେ ଥିବା କୁଆଖାଇ ନଦୀ ରେ ଏକ ବିଶାଳ ଜଳଭଣ୍ଡାର କରିବାକୁ ଦାବି କରିଛନ୍ତି । କୁଆଖାଇର ବାଲିଅନ୍ତା ଠାରେ ଏକ ବୃହତ ଆନିକଟ ନିର୍ମାଣ କରାଯାଉ । ଏଥିସହିତ ନଦୀର ଉଭୟ ପାର୍ଶ୍ଵରେ ସୁଉଚ୍ଚ ବନ୍ଧ ନିର୍ମାଣ କରାଯାଉ । ସେହିପରି ଆନିକଟ ପର୍ଯ୍ୟନ୍ତ ପ୍ରାୟ 18 କିଲୋମିଟର ଡ୍ରେଜିଙ୍ଗ କରି ଯଥେଷ୍ଟ ଜଳ ରହିବାର ବ୍ୟବସ୍ଥା କରାଯାଉ ବୋଲି କହିଛି ପରିଷଦ ।